ଭୁବନେଶ୍ବର: ଆସାମର ଗୁଆହାଟୀଠାରେ ଚାଲିଥିବା ତୃତୀୟ ସଂସ୍କରଣ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ନିର୍ଣ୍ଣାୟକ ଦ୍ବିତୀୟ ଶେଷ ଦିବସରେ ଓଡ଼ିଶା ମାତ୍ର ୨ କାଂସ୍ୟ ପଦକ ଯୋଡ଼ିଛି। ୧୭ ବର୍ଷରୁ କମ୍ ବାଳକ ଫୁଟ୍ବଲ୍ ଦଳ ଏବଂ ୨୧ ବର୍ଷରୁ କମ୍ ବାଳକ ହକି ଦଳ କାଂସ୍ୟ ପଦକ ହାସଲ କରିଛନ୍ତି। ଏଥି ସହିତ ଓଡ଼ିଶାର ମୋଟ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୬ ରୌପ୍ୟ ଏବଂ ୬ କାଂସ୍ୟ ରହିଛି।
ମଙ୍ଗଳବାର ଓଡ଼ିଶା ୧୭ ବର୍ଷରୁ କମ୍ ଫୁଟ୍ବଲ୍ ଦଳ ପ୍ଲେ ଅଫ୍ରେ ପଞ୍ଜାବକୁ ୩-୨ ଗୋଲ୍ରେ ହରାଇ ଦେଇଥିଲେ। ସେହିଭଳି ୨୧ ବର୍ଷରୁ କମ୍ ବାଳକ ହକିରେ ଓଡ଼ିଶା ଚଣ୍ଡୀଗଡ଼କୁ ୩-୧ରେ ହରାଇଥିଲେ। ଏହି ମ୍ୟାଚ୍ ପେନାଲଟି ସୁଟ୍ ଆଉଟ୍ରେ ଫଏସଲା ହୋଇଥିଲା। ନିୟମିତ ସମୟରେ ମ୍ୟାଚ୍ ୫-୫ ଗୋଲ୍ରେ ଶେଷ ହୋଇଥିଲା। ନିୟମିତ ସମୟରେ ଓଡ଼ିଶା ପାଇଁ ସମୀର ଏକ୍କା, (୧୫, ୨୮), ଅଭିଷେକ ଲାକ୍ରା (୩୮), ରାହୁଲ ଏକ୍କା (୪୪), ଅମନଦୀପ ଲାକ୍ରା (୫୯) ଗୋଲ୍ ଦେଇଥିଲେ। ସୁଟଆଉଟ୍ ବେଳେ ଓଡ଼ିଶା ଗୋଲ୍ରକ୍ଷକ ସାହିଲ କୁମାର ନାୟକ ପ୍ରତିପକ୍ଷର ପ୍ରଥମ ୩ ପ୍ରୟାସକୁ ପଣ୍ଡ କରିଦେବା ପରେ ସୁଶୀଲ ଧନୱାର, ସୁନିତ ଲାକ୍ରା ଏବଂ କୃ୍ଷ୍ଣ ତିର୍କିଙ୍କ ଗୋଲ୍ ବଳରେ ଓଡ଼ିଶା ବିଜୟୀ ହୋଇଥିଲା। ଏହି ବର୍ଗରେ ଉତ୍ତରପ୍ରଦେଶ ସ୍ବର୍ଣ୍ଣ ଏବଂ ହରିଆଣା ରୌପ୍ୟ ପଦକ ଜିତିଥିଲା। ୨୧ ବର୍ଷରୁ କମ୍ ବାଳିକା ହକିରେ ହରିଆନା, ଝାଡ଼ଖଣ୍ଡ, ମହାରାଷ୍ଟ୍ର ପ୍ରଥମ ୩ ସ୍ଥାନରେ ରହିଥିଲେ। ହକିରେ ଉପଲବ୍ଧ ୬ ପଦକରୁ ଓଡ଼ିଶାକୁ ମାତ୍ର ୨ ପଦକ ମିଳିଛି। ୧୭ ବର୍ଷରୁ କମ୍ ବାଳିକା ସୋମବାର ମଧ୍ୟ କାଂସ୍ୟ ଜିତିଥିଲେ।