ଭୁବନେଶ୍ବର: ଚଳିତ ମାସ ୨୨ରୁ ମାର୍ଚ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ କଟକରେ ଖେଳାଯିବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପାଇଁ ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟଗୁଡିକ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବିଗତ ୩ ବର୍ଷ ଧରି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ସଫଳତା ଅର୍ଜନ କରିଥିବା କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ବିଶ୍ବବିଦ୍ୟାଳୟ ସ୍ତରରୁ ପ୍ରତିଭା ଅନ୍ବେଷଣ କରି ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ କରିବା ଯୋଜନା କରିଛନ୍ତି। ପ୍ରଥମ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ଓଡ଼ିଶା ସରକାର, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଜାତୀୟ କ୍ରୀଡ଼ା ସଂଘ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ ସହଯୋଗରେ ଆୟୋଜିତ କରାଯାଇଛି। ବିଦ୍ୟାଳୟ ଏବଂ ଜାତୀୟସ୍ତରରୁ ପ୍ରତିଭା ଅନ୍ବେଷଣ ପରେ ଖେଲୋ ଇଣ୍ଡିଆ ଏହାର ପରିସରକୁ ବିଶ୍ବବିଦ୍ୟାଳୟ ସ୍ତରକୁ ବ୍ୟାପ୍ତ କରିବା ଲକ୍ଷ୍ୟରେ ଏହାକୁ ଆୟୋଜନ କରିଛି। ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକରେ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଢେର ଲୋକପ୍ରିୟ ଥିବାରୁ ସରକାର ସେହି ଧାରାରେ ଯୋଜନା ପ୍ରସ୍ତୁତ କରିଛନ୍ତି।
ଜୈନ ବିଶ୍ବବିଦ୍ୟାଳୟର ଟେନିସ୍ ଖେଳାଳି ରାହୁଲ ଶଙ୍କର ଏହି ପ୍ରତିଯୋଗିତାରେ ଭାଗନେବାକୁ ବେଶ ଉତ୍ସୁକତା ଦେଖାଇଛନ୍ତି। ବିଶ୍ବବିଦ୍ୟାଳୟସ୍ତରରେ ଏଭଳି କ୍ରୀଡ଼ା ପ୍ରତିଯୋଗିତା ନିଶ୍ଚିତ ଦେଶକୁ ଠିକଣା ପଥରେ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଜାତୀୟ ସ୍ତରରୁ ୭ ପଦକ ସହିତ ମୋଟ ୪୭ ପଦକ ଜିତିଥିବା ଭିଏନଏସ୍ଜି ବିଶ୍ବବିଦ୍ୟାଳୟର ଶୀର୍ଷସ୍ତରର ସନ୍ତରକ କଲ୍ୟାଣୀ ସାକ୍ସେନାଙ୍କ ଲକ୍ଷ୍ୟ ବିଶ୍ବବିଦ୍ୟାଳୟ ସ୍ତରରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିବା। ବିଶ୍ବବିଦ୍ୟାଳୟ କ୍ରୀଡ଼ା ଦେଶରେ ଭବିଷ୍ୟତ କ୍ରୀଡ଼ା ବଂଶଧରଙ୍କ ପାଇଁ ପରିବର୍ତନ ଆଣିଦେବ ବୋଲି କଲ୍ୟାଣୀଙ୍କ ପିତା ଆଶା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Khelo-India.jpg)