ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନରେ ଶୁକ୍ରବାର ଓଡ଼ିଶାକୁ ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୧୦ ପଦକ ମିଳିଛି। ମିନା ସାନ୍ତା ୩ ଏବଂ ରିମା ଭୋଇ ଗୋଟିଏ ସ୍ବର୍ଣ୍ଣ ଜିତିଥିଲେ। ରୌପ୍ୟ ପଦକ ମିନା ସାନ୍ତା ଓ ସ୍ନେହା ସୋରେନ ପାଇଥିଲେ। କାଂସ୍ୟଗୁଡ଼ିକ ବିଦୁସ୍ମିତା ଭୋଇ, ଆଲିସା ବେ‌ହେରା, ମିନା ସିଂହ ଓ ମିନା ସାନ୍ତାଙ୍କୁ ମିଳିଥିଲା। ମିନା ସାନ୍ତା ଗୁରୁବାର ଖେଳାଯାଇଥିବା ୬ ବର୍ଗରୁ ୫ଟିରେ ମିନା ପଦକ ଜିତିଥିଲେ। ୫୯ କେଜି ଯୁବା ଏବଂ ୫୫ କେଜି କନିଷ୍ଠ ଓ ଯୁବାରେ ସେ ସ୍ବର୍ଣ୍ଣ ପାଇଥିଲା ବେଳେ କନିଷ୍ଠ ୫୯ କେଜିରେ ରୌପ୍ୟ ଏବଂ ୫୫ କେଜି ବରିଷ୍ଠରେ କାଂସ୍ୟ ପଦକ କରାୟତ୍ତ କରିଥିଲେ। ୫୯ କେଜି ଯୁବାରେ ମିନା ସାନ୍ତା ୭୩ କେଜି ସ୍ନାଚ୍‌ ଏବଂ ୯୧ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୬୪ କେଜି ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

Advertisment

ଏହି ବର୍ଗରେ ଆଲିସା ବେହେରା ୧୪୨ (୬୧+୮୧) କେଜି ଉଠାଇ ତୃତୀୟରେ ରହିଥିଲେ। ୫୫ କେଜି ଯୁବାରେ ମିନା ସାନ୍ତା ୮୨ କେଜି ସ୍ନାଚ୍‌ ଏବଂ ୯୬ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୭୮ କେଜି ଭାର ଉଠାଇ ସ୍ବର୍ଣ୍ଣ ଏବଂ ମିନା ସିଂହ ୧୫୭ (୭୧+୮୫) କେଜି କାଂସ୍ୟ ପାଇଥିଲେ। କନିଷ୍ଠ ୫୫ କେଜିରେ ମିନା ସାନ୍ତା ୮୨ କେଜି ସ୍ନାଚ୍‌ ଏବଂ ୯୬ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୭୮ କେଜି ଭାର ଉଠାଇ ଶୀର୍ଷରେ ରହିଥିଲେ। ୫୯ କେଜି ବରିଷ୍ଠରେ ରିମା ୮୨ କେଜି ସ୍ନାଚ୍‌ ଏବଂ ୧୦୩ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୮୫ କେଜି ଭାର ଉଠାଇ ପ୍ରଥମରେ ରହିଥିଲେ। ୫୯ କେଜି କନିଷ୍ଠରେ ମିନା ସାନ୍ତା ୭୩ କେଜି ସ୍ନାଚ୍‌ ଏବଂ ୯୧ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୬୪ କେଜି ଭାର ଉଠାଇ ଦ୍ବିତୀୟ ଏବଂ ବିଦୁସ୍ମିତା ଭୋଇ ୧୬୪ (୭୨+୯୨) କେଜି ତୃତୀୟ ସ୍ଥାନ ଅଧିକାର କରିଥିଲେ। ୫୫ କେଜି ବରିଷ୍ଠରେ ସ୍ନେହା ୮୦ କେଜି ସ୍ନାଚ୍‌ ଏବଂ ୧୦୮ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୮୮ କେଜି ଭାର ଉଠାଇ ଦ୍ବିତୀୟ ଏବଂ ମିନା ସାନ୍ତା ୧୭୮ (୮୨+୯୬) କେଜି ତୃତୀୟ ସ୍ଥାନ ପାଇଥିଲେ। ଶୁକ୍ରବାର ଅତିଥି ଭାବେ ହକି ଅଲିମ୍ପିଆନ୍‌ ବୀରେନ୍ଦ୍ର ଲାକ୍ରା, ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ, ଓଡ଼ିଶା ସାଇକେଲିଂ ସଂଘ ସଭାପତି ମିନତୀ ମହାପାତ୍ର, ଓଡ଼ିଶା ଭାରୋତ୍ତୋଳନ ସଂଘ ପରାମର୍ଶଦାତା ଜି ବେଣୁଗୋପାଳ ରାଓ, ଉପସଭାପତି ହରିପ୍ରସାଦ ପଟ୍ଟନାୟକ ଓ ପରେଶ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।