ଭୁବନେଶ୍ବର: ମୁମ୍ବାଇ ବିଶ୍ବବିଦ୍ୟାଳୟର ଯମଜ ଭଉଣୀ ଜ୍ୟୋତି ପାଟିଲ୍ ଓ ଆରତୀ ପାଟିଲ୍ଙ୍କ ଚମକରେ କଳିଙ୍ଗ ଷ୍ଟାଡିୟମ୍ର ସନ୍ତରଣାଗାର ଚମକି ଉଠିଥିଲା। ଚଳିତବର୍ଷ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ମୁମ୍ବାଇର ଏହି ଦୁଇ ପ୍ରତିଭା ଦୁଇଦିନ ଭିତରେ ସନ୍ତରଣରେ ୬ ପଦକ ଜିତିସାରିଲେଣି। ତାଙ୍କର ଏହି ପ୍ରତିଭା ଦେଖି ସମସ୍ତେ ତାଜୁବ୍ ହୋଇଯାଇଛନ୍ତି। ଦୁହେଁ ଏକାଠି ଅଭ୍ୟାସ କରନ୍ତି, ଉଭୟେ ଉଭୟଙ୍କର ପ୍ରଶିକ୍ଷକ ମଧ୍ୟ ପାଲଟି ଯାଆନ୍ତି। ଉଭଣୀ ହେବା ସହିତ ଦୁହେଁ ବହୁତ ଭଲ ସାଙ୍ଗ, ଯାହା ତାଙ୍କୁ ପ୍ରତିଯୋଗିତାରେ ଅଧିକ ଶକ୍ତିଶାଳୀ କରିଥାଏ। ତାମିଲ ଚଳଚ୍ଚିତ୍ରକୁ ପସନ୍ଦ କରୁଥିବା ଜ୍ୟୋତି ଓ ଆରତୀଙ୍କୁ ଦେଖିଲେ ଯମଜ କଳାକାରଙ୍କୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ରଗୁଡିକ ଆପଣଙ୍କୁ ବାସ୍ତବ ଲାଗିପାରେ। କାରଣ ଦୁହିଁଙ୍କ ଚେହେରା ଦେଖିବାକୁ ପୂରା ଏକାଭଳି। ବାପା ବାଜିରାଓ ପାଟିଲ୍ ଅଲିମ୍ପିକ୍ସ ସନ୍ତରଣରେ ପଦକ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ, କିନ୍ତୁ ସଫଳ ନହେବାରୁ ଦୁଇ ଝିଅଙ୍କ ଭିତରେ ନିଜ ଲକ୍ଷ୍ୟକୁ ହାସଲ କରିବାର ସ୍ବପ୍ନ ଦେଖିଥିଲେ। ବାପା ବାଜିରାଓ ପାଟିଲ୍ ମୁମ୍ବାଇ ପୁଲିସରେ କାର୍ଯ୍ୟରତ। ବାପାଙ୍କ ସ୍ବପ୍ନ ସାକାର କରିବାକୁ ଜୋର୍ଦାର ପ୍ରୟାସ ଆରମ୍ଭ କରିଛନ୍ତି ଦୁଇ ଭଉଣୀ। ଯେତେବେଳେ ୪ ବର୍ଷ ହୋଇଥିଲା, ଭାରତର ଦ୍ବାରଦେଶ (ଗେଟ୍ ୱେ ଅଫ୍ ଇଣ୍ଡିଆ) ଠାରୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ସନ୍ତରଣରେ ଅଲମ୍ପିକ୍ସ ପଦକ ଜିତିବା ଅଭିଯାନ। ଯମଜଙ୍କୁ ନେଇ ଆୟୋଜିତ ପ୍ରତିଯୋଗିତାରେ ଦୁହେଁ ପ୍ରଥମଥର ଭାଗନେଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଉଭୟେ ଶତାଧିକ ପଦକ ହାସଲ କରିସାରିଛନ୍ତି। ଖେଲୋ ଇଣ୍ଡିଆ ୟୁଥ୍ର ଦ୍ବିତୀୟ ସଂସ୍କରଣ, ପୁଣେରେ ମଧ୍ୟ ଜ୍ୟୋତି ସନ୍ତରଣରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ।
ଖେଲୋ ଇଣ୍ଡିଆ: କଳିଙ୍ଗରେ ଯାଆଁଳା ଭଉଣୀଙ୍କ କମାଲ୍
/sambad/media/post_attachments/wp-content/uploads/2020/02/dgjh854d98gjh7d98gj7dgj54dg65j4dg65j465dg4j65dgjdgjdgjdgjdgdgjgdjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)