ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, କଳିଙ୍ଗରେ ମହକିଲେ ମନୀଷା

ଭୁବନେଶ୍ବର: ମନୀଷା ମେରେଲ୍‌ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମହିଳା ଲମ୍ବ ଡିଆଁରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲ୍‌ରେ ସେ ୬.୨୨ ମିଟର ଦୂରକୁ ଡେଇଁ ଅନ୍ୟ ୭ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ପାଞ୍ଚଟି ପ୍ରୟାସରେ ସେ ଯଥାକ୍ରମେ ୫.୮୧, ୫.୯୫, ୬.୦୪, ୬.୨୨ ଓ ୬.୧୨ ମିଟର ଦୂରକୁ ଲମ୍ଫ ମାରିଥିଲେ। ତାଙ୍କ ପଛକୁ ମାଡ୍ରାସ୍‌ ବିଶ୍ବବିଦ୍ୟାଳୟର ହର୍ଷିନୀ ସର୍ବନନ୍‌ (୫.୮୯ ମିଟର) ଏବଂ ମହତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟର ଅନୁପମା ବିଜୁ (୫.୮୬ ମିଟର) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସୁନ୍ଦରଗଡ଼ ହେମଗିରି ଭି ପି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଦ୍ବିତୀୟ ବର୍ଷ ସମ୍ମାନର ଛାତ୍ରୀ ହେଉଛନ୍ତି ମନୀଷା। ତାଙ୍କ ବାପା ଚୁନିଲାଲ୍ ମେରେଲ୍ ଜଣେ ଚାଷୀ ଏବଂ କେନ୍ଦୁଝରରେ ରୁହନ୍ତି ମନୀଷା ପରିବାର। ମାଆ ପାନ ମେରେଲ୍ ବାପାଙ୍କୁ ଚାଷରେ ସାହାଯ୍ୟ କରନ୍ତି। ଚାଷରୁ ଯାହା କିଛି ମିଳେ ସେଥିରେ ପରିବାର ଚଳେ। ୬ ଜଣଙ୍କୁ ପାଠ ପଢ଼ାଇବାକୁ ବାପାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି। ଏଭଳି ସ୍ଥିତିରେ ଖେଳିବା ହୁଏତ ମୋ ପାଇଁ ସମ୍ଭବ ହୋଇନଥାନ୍ତା। ଖେଲୋ ଇଣ୍ଡିଆ ମୋ ପାଇଁ ପ୍ରୟୋଜିତ ନ କରିଥିଲେ ମୁଁ ଆଜି ଯେଉଁ ପଦକ ଜିତିଛି ତାହା ସମ୍ଭବ ହୋଇପାରି ନଥାନ୍ତା ବୋଲି କହିଛନ୍ତି ମନୀଷା। ମୋର ବିଶ୍ବାସ ଥିଲା ଆଜି ବିଶ୍ବବିଦ୍ୟାଳୟ କୀର୍ତ୍ତିମାନ ଭାଙ୍ଗିବି। ହେଲେ ମାତ୍ର ୬ ସେଣ୍ଟିମଟର ଦୂରରେ ରହି ଯାଇଥିଲି ବୋଲି ସେ କହିଛନ୍ତି।

ଅଷ୍ଟମ ଶ୍ରେଣୀ ପଢୁଥିବା ବେଳେ ମନୀଷା ସୁନ୍ଦରଗଡ଼ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ହଷ୍ଟେଲରେ ରହିଲେ। ସେବେଠୁ ଆରମ୍ଭ ହେଲା ତାଙ୍କ କ୍ରୀଡ଼ା ଜୀବନ। ଅଷ୍ଟମ ଶ୍ରେଣୀ ପଢ଼ୁଥିବା ବେଳେ ୨୦୧୩ରେ ଲମ୍ବ ଡିଆଁରେ ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଓ ପରେ କଟକରେ ରାଜ୍ୟସ୍ତରରେ ସଫଳ ହେବାପରେ ତାଙ୍କୁ ସାଇ ପକ୍ଷରୁ ଡକରା ଆସିଲା। ସେବେଠୁ ଆଉ ପଛକୁ ଫେରି ଚାହିଁନାହାନ୍ତି ମନୀଷା। କେବଳ ଅର୍ଥ ହିଁ ଏକମାତ୍ର ବାଧକ ସାଜିଥିବା ବେଳେ ମିଳିଥିଲା ଖେଲୋ ଇଣ୍ଡିଆର ସହଯୋଗ। ଖେଲୋ ଇଣ୍ଡିଆ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଶିବିରରେ ମନୀଷାଙ୍କୁ ଅଭ୍ୟାସ କରିବାକୁ ସୁଯୋଗ ମିଳିଲା। ୨୦୧୮ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାରେ ମନୀଷା ଲମ୍ବ ଡିଆଁରେ କାଂସ୍ୟ ପଦକ ଜିତିଥିଲେ। ତା ପରଠୁ ଖେଲୋ ଇଣ୍ଡିଆ ପକ୍ଷରୁ ମନୀଷାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମେରୁଦଣ୍ଡ ଆଘାତ କାରଣରୁ ଚଳିତବର୍ଷ ହୋଇଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଭାଗ ନେଇପାରିନଥିଲେ ସେ। ଆହତ ପରେ ଖେଲୋ ଇଣ୍ଡିଆ ଶିବିରରେ ଯୋଗ ଦେବାର ସୁଯୋଗକୁ ସଦୁପଯୋଗ କରି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ନିଜ ପାଇଁ ଜାତୀୟସ୍ତରରେ ପ୍ରଥମ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କଲେ ମନୀଷା। ଦୂତି ଚାନ୍ଦ ହେଉଛନ୍ତି ମନୀଷାଙ୍କ ପସନ୍ଦର ଖେଳାଳି। ଦୂତିଙ୍କ ବ୍ୟବହାର ଓ ଖେଳୁଆଡ଼ ମନୋଭାବ ମନୀଷାଙ୍କୁ ଅଧିକ ପ୍ରଭାବିତ କରିଛି। ଭାରତ ପାଇଁ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଥିବା ମନୀଷା କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର କାରଣ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର