ଭୁବନେଶ୍ବର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନର ଜୋନାଲ୍ ଲିଗ୍ ବୁଧବାର କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍ରେ ଉଦ୍ଘାଟିତ ହୋଇଯାଇଛି। ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୦ ରାଜ୍ୟର ୧୩୫ ଭାରୋତ୍ତୋଳିକା ଅଂଶଗ୍ରହଣ କରୁଛନ୍ତି। ଏଥିରେ ବରିଷ୍ଠ, ଯୁବ ଓ କନିଷ୍ଠ ଭଳି ତିନିଟି ସ୍ତରର ବିଭିନ୍ନ ଓଜନ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବ। ଆୟୋଜକ ଓଡ଼ିଶାର ୨୨ଜଣ ପ୍ରତିଯୋଗୀ ଏଥିରେ ପଦକ ଜିତିବାକୁ ଚେଷ୍ଟା କରିବେ।
ଓଡ଼ିଶା ଭାରୋତ୍ତୋଳନ ସଂଘ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ମହିଳା ଭାରୋତ୍ତୋଳନର ପ୍ରଚାର ପ୍ରସାର ତଥା ଏହି ଖେଳ ପ୍ରତି ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ଆକର୍ଷିତ କରିବା। ବୁଧବାରର ଉଦ୍ଘାଟନୀ ଉତ୍ସବରେ କ୍ରୀଡ଼ା ବିଭାଗର ମୁଖ୍ୟ ଶାସନ ସଚିବ ଆର୍. ଭିନିଲ କ୍ରିଷ୍ଣା, ଭାରତୀୟ ଭାରୋତ୍ତୋଳନ ମହାସଚିବ ତଥା ପ୍ରତିଯୋଗିତା ନିର୍ଦ୍ଦେଶକ ଆନନ୍ଦ ଗୌଡ଼, ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଚିତ୍ତରଞ୍ଜନ ସ୍ବାଇଁ, ସମ୍ପାଦକ ତଥା ଅଲିମ୍ପିଆନ୍ କେ. ରବିକୁମାର ପ୍ରମୁଖ ଉପସ୍ଥିତ ଥିଲେ। ଆଜି ପ୍ରତିଯୋଗିତା ଉଦ୍ଘାଟିତ ହେଉଥିଲା ବେଳେ ଗୁରୁବାରଠାରୁ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/gjdgdgjddgjj.jpg)