ଭୁବନେଶ୍ବର: ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ କନିଷ୍ଠ ବାଳିକା ସନ୍ତରଣ ଶୃଙ୍ଖଳାର ପ୍ରଥମ ଦିନରେ ଓଡ଼ିଶା ଖେଳାଳିମାନେ ୨ ସ୍ବର୍ଣ୍ଣ ସହ ୮ ପଦକ ଅର୍ଜନ କରିଛନ୍ତି। ୧୮ ବର୍ଷରୁ କମ୍ ବର୍ଗରେ ଭଦ୍ରା ଶତପଥୀ, ଆକାଂକ୍ଷା ନାୟକ, ମହିକା ମହାକୁଡ ୨ଟି ଲେଖାଏଁ ପଦକ ଜିତିଛନ୍ତି। ୨୦୦ ମିଟର୍ ଫ୍ରିଷ୍ଟାଇଲ୍ରେ ଭଦ୍ରା ସ୍ବର୍ଣ୍ଣ ଏବଂ ଆକାଂକ୍ଷା ରୌପ୍ୟ ପଦକ ଜିତିଥିଲେ। ଭଦ୍ରା ଏହା ପରେ ୨୦୦ ମିଟର୍ ବ୍ୟକ୍ତିଗତ ମେଡ୍ଲେରେ ରୌପ୍ୟ ପଦକ ହାସଲ କରିଥିଲେ। ସେହି ବୟସ ବର୍ଗର ୧୦୦ ମିଟର୍ ବ୍ୟାକଷ୍ଟ୍ରୋକ୍ରେ ଅକାଂକ୍ଷା ନାୟକ ସ୍ବର୍ଣ୍ଣ ଏବଂ ମହିକା ମହାକୁଡ ରୌପ୍ୟ ପଦକ ଜିତିଥିଲେ। ମହିଳା ୨୦୦ ମିଟର୍ ବ୍ରେଷ୍ଟ୍ଷ୍ଟ୍ରୋକ୍ରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ୧୮ ବର୍ଷରୁ କମ୍ ୧୦୦ ବଟର୍ ଫ୍ଲାଏ ଷ୍ଟ୍ରୋକ୍ରେ ଅଲିଭା ସାମଲ କାଂସ୍ୟ ଏବଂ ୧୫ ବର୍ଷରୁ କମ୍ ୧୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ନୟନତାରା କାର୍ତ୍ତିକେୟନ୍ କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶା ଦଳ ସହ ପ୍ରଶିକ୍ଷକ ଭାବେ ରାଜୁ ପ୍ରଧାନ, ଫିଜିଓ ଡକ୍ଟର ସୌମ୍ୟାଶ୍ରୀ ମିଶ୍ର, ପ୍ରବନ୍ଧକ ଭାବେ ସୁଶୀଳା ବିଶ୍ବାଳ ଏବଂ ଡ. ଶୋଭେନ କୁମାର ମଧ୍ୟପ୍ରଦେଶ ଯାଇଛନ୍ତି।
ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ଚାଲିଥିବା ମହିଳା ହକି ଲିଗ୍ (୧୬ ବର୍ଷରୁ କମ୍)ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ୧୩-୦ରେ ସିଟିଜେନ୍ ହକି ଏକାଦଶକୁ ପରାସ୍ତ କରିଛି। ଓଡ଼ିଶା ଦଳ ପକ୍ଷରୁ ଅର୍ଜନା ଖାଲକୋ ଏକା ୪ଟି (୧୮, ୩୩, ୩୫ ଓ ୫୮ ମିନିଟ୍) ଏବଂ ଅମିଶା ଏକ୍କା (୧୯, ୨୫, ୫୧) ଓ ମନିକା ତିର୍କି (୨୦, ୨୨, ୩୮ ମିନିଟ୍) ୩ ଲେଖାଏଁ ଗୋଲ୍ ଦେଇଥିଲେ। ସୁସ୍ମିତା ଡୁଙ୍ଗଡୁଙ୍ଗ (୨୯ ମିନିଟ୍), ପ୍ରେମଶୀଳା ବାଗେ (୪୫ ମିନିଟ୍), ପ୍ରିୟଙ୍କା କାଣ୍ଡୁଲା (୫୨ ମିନିଟ୍) ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ସାଇ-ବି ଏବଂ ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚ ଗୁଣବତ୍ତା କେନ୍ଦ୍ର ମଧ୍ୟରେ ଖେଳାଯାଇଥିବା ଅନ୍ୟଏକ ମୁକାବିଲା ୨-୨ ଗୋଲ୍ରେ ଅମିମାଂସିତ ରହିଥିଲା। ପୁଲ୍-ବି’ର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ନେହାରାକି ଟେପ୍ପା (୪୦ ମିନିଟ୍) ଓ ଡୋଲି ଭୋଇ (୪୭ ମିନିଟ୍) ଓଡ଼ିଶା ନାଭାଲ ଟାଟା ହକି ପକ୍ଷରୁ ଏବଂ ଲାଲପେକ୍ସାଙ୍ଗ୍ବାମ୍ (୪ ମିନିଟ୍) ଓ ଅଧିନାୟିକା ଆକାକ୍ଷା ପାଲ୍ (୫୬ ମିନିଟ୍) ସାଇ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।