ଖେଲୋ ଇଣ୍ଡିଆ ପାଇଁ‌ ‌କ୍ଷେତ୍ର ପ୍ରସ୍ତୁତ, ପଦକ ଆଶାରେ ଦୂତି ଓ ଋତୁପର୍ଣ୍ଣା

୨୦୬ ସ୍ବର୍ଣ୍ଣ ପାଇଁ ପ୍ରତିଦ୍ବନ୍ଦ୍ବିତା

ଭୁବ‌ନେଶ୍ବର: ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ପାଇଁ ଓଡ଼ିଶାରେ‌ କ୍ଷେତ୍ର ପ୍ରସ୍ତୁତ। କଟକର ଜବାହାରଲାଲ୍ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଶନିବାର ସଂଧ୍ୟାରେ ଏହାର ଆନୁଷ୍ଠାନିକ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହା‌କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରଖାଯାଇନାହିଁ। ଉଦ୍‌ଘାଟନୀ ଉତ୍ସବର ଅବ୍ୟବହିତ ପୂର୍ବରୁ କିନ୍ତୁ ଭୁବନେଶ୍ବରରେ ଭଲିବଲ୍‌, ଅସିଚାଳନା, ଫୁଟ୍‌ବଲ ଏବଂ ବାସ୍କେଟ୍‌ବଲ୍ ପ୍ରତ‌ିଯୋଗିତା ଆରମ୍ଭ ହୋଇଯାଇଛି। ଏହି କ୍ରୀଡ଼ା ପ୍ରଥମ କରି ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପାଇଁ ଖୁସି ଓ ଗୌରବର ବିଷୟ।। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ଏହି ସର୍ବବୃହତ କ୍ରୀଡ଼ା ମହୋତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ସ୍ବପ୍ନର ପ୍ରକଳ୍ପ। ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସର୍ବଦା କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସୁଥିବା ବେଳେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ଏହାକୁ ଆୟୋଜନ କରି ଭାରତର କ୍ରୀଡ଼ା ଇତିହାସରେ ଓଡ଼ିଶା ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି ବୋଲି ଶୁକ୍ରବାର କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚୁତ ସାମନ୍ତ ପ୍ରକାଶ କରିଛନ୍ତି। କିଟ୍‌କୁ ଆୟୋଜକ ବିଶ୍ୱବିଦ୍ୟାଳୟ ଭାବେ ଦାୟିତ୍ୱ ଦିଆଯାଇଥିବାରୁ ଶ୍ରୀ ସାମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତ ସରକାର, ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାରୁ ୫ ବିଶ୍ବବିଦ୍ୟାଳୟରୁ ମୋଟ ୧୪୮ ଜଣ ଖେଳାଳି ଭାଗନେବାକୁ ଯାଉଛନ୍ତି। ଫଳରେ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ଓଡ଼ିଶାରେ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଉତ୍ସବ ଲାଗି ରହିବ। ଶୁକ୍ରବାରର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଦେଶର ଏକ ନମ୍ବର ଧାବିକା ଦୂତି ଚାନ୍ଦ ଏବଂ ବ୍ୟାଡମିଣ୍ଟନ୍ ଯୁବରାଣୀ ଋତୁପର୍ଣ୍ଣା ପଣ୍ଡା ପଦକ ଜିତିବେ ବୋଲି ଆଶାବ୍ୟକ୍ତ କରିଥିଲେ। ପିଲାଦ‌ିନେ ଆମେ ଅନ୍ୟ ରାଜ୍ୟକୁ ଖେଳିବାକୁ ଯିବାକୁ ସ୍ବପ୍ନ ଦେଖୁଥିଲୁ, ଏବେ ଅନ୍ୟ ରାଜ୍ୟ ଖେଳାଳି ଆମ ଯାଗାକୁ ଆସୁଥିବାରୁ ଗର୍ବ ଲାଗୁଛି‌ ବୋଲି ଦୂତି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରଶାସକ ସୋମେଶ ଉପାଧ୍ୟାୟ, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂଯୋଜକ ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପରମିନ୍ଦର ସିଂହ ଆହୁଲୱାଲିଆ, କିଟ ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିଟ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ।

୫ କୋଟିରୁ ଊର୍ଧ୍ବ ଖର୍ଚ୍ଚ
ପ୍ରତିଯୋଗିତା ଲାଗି କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। କିଟ୍‌ ଭିତ୍ତିଭୂମିକୁ ମାଗଣାରେ ଦେଇଛି। ପ୍ରତି ଖେଳାଳି ପିଛା ଦୈନିକ ୭୦୦ ଟଙ୍କା ଖର୍ଚ ହେଉଛି। ମୋଟ ୫.୪୩ କୋଟି ଟଙ୍କାର ବ୍ୟୟ ଅଟକଳ ବାଦ ଅନ୍ୟାନ୍ୟ ଖର୍ଚ ରହିଛି। କିଟ୍‌ ଭିତ୍ତିଭୂମି ମାଗଣାରେ ପ୍ରଦାନ କରିବାରୁ ଗତ ମାସରେ ଗୁଆହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଖର୍ଚ ତୁଳନାରେ ଏଠାରେ ଏକ ଚତୁର୍ଥାଂଶରେ ପ୍ରତିଯୋଗିତା ସମ୍ପନ୍ନ ହେବ ବୋଲି ସାଂସଦ ଅଚ୍ୟୁତ ସାମନ୍ତ ସୂଚନା ଦେଇଥିଲେ।

ବିଶ୍ବବ୍ୟାପୀ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଖୁବ୍ ଲୋକପ୍ରିୟ ଏବଂ ଗୁରୁତ୍ବପୂର୍ଣ୍ଣ। ଏହି ଧାରାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ଭାରତ ପାଇଁ ଅନେକ ଅଲିମ୍ପିଆନ୍ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଭାରତୀୟ କ୍ରୀଡ଼ା ପ୍ରାଧିକରଣର ମହାନିର୍ଦେଶକ ସନ୍ଦୀପ ପ୍ରଧାନ। ଅଲିମ୍ପିକ୍ସ ପରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଦ୍ବିତୀୟ ପ୍ରମୁଖ ବୋଲି ମଧ୍ୟ ଶ୍ରୀ ପ୍ରଧାନ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ। ଓଡ଼ିଶାରେ ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିବାରୁ ସେ ଖୁସି ଜାହିର କରିଥିଲେ। ମାତ୍ର ୩ ମାସ ମଧ୍ୟରେ ଏହା ପ୍ରସ୍ତୁତ ହୋଇଥିବାରୁ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ ମଧ୍ୟ ସମ୍ପୂର୍ଣ୍ଣ ଦଳକୁ ପ୍ରଶଂସା କରିଥିଲେ। କିଟ୍ ବିଶ୍ବବିଦ୍ୟାଳୟ ରାତାରାତି ସବୁକିଛି ପ୍ରସ୍ତୁତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ଶ୍ରୀ ଦେବ। ୧୦ ଦିନିଆ ଏହି ପ୍ରତିଯୋଗିତାରେ ୧୫୭ ବିଶ୍ବବିଦ୍ୟାଳୟରୁ ୩୩୪୩ ଖେଳାଳି ଭାଗ ନେଉଛନ୍ତି। କଟକ ଏବଂ ଭୁବନେଶ୍ବରର ୧୦ ଷ୍ଟାଡିୟମ୍‌ୟରେ ମୋଟ ୧୭ଟି ଖେଳ ଶୃଙ୍ଖଳାରେ ପ୍ରତିଯୋଗିତା ହେବ। ମୋଟ ୨୦୬ ସ୍ବର୍ଣ୍ଣ, ୨୦୬ ରୌପ୍ୟ ଏବଂ ୨୮୬ କାଂସ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ ଖେଳାଳିମାନେ। ଶନିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିବେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କିନ୍ତୁ କଟକରେ ଉପସ୍ଥିତ ରହିବେ। ଷ୍ଟାର୍ ଷ୍ଟୋର୍ଟସ ଏବଂ ଡିଡିରେ ଏହା ସିଧାପ୍ରସାରଣ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର