ରାଜନୀତି ଖେଳରେ ବଳି ପଡ଼ିଛି ‘ଖେଲୋ ଇଣ୍ଡିଆ’

ଖେଳ ବିଭାଗର ଭିତିରି ଖେଳ-୬

ସମ୍ବଲପୁର,: ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଭାରତ ସରକାରଙ୍କ ଦ୍ୱାରା ‘ଖେଲୋ ଇଣ୍ଡିଆ’ ଯୋଜନା ଆରମ୍ଭ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏହି ‘ଖେଲୋ ଇଣ୍ଡିଆ’ ଯୋଜନାକୁ ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ ନାହିଁ। ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ଗତ ବର୍ଷ ରାଜ୍ୟ କ୍ରୀଡ଼ା ବିଭାଗ ଓଡ଼ିଶାରେ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମର ଆୟୋଜନ କରି ନଥିଲା। ଏହି କାରଣରୁ ରାଜ୍ୟ ପ୍ରାୟ ୧୦ କୋଟି ଟଙ୍କାର ଅନୁଦାନ ହରାଇଥିଲା। ଚଳିତ ବର୍ଷ ମଧ୍ୟ ଏ ପର୍ଯ୍ୟନ୍ତ ‘ଖେଲୋ ଇଣ୍ଡିଆ’ ନେଇ କୌଣସି କାର୍ଯ୍ୟକ୍ରମ ବିଭାଗ ପକ୍ଷରୁ ଆରମ୍ଭ କରାଯାଇ ନାହିଁ। ତେଣୁ ଓଡ଼ିଶାର ଖେଳ ଓ ଖେଳାଳି ଏହି ଯୋଜନାର ସୁଫଳରୁ ବଞ୍ଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ କରା ନଯିବା ପଛରେ ରାଜନୀତି ଥିବା କୁହାଯାଉଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋରସୋର୍‌ରେ ପ୍ରଚାର କରୁଛନ୍ତି। ଅଲିମ୍ପିକ୍‌ ପଦକ ବିଜେତା କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର ଏହି ଯୋଜନାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏହାର ଶ୍ରେୟ ସିଧାସଳଖ କେନ୍ଦ୍ରକୁ ଯିବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାର ଶାସକ ଦଳକୁ ତୁଷ୍ଟ କରିବା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଏହି କାମ ପାଇଁ ନିଯୁକ୍ତ ୩ ଜଣ ଡାଟା ଏଣ୍ଟ୍ରି ଅପରେଟର୍‌ (ଡିଇଓ)ଙ୍କୁ ବିଗତ ୨ ବର୍ଷ ଧରି ବିନା କାମରେ ଦରମା ଦିଆଯାଉଛି।
କ୍ରୀଡ଼ା ଓ ଯୁବସେବା ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ୨୦୧୨ ମସିହା ଏପ୍ରିଲ ପହିଲାରୁ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା କ୍ରୀଡ଼ା ଓ ଯୁବସେବା ନିର୍ଦ୍ଦେଶାଳୟର ଏକତ୍ରୀକରଣ କରାଯାଇ କେବଳ କ୍ରୀଡ଼ା ଓ ଯୁବସେବା ବିଭାଗ ରହିଥିଲା। ଏହି ବ୍ୟବସ୍ଥାରେ ନିର୍ଦ୍ଦେଶାଳୟ ଅଧୀନରେ ଥିବା ପଦବି ସବୁ ଉଚ୍ଛେଦ କରାଯାଇ କିଛି ନୂଆ ପଦ ସୃଷ୍ଟି କରାଗଲା। ଏହି କ୍ରମରେ ବିଭାଗୀୟ ବିଜ୍ଞପ୍ତି ସଂଖ୍ୟା ୧୮୫୨୭ ତା. ୩୧.୧୨.୨୦୧୪ ଅନୁସାରେ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ (କ୍ରୀଡ଼ା) ପଦକୁ ଉଚ୍ଛେଦ କରାଯାଇ ନୂଆ କରି ଅନୁସଚିବ (କ୍ରୀଡ଼ା) ପଦ ସୃଷ୍ଟି କରାଗଲା। ବିଭାଗର ବରିଷ୍ଠ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ବରିଷ୍ଠ ପ୍ରଶିକ୍ଷକଙ୍କ ଏକ ମିଳିତ ଗ୍ରେଡେସନ ତାଲିକା ପ୍ରସ୍ତୁତ କରାଯାଇ ତହିଁରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭାଗୀୟ ପଦୋନ୍ନତି କମିଟି ଦ୍ୱାରା ମନୋନୀତ କରାଯାଇ ଉକ୍ତ ପଦରେ ଅବସ୍ଥାପିତ କରିବା ବ୍ୟବସ୍ଥା ହୋଇଥିଲା। ତେବେ ବିଭାଗୀୟ କର୍ତୃପକ୍ଷ ସଂପୃକ୍ତ ପଦ ପୂରଣ କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରି ଚାଲିଛନ୍ତି। ଗ୍ରେଡେସନ୍‌ ତାଲିକାର ୧ ନମ୍ବର ସ୍ଥାନରେ ଥିବା ଜଣେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ବିରୋଧରେ ଭିଜିଲାନ୍‌ସ ମାମଲା ବିଚାରାଧୀନ ଥିବାରୁ ଅନୁସଚିବ ପଦକୁ ୩ ବର୍ଷ ହେଲା ପୂରଣ କରାଯାଇ ନାହିଁ। ଓଲଟି ବରିଷ୍ଠତାକୁ ଉପେକ୍ଷା କରି ଗ୍ରେଡେସନ୍‌ ତାଲିକାର ଚତୁର୍ଥ ସ୍ଥାନରେ ଥିବା ଜଣେ କ୍ରୀଡ଼ା ଅଧିକାରୀଙ୍କୁ ସହକାରୀ ନିର୍ଦ୍ଦେଶକ (କ୍ରୀଡ଼ା) ପଦରେ କାର୍ଯ୍ୟ କରିବାକୁ ଦିଆ ଯାଉଛି। ସେହିପରି ଗ୍ରେଡେସନ୍‌ ତାଲିକାର ପଞ୍ଚମ ସ୍ଥାନରେ ଥିବା ଜଣେ କ୍ରୀଡ଼ା ଅଧିକାରୀଙ୍କୁ ସ୍ୱତନ୍ତ୍ର ଅଧିକାରୀ (ଖେଲୋ ଇଣ୍ଡିଆ) ଭାବେ ବିଭାଗରେ ଅବସ୍ଥାପିତ କରାଯାଇଛି। ଏନେଇ ଅନ୍ୟ କ୍ରୀଡ଼ା ଅଧିକାରୀ ଓ ପ୍ରଶିକ୍ଷକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲେ ବି ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉ ନାହିଁ। ଏ ସଂପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ବହୁବାର ଟେଲିଫୋନ କରା ଯାଇଥିଲେ ବି ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ଖେଲୋ ଇଣ୍ଡିଆ ସ୍ୱତନ୍ତ୍ର ଅଧିକାରୀ ଜ୍ଞାନରଂଜନ ପରିଡ଼ା କହିଛନ୍ତି ଯେ କେନ୍ଦ୍ର ସରକାର ‘ଖେଲୋ ଇଣ୍ଡିଆ’ ପାଇଁ ଅର୍ଥ ଦେଉ ନାହାନ୍ତି। ତେଣୁ ଏହି କାର୍ଯ୍ୟକ୍ରମ ଚାଲିପାରୁ ନାହିଁ। ବିନା କାରଣରେ ଖେଲୋ ଇଣ୍ଡିଆ ଯୋଜନାରେ କର୍ମଚାରୀ ନିଯୁକ୍ତି କରାଯାଇ କାହିଁକି ଦରମା ଦିଆଯାଉଛି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ପୂର୍ବରୁ ପ୍ରଚଳିତ ପାଇକା ଓ ରାଜୀବ ଗାନ୍ଧୀ ଖେଳ ଅଭିଯାନର କାମ ଏପର୍ଯ୍ୟନ୍ତ ଶେଷ ହୋଇ ନଥିବାରୁ ଆମ ୟୁନିଟ୍‌ ଉକ୍ତ କାମରେ ନିୟୋଜିତ ଅଛି।

ସମ୍ବନ୍ଧିତ ଖବର