ଖେଲୋ ଇଣ୍ଡିଆରେ ଓଡ଼ିଆ ‘ପିତା-ପୁତ୍ର’ ସଞ୍ଜୟ-ସତୀଶ

ଓଡ଼ିଶା ପାଇଁ ଅସିଚାଳନା ପଦକ ଜିତିବାକୁ ଚାହାନ୍ତି ସତୀଶ

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଗୋଟିଏ ପରିବାରର ଏକାଧିକ ଖେଳାଳି ଏକାଠି ଖେଳୁଛନ୍ତି। ସନ୍ତରଣରେ ଯାଆଁଳା ଭଉଣୀ ଜ୍ୟୋତି ଓ ଆରତୀ ପାଟିଲ ଧୁମ୍ ମଚାଇଥିଲା ବେଳେ କ୍ରୀଡ଼ା ପରିଚାଳନାରେ ଓଡ଼ିଆ ପିତା-ପୁତ୍ର ସଞ୍ଜୟ ଗଡ଼ନାୟକ ଓ ସତୀଶ ଗଡ଼ନାୟକ ସଫଳତାର ସହ ନିଜ ନିଜ ଦାୟିତ୍ବ ନିର୍ବାହ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ପ୍ରତିଷ୍ଠିତ ଦୌଡ଼କୁଦ ପ୍ରଶିକ୍ଷକ ସଞ୍ଜୟ ସଂପ୍ରତି କିଟ୍ ବିଶ୍ବବିଦ୍ୟାଳୟ ଦଳର କଣ୍ଟିଜେଣ୍ଟ୍ ମ୍ୟାନେଜର ଅଛନ୍ତି। ତାଙ୍କ ପୁତ୍ର ସତୀଶ ଗଡ଼ନାୟକ ଅସିଚାଳନା ପ୍ରତିଯୋଗିତାର ବୈଷୟିକ ଅଧିକାରୀ ଥିଲେ। ସଞ୍ଜୟ କିଟ୍ ତରଫରୁ ଖେ‌ଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସାମିଲ ହୋଇଥିଲା ବେଳେ ଭାରତୀୟ ନୌସେନାରେ ଜେସିଏ (ଜୁନିଅର କମିସନଡ୍ ଅଫିସର) ଭାବେ କାର୍ଯ୍ୟରତ ସତୀଶ ଭାରତୀୟ ନୌସେନା କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ନୂଆଦିଲ୍ଲୀ ପକ୍ଷରୁ ବୈଷୟିକ ଅଧିକାରୀ ନିଯୁକ୍ତ ହୋଇଥିଲେ। ଜଣେ ଅନ୍ତର୍ଜାତୀୟ ସ୍ତରର ଅସିଚାଳକ ହେବା ସହ ସତୀଶ ରାଜସ୍ଥାନର ଜନାର୍ଦନ ରାଇ ନଗର ରାଜସ୍ଥାନ ବିଦ୍ୟାପୀଠ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟ ପରିଚାଳନାରେ ସ୍ନାତକଶିକ୍ଷା ଲାଭ କରିଛନ୍ତି। ପୂର୍ବରୁ ବହୁ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ ଦୌଡ଼କୁଦ ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ନିଯୁକ୍ତ ହୋଇ ସାରିଥିବା ସଞ୍ଜୟ ଓ ଅନ୍ତର୍ଜାତୀୟ ଅସିଚାଳକ ସତୀଶ ଓଡ଼ିଶାର ପ୍ରଥମ ପିତା-ପୁତ୍ର ଯୋଡ଼ି ଭାବେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସାମିଲ ହୋଇଛନ୍ତି। ସଞ୍ଜୟ ଓଡ଼ିଶା କ୍ରୀଡ଼ା ପ୍ରତି ଦେଇଥିବା ଅବଦାନ ଲାଗି ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବିଜେତା। ଅନ୍ୟପକ୍ଷରେ ସତୀଶ ନିଜ ୧୫ ବର୍ଷର ଖେଳ ଜୀବନରେ ଅନେକ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି।

ପିତା ଦୌଡ଼କୁଦ ଜଗତରେ ସକ୍ରିୟ ଥିଲେ ମଧ୍ୟ ସତୀଶ ପିଲାଟିବେଳୁ ଅସିଚାଳନା ପ୍ରତି ଆକର୍ଷିତ ଥିଲେ। ୨୦୦୩ରେ ଏହି ବିପଜ୍ଜନକ କ୍ରୀଡ଼ାରେ ପାଦ ଥାପିଥିବା ସତୀଶ ପରବର୍ଷ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କାଂସ୍ୟ ପଦକ ହାସଲ କରିଥିଲେ। ଏହା ପରେ ଥାଇଲାଣ୍ଡ ଓପନ୍, କୁଏତ୍ ଓପନ୍, ଏସୀୟ ଅସିଚାଳନା, ଫେଡେରେସନ୍ କପ୍, ଦକ୍ଷିଣ ଏସୀୟ ଅସିଚାଳନା ପ୍ରତିଯୋଗିତା, କନିଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଖେଳରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଥିଲେ। ଆଗକୁ ସେ ୨୦୨୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଶ୍ରୀଲଙ୍କାରେ ୨୦୨୧ରେ ଆୟୋଜିତ ହେବାକୁ ଥିବା‌ ସାଫ୍ କ୍ରୀଡ଼ା, ୨୦୨୧ ରାଜ୍ୟ ଗୋଷ୍ଠୀ ଚାମ୍ପିଅନସିପ୍ ଓ ୨୦୨୩ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି।

