ଖେଲୋ ଇଣ୍ଡିଆ ହକି: ଓଡ଼ିଶାର ଦ୍ବିତୀୟ ବିଜୟ

ଭୁବନେଶ୍ବର: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଖେଲୋ ଇଣ୍ଡିଆ କନିଷ୍ଠ (୨୧ ବର୍ଷରୁ କମ୍) ହକି ଲିଗ୍‌ରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ନାଁରେ ଖେଳୁଥିବା ଓଡ଼ିଶା ଦଳ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ଶୁକ୍ରବାର ପ୍ରଥମ ମୁକାବିଲାରେ ଏକତରଫା ଭାବେ ସାଇ (ବି) ଦଳକୁ ୩-୦ରେ ଧୂଳି ଚଟାଇଥିବା ଓଡ଼ିଶା ଦଳ ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ୪-୧ ଗୋଲ୍‌ରେ ଓଡ଼ିଶା ନାଭାଲ ଟାଟା ହକି ହାଇପର୍ଫର୍ମାନ୍ସକୁ ପରାସ୍ତ କରିଛି।

ଶନିବାରର ମୁକାବିଲାରେ ଓଡ଼ିଶା ଦଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ବାର୍ଟର ଗୋଲ୍ ଶୁନ୍ୟ ରହିବା ପରେ ଦ୍ବିତୀୟ କ୍ବାର୍ଟରର ପଞ୍ଚମ ମିନିଟ୍‌ରେ ପ୍ରେମାଞ୍ଜଳି ଟପ୍ପୋ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଓଡ଼ିଶାକୁ ଆଗୁଆ କରିଦେଇଥିଲେ।

୩୩ତମ ମିନିଟ୍‌ରେ କମଳା ସିଂହଙ୍କ ଫିଲ୍ଡ ଗୋଲ୍ ବଳରେ ନାଭାଲ ନାଟା ଏଚ୍‌ପିସି କିନ୍ତୁ ସ୍ଥିତି ୧-୧ କରି ନେଇଥିଲା। ତେବେ ପରବର୍ତ୍ତୀ ସମୟରେ ଓଡ଼ିଶା ତିନିଟି ଗୋଲ୍ ଦେଇ ସହଜ ବିଜୟ ହାସଲ କରିଥିଲା। ଏହି ଗୋଲ୍‌ଗୁଡ଼ିକ ଆତେନ ଟପ୍ନୋ, ଜାହ୍ନବୀ ପ୍ରଧାନ ଓ ମୁକ୍ତା ଯୋଯୋ ଦେଇଥିଲେ। ଅଲିମ୍ପିଆନ୍ ଲାଜରୁସ ବାର୍ଲା ଓଡ଼ିଶା ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିଲା ବେଳେ କଲ୍ଲୋଳ ମୁଖାର୍ଜୀ ପ୍ରବନ୍ଧକ ରହିଛନ୍ତି। ସୋଭେନ୍ କୁମାର ଫିଜିଓ ଦାୟିତ୍ବ ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର