ଖେଲୋଇଣ୍ଡିଆ ବିଶ୍ବବିଦ୍ୟାଳୟ: ତୀରନ୍ଦାଜି ରିକର୍ଭ ଦଳଗତ ରାଙ୍କିଙ୍ଗ୍‌ରେ କିଟ୍ ପ୍ରଥମ

ଭୁବନେଶ୍ବର: ଖେଲୋଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଦ୍ବନ୍ଦ୍ବିତା ପର୍ବର ଦ୍ବିତୀୟ ଦିନରେ ଶନିବାର ତୀରନ୍ଦାଜି, ଭଲିବଲ୍, ହକି, ଫୁଟ୍‌ବଲ୍, ବାସ୍କେଟବଲ୍, ଟେନିସ୍ ଓ ଅସିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତୀରନ୍ଦାଜି ମହିଳା ରିକର୍ଭ ଯୋଗ୍ୟତା ପର୍ଯ୍ୟାୟରେ ବିଶ୍ବ ରିକର୍ଭ କ୍ୟାଡେଟ୍ ବିଜୟିନୀ କୋଲାନ ବିଶ୍ବବିଦ୍ୟାଳୟର କୋମୋଲିକା ବରି ୬୬୫ ପଏଣ୍ଟ ପାଇ ଅଗ୍ରଣୀ ରହିଥିଲେ। ପୁରୁଷ କମ୍ପାଉଣ୍ଡରେ ପଞ୍ଜାବ ବିଶ୍ବବିଦ୍ୟାଳୟର ସଙ୍ଗମପ୍ରୀତ ବିସଲା ପ୍ରଥମ ସ୍ଥାନରେ ଦିନ ଶେଷ କରିଥିଲେ। ବାଳକ ରିକର୍ଭ ଦଳଗତରେ କିଟ୍ ବିଶ୍ବବିଦ୍ୟାଳୟ ଶୀର୍ଷ ସ୍ଥାନରେ ରହିଥିଲା ବେଳେ ବ୍ୟକ୍ତିଗତରେ ସନ୍ତ ବଜେ ବାବା ଅମରାବତୀ ବିଶ୍ବବିଦ୍ୟାଳୟର ସତ୍ୟମ ପାଟିଲ ଓ ଗୌରବ ଲମ୍ବେ ୬୬୦ ଓ ୬୫୯ ପଏଣ୍ଟ ସହ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ବାଳିକ ଦଳଗତ କମ୍ପାଉଣ୍ଡରେ ପଞ୍ଜାବୀ ବିଶ୍ବବିଦ୍ୟାଳୟ ଦଳଗତରେ ପ୍ରଥମ ସ୍ଥାନ ଏବଂ ବ୍ୟକ୍ତିଗତରେ ରାଣୀ ଦୁର୍ଗାବତୀ ବିଶ୍ବବିଦ୍ୟାଳୟର ମୁସ୍କାନ କିରାର (୬୯୫) ଓ ରାଗିଣୀ ମାର୍କୋ (୬୯୩) ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିଲେ। ଅସିଚାଳନାର ସେମିଫାଇନାଲରେ ପଞ୍ଜାବ ବିଶ୍ବବିଦ୍ୟାଳୟର କାଜଲ ଓ ରିୟା ବକ୍ସି (କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଜମ୍ମୁ) ସମାନ ୧୫-୮ରେ ବିଜୟୀ ହୋଇଥିଲେ। ସେହିଭଳି ମଣିପୁର ବିଶ୍ବବିଦ୍ୟାଳୟର ଲିଥୋଇ ହାଓବାମ, ଜଗମିତ କୌର (ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ) ଓ ସାନ୍ୟା (ପଞ୍ଜାବ ବିଶ୍ବବିଦ୍ୟାଳୟ) ପ୍ରମୁଖ ନିଜ ନିଜ ମ୍ୟାଚ୍ ଜିତି ନେଇଥିଲେ।

ଟେନିସ୍‌ରେ ସିଦ୍ଧାନ୍ତ-ଆଦିତ୍ୟ ପରାଜିତ
ଟେନିସର ଉଭୟ ଏକକ ଓ ଦଳଗତରେ ଆୟୋଜକ କିଟ୍ ବିଶ୍ବବିଦ୍ୟାଳୟ ଶନିବାର ପରାଜିତ ହୋଇଥିଲା। ଏକକରେ କିଟ୍‌ର ସିଦ୍ଧାନ୍ତ ମହତଙ୍କୁ ମହିଶୁର, ଶାରୀରିକ ଶିକ୍ଷା ନିର୍ଦେଶକ ବିଶ୍ବବିଦ୍ୟାଳୟର ଜି ମନୀଷ ୬-୦, ୬-୦ ସିଧାସଳଖ ସେଟ୍‌ରେ ହରାଇ ଦେଇଥିଲେ। ସେହିଭଳି ଆଦିତ୍ୟ ଶତପଥୀଙ୍କୁ ମହିଶୁର, ଶାରୀରିକ ଶିକ୍ଷା ନିର୍ଦେଶକ ବିଶ୍ବବିଦ୍ୟାଳୟର ବଶିଷ୍ଟ ଚେରୁକୁ ୬-୧, ୬-୧ରେ ମାତ୍ ଦେଇଥିଲେ। ଯୁଗଳରେ ଆଦିତ୍ୟ-ସିଦ୍ଧାନ୍ତ ‌ଯୋଡ଼ିକୁ ମନୀଷ-ବଶିଷ୍ଟ ଯୋଡ଼ି ୬-୩, ୬-୭ ଓ ୧୦-୨ରେ ହରାଇ ନିଜ ଦଳକୁ ୩-୦ରେ ବିଜୟୀ କରାଇଥିଲେ।