୨୦୦୪ ମସିହାରୁ ଅସିଚାଳନାର ବିଭିନ୍ନ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସତୀଶ ପୂର୍ବରୁ ପଞ୍ଜାବ, ଦିଲ୍ଲୀ, ଏସ୍‌ଏସ୍‌ପିବି ଓ ମହାରାଷ୍ଟ୍ରର ପ୍ରତିନିଧିତ୍ବ କରି ସାରିଛନ୍ତି। ଅସିଚାଳନା‌ର ତିନିଟି ବର୍ଗ ଯଥା ଫଏଲ, ଇପି ଓ ସାବ୍ରେ ମଧ୍ୟରୁ ଇପିରେ ସେ ଅଧିକ ଶକ୍ତିଶାଳୀ। ଏହି ବର୍ଗରେ ହିଁ ସତୀଶ ଆଗକୁ ଅଧିକରୁ ଅଧିକ ପଦକ ଜିତିବାକୁ ଚାହାନ୍ତି। ଓଡ଼ିଶାରେ ଅସିଚାଳନାରେ ସେମିତି କିଛି ସୁଯୋଗ ନଥିବାରୁ ବାହାର ରାଜ୍ୟରୁ ଖେଳିବାକୁ ସତୀଶ ବାଧ୍ୟ ହେଉଥିଲେ। ହେଲେ ସଂପ୍ରତି ଓଡ଼ିଶା ସରକାର ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଓ ଅଗ୍ରାଧିକାର ଦେଉଛନ୍ତି। ସେଥିପାଇଁ ଆଗାମୀ ଜାତୀୟ କ୍ରୀଡ଼ାରେ ସେ ଓଡ଼ିଶାର ପ୍ରତିନିଧିତ୍ବ କରିବାକୁ ଚାହୁଁଛନ୍ତି। ଓଡ଼ିଶା ପକ୍ଷରୁ ଖେଳି ୨୦୨୪ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଭୁବନେଶ୍ବର ଆସିଥିବା ଅବସରରେ ‘ସମ୍ବାଦ’ ସହ କଥା‌ହେଲା ବେଳେ ସତୀଶ କହିଛନ୍ତି ଯେ ଅସିଚାଳନା ଏକ ବ୍ୟୟ ବହୁଳ ଖେଳ। ଏଥିଲାଗି ଶାରୀରିକ ଫିଟ୍‌ନେସ ସହ ମାନସିକ ଫିଟନେସର ମଧ୍ୟ ଢେର ଗୁରୁତ୍ବ ଥାଏ। ନିଜକୁ ଫିଟ୍ ରଖିପାରିଲେ ମୁଁ ୪୦ ବର୍ଷ ଯାଏ ଖେଳି ପାରିବି। ଏବେ ସୁଦ୍ଧା ପରିବାରର ସହଯୋଗ ଏବଂ ନିଜସ୍ବ ଉଦ୍ୟମରେ ମୁଁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆସୁଛି। ହେଲେ ଅଲିମ୍ପିକ୍ସ ଭଳି ବଡ଼ ପ୍ରତିଯୋଗିତା ଲାଗି ଉନ୍ନତ ଓ ଆଡଭାନ୍ସ ପ୍ରଶିକ୍ଷଣର ଢେର ଆବଶ୍ୟକତା ରହିଛି। ଅନ୍ୟରାଜ୍ୟର ପ୍ରତିଯୋଗୀଙ୍କୁ ସେଠାକାର ସରକାର ସବୁ ପ୍ରକାର ସମର୍ଥନ ଦେଉଛନ୍ତି। ଓଡ଼ିଶା ସରକାରଙ୍କ ସମର୍ଥନ ଓ ସହଯୋଗ ପାଇଲେ ମୁଁ ମୋ ନିଜ ରାଜ୍ୟରୁ ଖେଳିବାକୁ ଚାହିଁବି। ଓଡ଼ିଶାରୁ ଖେଳି ଅଲିମ୍ପିକ୍ସ ଗଲେ ଅଧିକ ଖୁସି ହେବି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ପ୍ରୋତ୍ସାହନକୁ ପ୍ରଶଂସା କରିବା ସହ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ବିଶ୍ବସ୍ତରୀୟ ଆୟୋଜନ ଲାଗି ସେ ରାଜ୍ୟ ସରକାର ଓ କିଟ୍ ବିଶ୍ବବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର