ଖେଲୋ ଇଣ୍ତିଆ : ଓଡ଼ିଶା ବାଳକ ହକି ଦଳକୁ କା˚ସ୍ୟ

ବାଳିକା ଫୁଟ୍‌ବଲର୍‌ ଗ୍ରୁପ୍ ବିଜେତା

କଟକ: ମୁମ୍ବାଇରେ ଚାଲିଥିବା ଖେଲୋ ଇଣ୍ତିଆ ଯୁବ କ୍ରୀଡ଼ା ଅଭିଯାନର ୧୭ ବର୍ଷରୁ କମ୍‌ ହକିରେ ଓଡ଼ିଶା ବାଳକ ଦଳ କା˚ସ୍ୟ ପଦକ ଜିତିଛି। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ୩-୨ ପେନାଲିଟ୍‌ ସୁଟଆଉଟ୍‌ରେ ଉତ୍ତରପ୍ରଦେଶକୁ ହରାଇଛି। ନିର୍ଧାରିତ ସମୟରେ ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା। ଏହାପରେ ପେନାଲ୍‌ଟି ସୁଟଆଉଟରେ ଓଡ଼ିଶା ପାଇଁ ଲାବନ ଲୁଗୁନ, ସୁନୀଲ ଜୋଜୋ ଓ ଅଧିନାୟକ ସୁନୀତ ଲାକ୍ରା ଗୋଲ୍‌ ଦେବାରେ ସଫଳ ହୋଇଥିଲା ବେଳେ ସୁଦୀପ କିର୍ମାକୋ ଓ ଲିବନ ଏକ୍କା ସୁଯୋଗ ହାତଛଡ଼ା କରିଥିଲେ। ଉତ୍ତର ପ୍ରଦେଶର ଅଜିତ କୁମାର, ଅଜୟ ଯାଦବ ଓ ଅରୁଣ ସାହାଣୀ ଗୋଲ୍‌ ଦେଇପାରିନଥିଲେ। ତେବେ ଚନ୍ଦନ ଯାଦବ ଓ ଦୀପକ ପଟେଲ ଦୁଇଟି ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍‌ ବାଳିକାରେ ସୋମବାର ଓଡ଼ିଶା ୪-୨ ଗୋଲ୍‌ରେ ମିଜୋରାମକୁ ହରାଇଛି।

ଖେଲୋ ଇଣ୍ଡିଆର ୧୭ ବର୍ଷରୁ କମ୍ ଓଡ଼ିଶା ବାଳିକା ଦଳ ହ୍ୟାଟ୍ରିକ୍ ବିଜୟ ସହିତ ନିଜ ଗ୍ରୁପ୍‌ରେ ବିଜେତା ହୋଇଛି। ଏଥି ସହିତ ଅପରାଜିତ ରହି ଓଡ଼ିଶା ଦଳ ସେମିଫାଇନାଲ୍‌ ଉଠିଛି। ୧୭ ତାରିଖରେ ଗ୍ରୁପ୍ ‘ବି’ ଉପ ବିଜେତା ସହିତ ଓଡ଼ିଶା ସେମିଫାଇନାଲ୍ ଖେଳିବ ବୋଲି ପ୍ରଶିକ୍ଷକ ମମତା କୁମାରୀ ସାମନ୍ତ ସୂଚନା ଦେଇଛନ୍ତି। ପୂର୍ବରୁ ମହାରାଷ୍ଟ୍ରକୁ ୨-୦ ଏବଂ ହିମାଚଳ ପ୍ରଦେଶକୁ ୩୬-୦ରେ ପରାସ୍ତ କରି ସାରିଥିବା ଓଡ଼ିଶା ବାଳିକାମାନେ ସୋମବାର ୫-୧ ଗୋଲ୍‌ରେ କେରଳକୁ ପରାସ୍ତ କରିଥିଲା। ଦଳ ପାଇଁ ଦୀପା ନାଏକ ଦୁଇଟି ଗୋଲ୍ ଦେଇଥିବାବେଳେ ମନୀଷା ନାଏକ, ସୁସ୍ମିତା ତନ୍ତୀ, ବନ୍ୟା କବିରାଜ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ୨୧ ବର୍ଷରୁ କମ୍‌ ଓଡ଼ିଶା ଖୋ ଖୋ ଦଳ ସୋମବାର ଏକ ପାଳି ଓ ୧୮-୬ରେ କର୍ଣ୍ଣାଟକକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର