ଖେଲୋ ଇଣ୍ଡିଆରେ ଦିନେଶଙ୍କ ସ୍ବର୍ଣ୍ଣିମ ସଫଳତା

ଗୁଆହାଟୀ/ଭୁବନେଶ୍ବର: ଓଡ଼ିଶାକୁ ‌ଲଗାତାର ତୃତୀୟ ଦିନ ଖେଲୋ ଇଣ୍ଡିଆରେ ସଫଳତା ମିଳିଛି। ପ୍ରଥମ ଥର ପାଇଁ ସାଇକେଲ ଚାଳନାରୁ ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଛି ଓଡ଼ିଶା। ରାଉରକେଲାର ୨୦ ବର୍ଷୀୟ ଯୁବକ ଦିନେଶ କୁମାର ୨୧ ବ‌ର୍ଷରୁ କମ୍‌ ବୟସ ବର୍ଗର ୩୦ କିଲୋମିଟର୍‌ ଟାଇମ୍ ଟ୍ରାଏଲ୍‌ ସ୍ବର୍ଣ୍ଣ ପଦକ ଜିତି ଏହି ଗୌରବ ଆଣିଛନ୍ତି। ଶୁକ୍ରବାର ପ୍ରଥମ ଦିବସରେ ଜିମ୍ନାଷ୍ଟ ଜଗଦୀଶ ବାରିକ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଦିନେଶ କୁମାର ଓଡ଼ିଶାର ସ୍ବର୍ଣ୍ଣକୁ ୨ରେ ପହଞ୍ଚାଇଛନ୍ତି। ଜଗଦୀଶ ଶନିବାର ଆଉ ଏକ ରୌପ୍ୟ ପଦକ ଜିତିଥିବାରୁ ଓଡ଼ିଶାର ମୋଟ ପଦକ ୩ରେ ପହଞ୍ଚିଛି।

ଆସାମର‌ ଗୁଆହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆର ତୃତୀୟ ସଂସ୍କରଣରେ ରବିବାର ସାଇକ୍ଲିଂ ପ୍ରତିଯୋଗିତାର ପ୍ରଥମ ଦିବସରେ ହିଁ ଓଡ଼ିଶାକୁ ଏହି ଅପୂର୍ବ ସଫଳତା ମିଳିଛି। ଖେଲୋ ଇଣ୍ଡିଆରେ ସାଇକ୍ଲିଂ ପଦାର୍ପଣ କରିଥିବା ବେଳେ ଓଡ଼ିଶା ମଧ୍ୟ ଏହାକୁ ସ୍ମରଣୀୟ କରିଛି। ଗୁଆହାଟୀଠାରୁ ୩୦ କିଲୋମିଟର୍‌ ଦୂର ସୋନାପୁରସ୍ଥିତ ଏଲ୍‌ଏନ୍‌ଆଇପି ସାଇକ୍ଲିଂ ରୁଟ୍‌ରେ ଅନୁଷ୍ଠିତ ୩୦ କିଲୋମିଟର୍‌ ବିଶିଷ୍ଟ ଟାଇମ୍‌ ଟ୍ରାଏଲ୍‌ ବ୍ୟକ୍ତିଗତ ଇଭେଣ୍ଟ୍‌ରେ ଦିନେଶ ୪୪:୧୧.୧୩ ମିନିଟ୍‌ ସମୟ ନେଇ ପ୍ରଥମେ ପହଞ୍ଚିଥିଲେ। ସ୍ଥାନୀୟ ଖେଳାଳି ଅନୀଲ ମଙ୍ଗଲାଓ ୪୦:୨୩.୩୬ ମିନିଟ୍‌ ଏବଂ କର୍ଣ୍ଣାଟକର ରାଜୁ ବାଟି ୪୧:୦୫.୧୭ ମିନିଟ୍‌ ନେଇ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଦିନେଶ କୁମାରଙ୍କ ପାଇଁ କିନ୍ତୁ ଏହି ସଫଳତା କିଛି ବଡ଼ ସଫଳତା ନୁହେଁ। ଗତବର୍ଷ ଜାତୀୟ ପ୍ରତିଯୋଗିତାର ଏହି ଇଭେଣ୍ଟ୍‌ରେ ଦିନେଶ ବିଜେତା ଥିବାରୁ ଏଠାରେ ସ୍ବର୍ଣ୍ଣ ଜିତିବା ତାଙ୍କୁ ଦ୍ବିମୁକୁଟ ପ୍ରଦାନ କରିଛି। ଦିନେଶଙ୍କୁ ଏହି ସଫଳତା ଲାଗି ତାଙ୍କ ପ୍ରଶିକ୍ଷକ ସୁଶୀଲ ଦାସ ଅଭିନନ୍ଦନ ଜଣାଇଛନ୍ତି। ଦିନେଶ ସୋମବାର‌ ରୋଡ୍‌ ରେସ୍‌ରେ ଭାଗନେବେ। ଅନ୍ୟତମ ଓଡ଼ିଆ ଝିଅ ‌ସ୍ବସ୍ତି ସିଂହ ମଧ୍ୟ ପଦକ ଆଶାରେ ରହିଛନ୍ତି।

