ଭୁବନେଶ୍ବର : ମଧ୍ୟପ୍ରଦେଶରର ହୋସଙ୍ଗାବାଦରେ ଚାଲିଥିବା ଖେଲୋ ଇଣ୍ଡିଆ କନିଷ୍ଠ ବାଳିକା ସନ୍ତରଣ ଶୃଙ୍ଖଳାର ଦ୍ବିତୀୟ ଦିନରେ ଓଡ଼ିଶା ଖେଳାଳିମାନେ ଆଉ ୭ ପଦକ ଜିତିଛନ୍ତି। ପ୍ରଥମ ଦିନରେ ୨ ସ୍ବର୍ଣ୍ଣ ସହ ୮ ପଦକ ଅମଳ କରିଥିବା ଓଡ଼ିଶା ଦଳ ରବିବାର ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ ପଦକ ଜିତିଛି। ଶନିବାର ୨ ପଦକ ଜିତିଥିବା ଭଦ୍ରା ଶତପଥୀ ଆଉ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରବିବାର ଭଦ୍ରା ୧୮ ବର୍ଷରୁ କମ୍ ୪୦୦ ମିଟର୍ ଫ୍ରିଷ୍ଟାଇଲ୍ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ୧୦୦ ମିଟର୍ ଫ୍ରିଷ୍ଟାଇଲ୍ରେ ମଧ୍ୟ ପ୍ରଥମ ସ୍ଥାନ ଦଖଲ କରିଥିଲେ। ୪୦୦ ମିଟର୍ ଫ୍ରିଷ୍ଟାଇଲ୍ରେ ଚତୁର୍ଥରେ ରହି ପଦକରୁ ବଞ୍ଚିତ ଦାସପ୍ରୀତ୍ କୌର ସୋଢ଼ୀ ୨୦୦ ମିଟର୍ ବ୍ୟାକଷ୍ଟ୍ରୋକ୍ରେ ସ୍ବର୍ଣ୍ଣ ପଦକ ଜିତି ଦୁଃଖ ଦୂର କରିଥିଲେ।
୧୮ ବର୍ଷରୁ କମ୍ ୧୦୦ ମିଟର୍ ବ୍ରେଷ୍ଟଷ୍ଟ୍ରୋକ୍ରେ ମହିକା ମହାକୁଡ ଓ ଦାସପ୍ରୀତ୍ କୌର ସୋଢ଼ୀ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ସେହିଭଳି ୧୫ ବର୍ଷରୁ କମ୍ ୨୦୦ ମିଟର୍ ବ୍ୟାକଷ୍ଟ୍ରୋକ୍ରେ ନୟନତାରା କାର୍ତ୍ତିକେୟନ୍ ଓ ପ୍ରାଚୀ ଭରଦ୍ବାଜ ପାଢ଼ୀ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ଦ୍ବିତୀୟ ଦିନ ସୁଦ୍ଧା ଭଦ୍ରା ଶତପଥୀ ୩ ସ୍ବର୍ଣ୍ଣ ସହ ବ୍ୟକ୍ତିଗତ ଭାବେ ୪ ପଦକ ଜିତିଥିବା ବେଳେ ମହିକା ମହାକୁଡ ୩ଟି, ଆକାଂକ୍ଷା ନାୟକ, ନୟନତାରା କାର୍ତ୍ତିକେୟନ, ଦାସପ୍ରୀତ୍ କୌର ସୋଢ଼ୀ ୨ଟି ଲେଖାଏଁ ଏବଂ ଅଲିଭା ସାମଲ, ପ୍ରାଚୀ ଭରଦ୍ବାଜ ପାଢ଼ୀ ଗୋଟିଏ ଲେଖାଏଁ ପଦକ ଜିତିଛନ୍ତି। ଓଡ଼ିଶା ଦଳ ସହ ଅଫିସିଆଲ୍ ଭାବେ ରାଜୁ ପ୍ରଧାନ (ପ୍ରଶିକ୍ଷକ), ଡକ୍ଟର ସୌମ୍ୟଶ୍ରୀ ମିଶ୍ର (ଫିଜିଓ), ସୁଶୀଳା ବିଶ୍ବାଳ, ଡକ୍ଟର ଶୋଭେନ କୁମାର (ଉଭୟ ପ୍ରବଂଧକ) ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/khelo-india.jpg)