ଭଲିବଲ୍‌ରେ ଉତ୍କଳ ହାରିଲା
ଭଲିବଲ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ୦-୩ରେ କାଲିକଟ୍ ଶାରୀରିକ ଶିକ୍ଷା ନିର୍ଦେଶକ ବିଶ୍ବବିଦ୍ୟାଳୟଠାରୁ ପରାଜିତ ‌ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଆର୍‌ଏମ୍ ବିଶ୍ବବିଦ୍ୟାଳୟ (ତାମିଲନାଡୁ), ମହାତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟ (କେରଳ), ହିମାଚଳପ୍ରଦେଶ ବିଶ୍ବବିଦ୍ୟାଳୟ, କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ, ପଞ୍ଜାବ ବିଶ୍ବବିଦ୍ୟାଳୟ ପ୍ରମୁଖ ନିଜ ନିଜ ମ୍ୟାଚ୍ ଜିତିଥିଲେ।

ମହିଳା ହକିରେ ସମ୍ବଲପୁରକୁ ହରାଇଲା ରାଞ୍ଚି
ମହିଳା ହକିରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଡ଼ା ଟକ୍କର ଦେଇଥିଲେ ମଧ୍ୟ ରାଞ୍ଚି ବିଶ୍ବବିଦ୍ୟାଳୟଠାରୁ ୨-୧ରେ ହାରି ଯାଇଥିଲା। ସମ୍ବଲପୁର ପକ୍ଷରୁ ଏକମାତ୍ର ଗୋଲ୍ ୫୫ ମିନିଟ୍‌ରେ ଜାହ୍ନବୀ ପ୍ରଧାନ ଦେଇଥିଲେ। ରାଞ୍ଚି ପକ୍ଷରୁ ୧୭ ଓ ୨୫ ମିନିଟ୍‌ରେ ପ୍ରମିଳା ସୋରେଙ୍ଗ ଓ ବେତନ ଡୁଙ୍ଗଡୁଙ୍ଗ ଦେଇଥିଲେ। ଅନ୍ୟପକ୍ଷରେ ମହିଶୁର-ମାଙ୍ଗାଲୋର, ଆଇଟିଏମ୍ ମଧ୍ୟପ୍ରଦେଶ-ଗୁରୁ ନାନକ ଦେବ, ମ୍ୟାଚ୍ ୦-୦ରେ ଅମୀମାଂସିତ ରହିଥିଲା। ହରିଆଣାର ଏମ୍‌ଡି ବିଶ୍ବବିଦ୍ୟାଳୟ ୬-୧ରେ ପଞ୍ଜାବୀ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା।

ଦାୟିତ୍ବରେ ଓଡ଼ିଆ ଅଧିକାରୀ
ଭୁବନେଶ୍ବର: ଭୁବନେଶ୍ବର ଓ କଟକରେ ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାରୁ ଏକାଧିକ କ୍ରୀଡ଼ା ପରିଚାଳକ, ପ୍ରଶିକ୍ଷକ ଏବଂ ପ୍ରବଂଧକଙ୍କୁ ଦାୟିତ୍ବ ମିଳିଛି। ଯୁବ ହକି ଅମ୍ପାୟାର ନିଶାନଜ୍ୟୋତି ମହାନ୍ତିଙ୍କୁ ପ୍ରତିଯୋଗିତାର ହକି ପର୍ଯ୍ୟାୟ ଲାଗି ଶନିବାର ବୈଷୟିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ନିଶାନ ପୂର୍ବରୁ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାର, ବୈଷୟିକ ଅଧିକାରୀ ଓ ବିଚାରକ ଦାୟିତ୍ବ ତୁଲାଇ ସାରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ହକି ପ୍ରୋ ଲିଗ୍‌ର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ମଧ୍ୟ ସେ ଟାଇମ୍‌ ଓ ସ୍କୋରିଂ ବିଚାରକ ଥିଲେ। ତାଙ୍କ ପୂର୍ବ ସଫଳତା ଦେଖି ନିଶାନଙ୍କ ଉପରେ ହକି ଇଣ୍ଡିଆ ପୁଣି ଥରେ ଆ‌ସ୍ଥା ପ୍ରକଟ କରିଛି। ସୂଚନାଯୋଗ୍ୟ ଯେ ଓଡ଼ିଶାର ବିଶ୍ବରଞ୍ଜନ ଷଡ଼ଙ୍ଗୀ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ହକି ପ୍ରତିଯୋଗିତା ପ୍ରବନ୍ଧକ ଥିଲା ବେଳେ ରାଜିନ ଏକ୍କା ଅମ୍ପାୟାର ଦାୟିତ୍ବରେ ରହିଛନ୍ତି। ଏହୁ ସଫଳତା ଲାଗି ନିଶାନଙ୍କୁ ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀ ଅଭିନନ୍ଦନ ଜଣାଇଛନ୍ତି। ନିଶାନ ସହଯୋଗ ଓ ସମର୍ଥନ ପାଇଁ ନିଯୁକ୍ତି ଦାତା ପୂର୍ବତଟ ରେଳବାଇକୁ ଧନ୍ୟବାଦ ଦେଇଛନ୍ତି।