ଦୋକାନି ପୁଅରୁ ଅପୂର୍ବ ସଫଳତା
ଯେଉଁ ଖେଳରୁ ଓଡ଼ିଶାକୁ ପ୍ରଥମ ଅର୍ଜୁନ ପୁରସ୍କାର ମିଳିଛି ‌ସେ‌ ଖେଳଟି ହେଉଛି ସାଇକ୍ଲିଂ। ୧୯୭୯ ମସିହାରେ ମିନତି ମହାପାତ୍ର ଆଣିଥିଲେ ଏହି ସମ୍ମାନ। ସେ ପୁରୀର ଝିଅ ହୋଇଥିଲେ ବି ରାଉରକେଲାର ପାଣି ପବନରେ ବଢ଼ିଥିଲେ। ଏବେ ଉତ୍ତରପ୍ରଦେଶର ମୂଳ ଅଧିବାସୀ ହୋଇଥିଲେ ମଧ୍ୟ ଦ‌ିନେଶ କୁମାର ରାଜ୍ୟ ପାଇଁ ବହୁ ପ୍ରତୀକ୍ଷିତ ସଫଳତା ଆଣି ଦେଇଛନ୍ତି। ରାଉରକେଲାରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ମହେନ୍ଦ୍ର ପଟେଲ୍‌ ଏବଂ ଶୋଭା‌‌ ଦେବୀଙ୍କ ପୁଅ ଦିନେଶଙ୍କ ସାଇକ୍ଲିଂ ଯାତ୍ରା ୧୦ ବର୍ଷରୁ ଆରମ୍ଭ ହୋଇଥିଲା। ପିଲାଟି ଦିନରୁ ହିଁ ମୁଁ ସାଇକ୍ଲିଂକୁ ପସନ୍ଦ କରି ଆସିଛି ବୋଲି ସ୍ବର୍ଣ୍ଣ ପଦକ ବିଜୟ ପରେ କହିଥିଲେ ଦିନେଶ। ପିଲାଦିନେ ଜଣେ ପଡ଼ୋଶୀର ବାଇକ୍ ଚାରିପାଖରେ ବୁଲିବା ଦିନରୁ ହିଁ ସେ ଏହାକୁ ଅନୁସରଣ କରିଥିଲେ। ଶେଷରେ ଏହା ତାଙ୍କ ନିଶା ଓ ପେସାରେ ପରିଣତ ହୋଇଛି। ଜାତୀୟସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଦିନେଶ ଏବେ ଛୋଟ ସହରରୁ ବଡ଼ ତାରକା ବନିବା ଦିଗରେ ଅଗ୍ରସର ହୋଇଛନ୍ତି।

ଖେଲୋ ଇଣ୍ଡିଆରେ ସାଇକ୍ଲିଂ ପଦାର୍ପଣ କରିବାର ପ୍ରଥମ ସ୍ବର୍ଣ୍ଣଟିକୁ ଦ‌ିନେଶ ଜିତିଥିବାରୁ ତାଙ୍କ ଚର୍ଚା ଜୋର ହୋଇଛି। ବିଗତ ୫ ବର୍ଷ ଧରି ଦ‌ିନେଶଙ୍କ ଉପରେ ଚୟନକର୍ତାଙ୍କ ନଜର ନିବଦ୍ଧ ରହିଥିଲା। ୨୦୧୫ ମସିହାରେ କେରଳରେ ଅନୁଷ୍ଠିତ ଜାତୀୟ ଟ୍ରାକ୍‌ ପ୍ରତିଯୋଗିତାରୁ ହିଁ ତାଙ୍କୁ ମନୋନୀତ କରି ସେମାନେ ଦିଲ୍ଲୀ ସାଇ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ‘ଏହିଠାରୁ ହିଁ ମୋ ଅସଲ ଯାତ୍ରା ଆରମ୍ଭ ହୋଇଥିଲା’ ବୋଲି କହିଛନ୍ତି ଦିନେଶ। ୨ ବର୍ଷ ପରେ ଦ‌ିନେଶଙ୍କୁ ଭାରତୀୟ ବାୟୁସେନା ବାଛି‌ନେଇଥିଲା ଏବଂ ପାତିଆଲାରେ ରହି ସେବେଠାରୁ ସେ ନିଜ ସାଇକ୍ଲିଂ ଜୀବନକୁ ଆଗକୁ ବଢ଼ାଇଛନ୍ତି। ପିତାମାତାଙ୍କ ୫ ପିଲାଙ୍କ ଭିତରେ ଦିନେଶ ଚତୁର୍ଥ। ଘରେ କେହି କ୍ରୀଡ଼ାବିତ୍ ନ ଥିଲେ ବି ମୋ ଆଗ୍ରହ ଦେଖି ପିତାଙ୍କଠାରୁ ଢେର ସମର୍ଥନ ମିଳିଥିଲା ବୋଲି ପ୍ରକାଶ କରିଛନ୍ତି ଦିନେଶ। ବିଶ୍ବ ସାଇକ୍ଲିଂରେ ସଫଳ‌ ଦେଶ ଗ୍ରେଟ୍ ବ୍ରିଟେନ୍‌ ଅନୁରୂପ ଜର୍ସି ପରିଧାନ କରୁଥିବା ଦିନେଶ ଗତବର୍ଷ ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ମଧ୍ୟ ୩୦ କିଲୋମିଟର୍‌ ଟାଇମ୍ ଟ୍ରାଏଲ୍‌ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏବେ ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ଜିତିବା ପରେ ସାଥୀ ‌ଖେଳାଳି ଏବଂ ଅନ୍ୟ ଘନିଷ୍ଠ ସାଙ୍ଗମାନେ ପାର୍ଟି ମାଗିବା ଆରମ୍ଭ କରି ଦେଇଛନ୍ତି‌। ‘‘ଆଉ ଉଭେଣ୍ଟ୍ ଅଛି..ପରେ ମିଳିବ’’ ବୋଲି ହସି ହସି କଥା ଦେଇଛନ୍ତି ଦିନେଶ।

ସମ୍ବନ୍ଧିତ ଖବର