ଖେଲୋ ଇଣ୍ଡିଆ: ଟେନିସ୍ ଛାଡ଼ି ସନ୍ତରଣରେ ଶିବା ସଫଳ

ଭୁବନେଶ୍ବର (ମଳୟ କୁମାର ପରିଡ଼ା): ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ସନ୍ତରଣରେ କର୍ଣ୍ଣାଟକର ଜୈନ୍ ବିଶ୍ବବିଦ୍ୟାଳୟ ଦମଦାର ପ୍ରଦର୍ଶନ କରିଛି। ରବିବାର ସନ୍ତରଣର ୧୦ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା, ସେଥିରୁ ୭ ପଦକ ସହିତ ଜୈନ ବିଶ୍ବବିଦ୍ୟାଳୟ ଶୀର୍ଷ ସ୍ଥାନ ହାସଲ କରିଥିଲା। ଜୈନ ବିଶ୍ବବିଦ୍ୟାଳୟର ଶିବା ଶ୍ରୀଧର ସର୍ବାଧିକ ଦୁଇଟି ପଦକ ଜିତିଛନ୍ତି। ସେ ୪୦୦ ମିଟର ଫ୍ରି ଷ୍ଟାଇଲ୍ ପୁରୁଷରେ ସ୍ବର୍ଣ୍ଣ ଓ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକରେ ରୌପ୍ୟ ପଦକ ଜିତିଛନ୍ତି। ଦକ୍ଷିଣ ଏସୀୟ କ୍ରୀଡ଼ାର ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ୧୫ ବର୍ଷ ବିଭାଗର ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକରେ କାଂସ୍ୟ ପଦକ ହାସଲ କରିବା ସହିତ ଆନ୍ତର୍ଜାତିକ ସ୍ତରରେ ଖେଳ ଜୀବନର ପ୍ରଥମ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ୨୦୧୯ ଡିସେମ୍ବରରେ ହୋଇଥିବା ଦକ୍ଷିଣ ଏସିୟ କ୍ରୀଡ଼ାରେ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଭବିଷ୍ୟତରେ ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ଆମର ଲକ୍ଷ୍ୟ ଅଲିମ୍ପିକ୍ସ ପଦକ ଜିତିବା, ଆଉ ଏହି ପ୍ରତିଯୋଗିତା ଆମକୁ ଏଥିପାଇଁ ବହୁତ ସହଯୋଗ କରିବ। ଏହା ବ୍ୟତୀତ ସାରା ଦେଶର ଯୁବ ପ୍ରତିଭାଙ୍କୁ ସାମ୍ନାକୁ ଆଣିବା ପାଇଁ ଏହା ସବୁଠୁ ବଡ଼ ପ୍ରୟାସ। ଏହା ସହିତ ଏଭଳି ପ୍ରୟାସ ଜାରି ରହିଲେ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ନିଶ୍ଚୟ ବଢ଼ିବ ବୋଲି ଶିବା କହିଛନ୍ତି। ବାପା ଶ୍ରୀଧର ଓ ମା ଅନୁରାଧାଙ୍କୁ ନିଜ ସଫଳତାର ସବୁଠୁ ଅଧିକ ଶ୍ରେୟ ଦିଅନ୍ତି ଶିବା। ଶ୍ରୀଧର ଏଲକେଏମ୍ କମ୍ପାନୀରେ ବରିଷ୍ଠ ଅଧିକାରୀ ଭାବେ କାମ କରନ୍ତି। ଖେଳିବା ପାଇଁ ଜୈନ ବିଶ୍ବବିଦ୍ୟାଳୟ ମଧ୍ୟ ଶିବାଙ୍କୁ ବହୁତ ସହଯୋଗ କରିଛି।

ଟେନିସ୍‌ରୁୁ ସନ୍ତରଣ
ସାଢ଼େ ୪ ବର୍ଷ ବୟସରୁ ସନ୍ତରଣ କରୁଥିବା ଶିବା ପ୍ରଥମେ ଟେନିସ୍ ଖେଳିବାକୁ ଇଚ୍ଛୁକ ଥିଲେ। ଚାଲିବା ବେଳେ ତାଙ୍କର ଦୁଇ ଗୋଡ଼ ବାଜୁଥିବା କାରଣରୁ ସେ ଟେନିସ୍ ଖେଳିପାରିବେ ନାହିଁ ବୋଲି ଜାଣିଲେ। ପରେ ନିଜ ସ୍କୁଲରେ ସନ୍ତରଣଗ‌ାରା ଥିବାରୁ ଧୀରେ ଧୀରେ ସନ୍ତରଣରେ ତାଙ୍କର ରୁଚି ବଢ଼ିଲା।

ଓଡ଼ିଶା ସବୁଠୁ ନିଆରା
ଓଡ଼ିଶାରେ କ୍ରୀଡ଼ା ପାଇଁ ବହୁତ ଭଲ ଭିତ୍ତିଭୂମି ରହିଛି। ଓଡ଼ିଶାର ଲୋକ ହିଁ ନିଆରା, ସମସ୍ତେ ବହୁତ ସହଯୋଗୀ, ଦୟାଳୁ ଓ ମିଶାଳିଆ। କଳିଙ୍ଗ ଷ୍ଟାଡିୟମ୍‌ରେ ବହୁତ ଭଲ ବ୍ୟବସ୍ଥା କରାଯାଇଛି। ସନ୍ତରଣ ପାଇଁ ଏଠାକାର ସନ୍ତରଣଗାରା ବହୁତ ଭଲ ଅଛି।

ସମ୍ବନ୍ଧିତ ଖବର