ସେହିଭଳି‌ ଜୁଡ଼ୋ ପରିଚାଳନା ଦାୟିତ୍ବରେ ରହିଛନ୍ତି ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା, ପ୍ରଶିକ୍ଷକ ଶ୍ରଦ୍ଧାଞ୍ଜଳି ପଣ୍ଡା ଏବଂ କିସ୍‌ ଜୁଡ଼ୋ ପ୍ରଶିକ୍ଷକ କାନ୍ଦନ ମୁର୍ମୁ। କଳିଙ୍ଗ ଷ୍ଟାଡିୟମ୍‌ ସନ୍ତରଣାଗାରରେ ଖେଳାଯିବାକୁ ଥିବା ସନ୍ତରଣ ପ୍ରତିଯୋଗିତା ଲାଗି ଦିଲାୱାର ହୋସେନ୍, ଜୟକିଷନ ପଟେଲ୍‌, ରାଜେନ୍ଦ୍ର କୁମାର ମିଶ୍ର, ଲକ୍ଷ୍ମୀ ଚନ୍ଦ୍ର ମହାକୁଡ଼, ଆଶୁତୋଷ ନାୟକ, ଗୋଲାପମଣୀ ମହ‌ନ୍ତ, ରାଜୀବ ଲୋଚନ ଦାସ ଦାୟିତ୍ବରେ ରହିଛନ୍ତି। ଏମାନଙ୍କୁ ଶନିବାର ଭାରତୀୟ ସନ୍ତରଣ ସଂଘ ଉପ ସଭାପତି କମଲେଶ ନାନାବତି ମାର୍ଗଦର୍ଶନ ଦେଇଥିଲେ। ଅନ୍ୟପକ୍ଷରେ ଟେନିସ୍‌ ପ୍ରତିଯୋଗିତାକୁ ମୋଟ ୫୫ ଜଣ ପରିଚାଳନା କରୁଥିବା ବେଳେ ଓଡ଼ିଶାରୁ ଜଣେ ମାତ୍ର ପ୍ରବୀର ନାୟକ ସ‌ୁଯୋଗ ପାଇଛନ୍ତି। ଡମିଣ୍ଟନ୍‌ ସ୍ପର୍ଧା ପାଇଁ ରାଜ୍ୟର ପ୍ରତିଷ୍ଠିତ ପ୍ରଶିକ୍ଷକ ମନୋଜ କୁମାର ସାବତଙ୍କ ଅଧୀନରେ ରୀତା ଦାସ, ବିଜୟ କୁମାର ଦାଶ, ସ୍ବାଧୀନ ମିଶ୍ର, ସୁଧୀର କୁମାର ମିଶ୍ର, ଉମା ଶଙ୍କର ମହନ୍ତ ଏବଂ ସୁବାଷଚନ୍ଦ୍ର ସାହୁ କଟକ ଜେଏନ୍ ଇନ୍‌ଡୋର ଷ୍ଟାଡିୟମ୍‌ରେ ମ୍ୟାଚ୍‌ ପରିଚାଳନା ଡକରା ପାଇଛନ୍ତି।

ପ୍ରତିଭା ଅନ୍ବେଷଣ ଦାୟିତ୍ବରେ ଅନୁରାଧା
ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଜାତୀୟ ରେକର୍ଡଧାରୀ ବାଧାଦୌଡ଼ାଳି ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳଙ୍କୁ ପ୍ରତିଭା ଅନ୍ବେଷଣ ଦାୟିତ୍ବ ଅର୍ପଣ କରାଯାଇଛି। ଭବିଷ୍ୟତ ତାରକା ଖୋଜିବାରେ ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ସହଯୋଗ କରିବେ। ଏଥିପାଇଁ ଅନୁରାଧା ସାଇର ମହାନିର୍ଦେଶକ ସନ୍ଦୀପ ପ୍ରଧାନ, ଓଡ଼ିଶା ସରକାର, ନାଲକୋ, କିଟ୍ ବିଶ୍ବବିଦ୍ୟାଳୟକୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର