ଶୁକ୍ରବାରଠାରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) କ୍ରୀଡ଼ା ମନ୍ତ୍ରଣାଳୟର ଏକ ଚମତ୍କାର ପ୍ରୟାସ। ଯାହାକି ବିଶ୍ବବିଦ୍ୟାଳୟ ସ୍ତରରେ ବହୁ ପ୍ରତୀକ୍ଷିତ ଆବଶ୍ୟତକା ପୂରଣ କରିପାରିବ। ଏହା ପୂର୍ବରୁ ଖେଲୋ ଇଣ୍ଡିଆ ତୃଣମୂଳସ୍ତରରୁ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କରିବାରେ ବଡ଼ ଭୂମିକା ତୁଲାଇଛି। ଏବେ ବିଶ୍ବବିଦ୍ୟାଳୟ ସ୍ତରରେ ୨୫ ବର୍ଷରୁ କମ୍ ଖେଳାଳିମାନଙ୍କୁ ସେମାନଙ୍କ କ୍ରୀଡ଼ା ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ମିଳିଛି। ବିଶ୍ବବିଦ୍ୟାଳୟ କ୍ରୀଡ଼ା ଏହି ଦୃଷ୍ଟିରୁ ଗୁରୁତ୍ବ ବହନ କରିବ, ଯାହାକି ଏଥିରୁ ପଦକ ବିଜେତାମାନେ ହିଁ ପରବର୍ତୀ ସମୟରେ ଭାରତ ପାଇଁ ଉଚ୍ଚସ୍ତର ତଥା ଅଲିମ୍ପିକ୍ ସମେତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିପାରିବେ। ସାରା ବିଶ୍ବରେ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଯଥେଷ୍ଟ ଗୁରୁତ୍ବ ଆଗରୁ ରହିଛି। ଆମେରିକା ଏକ୍ଷେତ୍ରରେ ସବୁଠୁ ଆଗୁଆ ରହିଛି। ଦୁର୍ଭାଗ୍ୟବଶତଃ ଭାରତ ଶିକ୍ଷା ଓ କ୍ରୀଡ଼ାକୁ ଭିନ୍ନ ଭିନ୍ନ ଭାବେ ବିଚାର କରୁଥିବାରୁ ପଛରେ ପଡ଼ିଯାଇଥିଲା। ହେଲେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ଧନ୍ୟବାଦ ପାଇବାର ହକ୍ଦାର। ଶିକ୍ଷାନୁଷ୍ଠାନରେ କ୍ରୀଡ଼ାକୁ ମିଳିତ ଭାବେ ଗୁରୁତ୍ବ ଦିଆଗଲେ ଭାରତରୁ ଦକ୍ଷ କ୍ରୀଡ଼ାବିତ୍ଙ୍କ ସଂଧାନ ମିଳିପାରିବ। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା ସାଧାରଣତଃ ପାଠପଢ଼ା ଚାପରେ ରହିଥାନ୍ତି। ହେଲେ ବିଶ୍ବବିଦ୍ୟାଳୟ ଏଥିରୁ ପ୍ରାୟତଃ ମୁକ୍ତ ରହିଥାନ୍ତି। ତେଣୁ ସେମାନେ ହିଁ କ୍ରୀଡ଼ା ଉପରେ ଅଧିକ ଧ୍ୟାନ ଦେଇପାରିବେ। ଆଉ କେଆଇୟୁଜି ବିଶ୍ବବିଦ୍ୟାଳୟ ପିଲାଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ପ୍ଲାଟ୍ଫର୍ମ ହେବ। ଏପରିକି କେଆଇୟୁଜି ଯୁବ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ। ଏହାର ଭରପୁର ସୁଯୋଗ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉଠାଇବା ଆବଶ୍ୟକ। ଭାରତ ଏକ ବୃହତ୍ ରାଷ୍ଟ୍ର। ଯେଉଁଠାରେ କି ଅସଂଖ୍ୟ ପ୍ରତିଭା ପୂରି ରହିଛି। ଅଧିକାଂଶ ଲୋକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଚାହୁଁଥିଲେ ମଧ୍ୟ ତୁଳନାତ୍ମକ ଭାବେ କ୍ରୀଡ଼ା ଉପକରଣର ଅଭାବ ହିଁ ଆମକୁ ଆଗଗୁ ବଢ଼ିବାକୁ ଦେଉନଥିଲା। କିନ୍ତୁ ଏବେ କେଆଇୟୁଜି ଆୟୋଜନ ପାଇଁ ସରକାରଙ୍କ ସମର୍ଥନକୁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି।
ଯୁବ ଭାରତୀୟଙ୍କୁ ପ୍ରେରଣା ଦେବ କେଆଇୟୁଜି, ପୁଲେଲା ଗୋପୀଚାନ୍ଦ
/sambad/media/post_attachments/wp-content/uploads/2020/01/khelo-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)