ଖେଲୋ ଇଣ୍ଡିଆରୁ ଓଡ଼ିଶାକୁ ଆଉ ୩ ପଦକ

ଭୁବନେଶ୍ବର: ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ଚତୁର୍ଥ ଦିବସରେ ୩ ପଦକ ଜିତିଛନ୍ତି। ଶନିବାର ଓଡ଼ିଶା ପାଇଁ ଯୁବ ଜୁଡ଼ୋକା ରାଜେଶ ସାହୁ କାଂସ୍ୟ ପଦକ ଜିତିଥିଲେ। ୨୧ ବର୍ଷରୁ କମ୍ ବାଳକ ୬୦ କିଲୋଗ୍ରାମ ବର୍ଗରେ ରାଜେଶ ମିଜୋରାମ ଏବଂ ପଶ୍ଚିମବଙ୍ଗ ପ୍ରତିଯୋଗୀଙ୍କୁ ହରାଇ ଏହି ସଫଳତା ପାଇଥିଲେ। ଜୁଡ଼ୋରେ ଓଡ଼ିଶାରୁ ଅନ୍ୟ ୪ ଜଣ ଭାଗ ନେଇଥିଲେ ମଧ୍ୟ ୨ ଜଣ ପଦକ ଲଢ଼େଇରେ ହାରିଯାଇଥିଲେ। ତେବେ ୨ ବର୍ଷ ପରେ ଓଡ଼ିଶା ଜୁଡ଼ୋ‌ରୁ ଜାତୀୟ ସ୍ତରର ପଦକ ଜିତିବା ଆରମ୍ଭ କରିଛି। ଭୁବନେଶ୍ବର ଜୁଡ଼ୋ ହଲରେ ଅଭ୍ୟାସରତ ରାଜେଶଙ୍କୁ ଓଡ଼ିଶା ଜୁଡ଼ୋ ସଂଘ ସଭାପତି ପ୍ରିୟବ୍ରତ ପଟ୍ଟନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା ଏବଂ ବୈଷୟିକ ସମ୍ପାଦକ କନ୍ଦନ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ଭାରୋତ୍ତୋଳନରେ ଓଡ଼ିଶା ପାଇଁ ଚତୁର୍ଥ ପଦକ ଜିତିଛନ୍ତି ଦେବକୀ ଖିଲୋ। ୧୭ ବର୍ଷରୁ କମ୍ ବାଳିକା ୬୪ କିଲୋଗ୍ରାମରେ ଦେବକୀ ରୌପ୍ୟ ପଦକ ଜିତିଛନ୍ତି। ସ୍ନାଚରେ ୬୪ କିଲୋ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୮୩ କିଲୋଗ୍ରାମ ଉତ୍ତୋଳନ କରି ମୋଟ ଉପରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିଭଳି ଦୌଡ଼କୁଦରୁ ଓଡ଼ିଶା ପାଇଁ ଦ୍ବିତୀୟ ପଦକ ଜିତିଛନ୍ତି ମନୀଷା ମେରେଲ। ୨୧ ବର୍ଷରୁ କମ୍ ବାଳିକା ଲଙ୍ଗଜମ୍ପ୍‌ରେ ମନୀଷା ୫.୮୩ ମିଟର ଲମ୍ଫ ମାରି କାଂସ୍ୟ ପଦକ ହାସଲ କରିଥିଲେ। ୧୦ ମିଟର୍ ଏୟାର ରାଇଫଲ୍‌ରେ କାଶିକା ପ୍ରଧାନ ୧୬୦.୯୧ ପଏଣ୍ଟ୍ ସ୍କୋର୍ କରିଥିଲେ ମଧ୍ୟ ଷଷ୍ଠ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ୧୦୦ ମିଟର୍ ବାଧାଦୌଡ଼ରେ କିଟ୍‌ର ପ୍ରଞ୍ଜା ପ୍ରଶାନ୍ତି ସାହୁ (୧୪.୩୪ ସେକେଣ୍ଡ୍‌), ୧୭ ବର୍ଷରୁ କମ୍ ବାଳକ ଜିମ୍ନାଷ୍ଟିକ୍ସରେ ଜଗଦୀଶ ବାରିକ ଟେବୁଲ୍ ଭଲ୍ଟରେ ରୌପ୍ୟ ଏବଂ ଅନ୍ତର୍ଜାତୀୟ ସନ୍ତରିକା ପ୍ରତ୍ୟାଶା ରାୟ ୧୭ ବର୍ଷରୁ କମ୍‌ ବର୍ଗର ୧୦୦ ମିଟର୍ ବ୍ୟାକ୍‌ ଷ୍ଟ୍ରୋକ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ। ପ୍ରଥମ ଦୁଇ ଦିନ ଭାରୋତ୍ତୋଳନରୁ ମୟୂରଭଞ୍ଜର ଅନ୍ତର୍ଜାତୀୟ ଅଭିଜ୍ଞ ସ୍ନେହା ସୋରେନ୍‌ ସ୍ବର୍ଣ୍ଣ (୪୯ କିଲୋଗ୍ରାମ, ବାଳିକା), ଗଞ୍ଜାମର ଭକ୍ତରାମ ଦେଠୀ ସ୍ବର୍ଣ୍ଣ (୪୯ କେଜି, ବାଳକ) ଏବଂ ମୁନା ନାୟକ ( ୫୫ କେଜି, ବାଳକ) ରୌପ୍ୟ ପଦକ ପାଇଥିଲେ। ଏଥି ସହିତ ଓଡ଼ିଶାର ମୋଟ ପଦକ ସଂଖ୍ୟା ୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର