ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ରଗ୍‌ବି: ଓଡ଼ିଶାକୁ ୨ ସ୍ବର୍ଣ୍ଣ ଦେଲେ କିଟ୍‌-ଉତ୍କଳ

ରଗ୍‌ବିରୁ ସ୍ବର୍ଣ୍ଣ-ରୌପ୍ୟ, ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ-ରୌପ୍ୟ

ଭୁବନେଶ୍ବର: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରୁ ଶୁକ୍ରବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ ଓ ୨ ରୌପ୍ୟ ପଦକ ମିଳିଛି। ରାଜ୍ୟର ଅନ୍ୟତମ ପ୍ରମୁଖ ବିଶ୍ବବିଦ୍ୟାଳୟ କିଟ୍‌ର ମହିଳା ରଗ୍‌ବି ଦଳ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଦଳ ରୌପ୍ୟ ପଦକ ଜିତି ଏହି ଗୌରବ ଆଣିଛନ୍ତି। ରଗ୍‌ବି ଇଭେଣ୍ଟର ଶେଷ ଦିନ କିଟ୍ ବିଶ୍ବବିଦ୍ୟାଳୟ ମହିଳା ଦଳ ଫାଇନାଲ୍‌ରେ ମୁମ୍ବାଇ ବିଶ୍ବବିଦ୍ୟାଳୟକୁ ୫୬-୦ରେ ପରାସ୍ତ କରିଥିଲା। ପୂର୍ବରୁ ସେମିଫାଇନାଲ୍‌ରେ କିଟ୍‌ ମହିଳା ଦଳ ୨୯-୦ରେ କୋହ୍ଲାପୁରର ଶିବାଜୀ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ପୁରୁଷ ଦଳ ସେମିଫାଇନାଲ୍‌ରେ ପଞ୍ଜାବର ଏଲ୍‌ପିୟୁକୁ ୩୫-୬ରେ ପରାସ୍ତ କରିବା ପରେ ଫାଇନାଲ୍‌ରେ ପୁଣେର ଭାରତୀ ବିଦ୍ୟାପୀଠଠାରୁ ୧୦-୧୯ରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଛି।

ସନ୍ତରଣରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିବା ଅନ୍ତର୍ଜାତୀୟ ତାରକା ପ୍ରତ୍ୟାଶା ରାୟ ଗୋଟିଏ ଦିନରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ୧୦୦ ମିଟର୍‌ ବ୍ୟାକଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୪୦୦ ମିଟର୍‌ ଫ୍ରିଷ୍ଟାଇଲ୍‌ରେ ରୌପ୍ୟ ପଦକ ଜିତିବାରୁ ଓଡ଼ିଶା ପଦକ ସଂଖ୍ୟା ୪ରେ ପହଞ୍ଚିଛି। ରଗ୍‌ବି ଖେଳାଳି ଏବଂ ପ୍ରତ୍ୟାଶା ରାୟଙ୍କୁ କିଟ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ କାରଣରୁ କୃତଜ୍ଞତା ଜଣାଇଛନ୍ତି।

ଅନ୍ୟପକ୍ଷରେ ଟେନିସ୍ ଇଭେଣ୍ଟରେ କିଟ୍‌ ପୁରୁଷ ଦଳ ଇନ୍ଦୋରର ରେନାସା ବିଶ୍ବବିଦ୍ୟାଳୟକୁ ୩-୦ରେ ପରାସ୍ତ କରିଛି। ମହିଳା ବିଭାଗରେ କିଟ୍ ଚେନ୍ନାଇର ଏସ୍‌ଆର୍‌ଏମ ବିଶ୍ବବିଦ୍ୟାଳୟ ସହ ମୁକାବିଲା କରୁଛି। ହକିରେ ମଧ୍ୟ ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଦଳ ୧-୦ ଗୋଲ୍‌ରେ ବାରଣାସୀର ଗାନ୍ଧୀ କାଶି ବିଦ୍ୟାପୀଠକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର