ଭୁବନେଶ୍ବର: ଶ୍ରୀନଗର ଡାଲ୍ ହ୍ରଦରେ ଶନିବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଜଳକ୍ରୀଡା ଉତ୍ସବରେ ଓଡ଼ିଶା ପ୍ରଥମ ଉପବିଜେତା ହୋଇ ଗୌରବ ଅର୍ଜନ କରିଛି। ଓଡ଼ିଶା ୪ ସ୍ବର୍ଣ୍ଣ, ୫ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୧୦ ପଦକ ଜିତିଥିଲା। ଶନିବାର ଶେଷ ଦିନରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଯୋଡ଼ି ଓଡ଼ିଶା ଦ୍ବିତୀୟ ସ୍ଥାନକୁ ଦୃଢ଼ ରଖିଥିଲା। ମଧ୍ୟପ୍ରଦେଶ (୧୦+୩+୫) ବିଜେତା ହୋଇଥିବାବେଳେ କେରଳ (୩+୧+୩) ଦ୍ବିତୀୟ ଉପବିଜେତା ହୋଇଛି।
ପୁରୁଷ ୧୦୦୦ ମିଟର୍ ସ୍କଲ୍ରେ ଅଭିରାଜ, ସି-୨ ମହିଳା ସ୍ପ୍ରିଣ୍ଟ୍ରେ ରଶ୍ମିତା ସାହୁ, ଏଚୋବାମ ସନାତୋମ୍ବି ଦେବୀ ଏବଂ କେ୪ ୫୦୦ ମିଟର୍ ମହିଳା ସ୍ପ୍ରିଣ୍ଟ୍ରେ ବିଦ୍ୟା ଦେବୀ ଓନମ, ଶ୍ରୁତି ତନାଜୀ ଚୌଗୁଲେ, ଲେଇଚୋନବାମ ସୋନିଆ ଦେବୀ, କୋନସାମ ୟାଫାତୋମ୍ବି ଦେବୀ ତିନିଟିଯାକ ସ୍ବର୍ଣ୍ଣ ପଦକ ଜିତିଥିଲେ। ଫଳରେ ବ୍ୟକ୍ତିଗତ ଭାବେ ରଶ୍ମିତା ସାହୁ ଦୁଇଟି ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ଲାଇଟ୍ୱେଟ୍ ଡବଲ୍ ସ୍କଲ୍ ମହିଳା ୧୦୦୦ ମିଟରରେ ସ୍ବିଟୀ ଓ ଆଂଶିକା ଭାରତୀ ଏବଂ ଡବଲ୍ ସ୍କଲ୍ ମହିଳା ୧୦୦୦ ମିଟରରେ ଭାଗ୍ୟଶ୍ରୀ ଘୁଲେ ଓ ଗୁରଶରଣପ୍ରୀତ୍ କୌର୍ ରୌପ୍ୟ ପଦକ ହାସଲ କରିଥିଲେ। ଏକମାତ୍ର କାଂସ୍ୟ ପଦକଟି ଜିତିଥିଲେ ମହିଳା ୧୦୦୦ ମିଟର୍ କକ୍ସଲେସ୍ ଫୋର୍ସ ଦଳ। ଏହି ଦଳରେ ସୋନାଲି ସ୍ବାଇଁ, ଅନୁଷ୍କା ପଟେଲ୍, ସୋନାଲିକା ଦାସ ଓ ଅରୁଣପ୍ରୀତ୍ କୌର। ଓଡ଼ିଶା ଦଳର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଖେଳାଳିମାନଙ୍କୁ ଓଡ଼ିଶା କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ ଦାଶ ଅଭିନନ୍ଦନ ଜଣାଇଛନ୍ତି।