ଭୁବନେଶ୍ବର: ସିଲଂରେ ସୋମବାର ରାତିରେ ଉଦ୍ଯାପିତ ଖେଲୋ ଇଣ୍ଡିଆ ପୂର୍ବାଞ୍ଚଳ ମହିଳା ଜୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାରୁ ଗସ୍ତ କରିଥିବା ୨୩ ଜଣିଆ ଦଳ ପ୍ରଥମ ଥର ପ୍ରଭାବୀ ପ୍ରଦର୍ଶନ କରି ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୮ ପଦକ ଜିତିଛନ୍ତି। ଉପକନିଷ୍ଠରେ ସାରା ମହାପାତ୍ର ରୌପ୍ୟ ଜିତିଥିଲା ବେଳେ ତନୁଶ୍ରୀ କାଂସ୍ୟ ପାଇଥିଲେ। କ୍ୟାଡେଟ୍ରେ ସ୍ମୃତି ପ୍ରଜ୍ଞା ନାୟକ ସ୍ବର୍ଣ୍ଣ ପଦକ ପାଇଥିଲେ ଏବଂ ସାନିୟା ଗମାଙ୍ଗୋ କାଂସ୍ୟ ଜିତିଥିଲେ। କନିଷ୍ଠରେ ସ୍ମୃତିପ୍ରଜ୍ଞା ନାୟକ ରୌପ୍ୟ ଏବଂ ଦୁଲି ମୁର୍ମୁର ଓ ନମ୍ରତା ଦର୍ଜି କାଂସ୍ୟ ଜିତିଥିଲେ। ବରିଷ୍ଠ ବର୍ଗରେ ମଧ୍ୟ ସ୍ମୃତିପ୍ରଜ୍ଞା ରୌପ୍ୟ ଜିତିଥିଲେ।
ତନୁଶ୍ରୀଙ୍କୁ ରାଜେଶ ନାୟକ, ସାରାଙ୍କୁ ଗୀତାଞ୍ଜଳି ପଣ୍ଡା, ସାନିୟା ଓ ଡୁଲିଙ୍କୁ କନ୍ଦନ ମୁର୍ମୁ, ନମ୍ରତାଙ୍କୁ ଦେବେନ୍ଦ୍ର ଜୈନ ପ୍ରଶିକ୍ଷଣ ଦେଇ ପଦକ ବିଜେତା କରାଇଛନ୍ତି। ସେହିଭଳି ପାରାଦୀପରେ ପ୍ରଶିକ୍ଷଣ ଦେଉଥିବା ବିଶ୍ବଜିତ ମାହାରୀ ଓ ଲୋପାମୁଦ୍ରା ପତିଙ୍କ ମାର୍ଗଦର୍ଶନରେ ପ୍ରଜ୍ଞା ନାୟକ ୩ ପଦକ ଜିତି ଇତିହାସ ରଚିଛନ୍ତି। ଖେଳାଳିମାନଙ୍କୁ ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ ସମ୍ପାଦକ ପିକେ ମିଶ୍ର ଓ ସିଇଓ ଗୀତାଞ୍ଜଳି ପଣ୍ଡା ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।