ଭୁବନେଶ୍ବର: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୨୧ ବର୍ଷରୁ କମ୍‌ ମହିଳା ହକି ଲିଗ୍‌ (ଦ୍ବିତୀୟ ପର୍ଯ୍ୟାୟ)ରେ ଗୁରୁବାର ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ବଡ଼ ବିଜୟ ହାସଲ କରିଛି। ଓଡ଼ିଶା ଦଳ ଏହି ମ୍ୟାଚ୍‌ରେ ସାଲ୍ୟୁଟ ହକି ଏକାଡେମୀ ଦଳକୁ ୧୯-୦ ଗୋଲ୍‌ରେ ପରାସ୍ତ କରିଛି। ଅଧିନାୟିକା ମମିତା ଓରାମ (ସପ୍ତମ, ଦଶମ ଓ ୪୧ତମ ମିନିଟ୍‌) ସର୍ବାଧିକ ୩ ଗୋଲ୍‌ କରିଥିଲା ବେଳେ ତନୁଜା ଟପ୍ପୋ (୧୮ ଓ ୩୯ ମିନିଟ୍‌), ସୁନିତା ଖାଖା (୧୯ ଓ ୨୯ ମିନିଟ୍‌), ମୁନ୍‌ମୁନି ଦାସ (୨୫ ଓ ୪୫ ମିନିଟ୍‌), ଆରତି ଖାଲ୍‌କୋ (୨୬ ଓ ୫୮ ମିନିଟ୍‌), ସୁନେଲିତା ଟପ୍ପୋ (୩୫ ଓ ୫୯ ମିନିଟ୍‌) ଏବଂ ସୁପ୍ରିୟା କୁଜୁର (୩୭ ଓ ୪୮ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ ଲଦି ଦେଇଥିଲେ। ଏମାନଙ୍କ ବ୍ୟତୀତ ପୂଜା ସସୁ (୫ ମିନିଟ୍‌), ଦୀପି ମୋନିକା ଟପ୍ପୋ (୧୨ ମିନିଟ୍‌), ଅଲିଭା ଜାତେ (୧୫ ମିନିଟ୍‌) ଓ କମଳା ସିଂହ (୨୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବିଜୟ ବ୍ୟବଧାନ ବଢ଼ାଇଥିଲେ। ପ୍ରଥମାର୍ଦ୍ଧରେ ଓଡ଼ିଶା ଦଳ ୧୬ ଗୋଲ୍‌ କରିଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ୩ ଗୋଲ୍‌ ଦେଇଥିଲା।

Advertisment

ଗୁରୁବାର ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଖେଳାଯାଇଥିବା‌ ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଏଚ୍‌ଏଆର୍‌ ହକି ଏକାଡେମୀ ୨-୨ ଗୋଲ୍‌ରେ ସାଇ ବାଲ୍‌ ଦଳ ସହ ମୁକାବିଲାକୁ ଅମୀମାଂସିତ ରଖିଥିଲା ବେଳେ ସାଇ ଶକ୍ତି ଦଳ ୯-୦ ଗୋଲ୍‌ରେ ଭାଈ ଭେଲୋ ହକି ଏକାଡେମୀ (ଭଗତ)କୁ ଏବଂ ପ୍ରୀତମ ସିୱାଚ ସ୍ପୋର୍ଟସ ଫାଉଣ୍ଡେସନ ୯-୧ ଗୋଲ୍‌ରେ ଖାଲ୍‌ସା ହକି ଏକାଡେମୀ (ଅମୃତସର)କୁ ପରାସ୍ତ କରିଥିଲା।