ଭୁବନେଶ୍ବର: ବାଙ୍ଗାଲୋରଠାରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ଲିଗ୍‌ ଭାରୋତ୍ତୋଳନରେ ଓଡ଼ିଶା ପ୍ରତିଯୋଗୀ ଶନିବାର ଆଉ ୨ ପଦକ ଯୋଡ଼ିଛନ୍ତି। ସୁମିତ୍ରା ମଲ୍ଲିକ ସ୍ବର୍ଣ୍ଣ ଓ ବିଦ୍ୟୁସ୍ମିତା ଭୋଇ କାଂସ୍ୟ ପଦକ ଜିତିଛନ୍ତି। ଫଳରେ ଓଡ଼ିଶାକୁ ତୃତୀୟ ଦିନ ସୁଦ୍ଧା ୩ ସ୍ବର୍ଣ୍ଣ ଓ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। ଶନିବାର ୫୯ କିଲୋଗ୍ରାମ ଓଜନ ବର୍ଗରେ କ୍ରୀଡ଼ା ଛାତ୍ରାବାସର ସୁମିତ୍ରା ସ୍ନାଚରେ ୫୭ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୭୪ କିଲୋଗ୍ରାମ ଉତ୍ତୋଳନ କରି ମୋଟ ଉପରେ ୧୩୧ କିଲୋଗ୍ରାମ ସହ ଶୀର୍ଷରେ ରହିଥିଲେ।

Advertisment

ସମାନ ଓଜନ ବର୍ଗରେ ବିଦ୍ୟୁସ୍ମିତା ଭୋଇ ମୋଟ ୧୧୯ କିଲୋଗ୍ରାମ (୫୩ ଓ ୬୬ କିଲୋଗ୍ରାମ) ଉତ୍ତୋଳନ କରି ତୃତୀୟରେ ରହିଥିଲେ। ତାମିଲନାଡୁର ଏସ୍ ଭରଣୀପ୍ରିୟା (ମୋଟ ୧୨୮ କିଲୋଗ୍ରାମ) ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ। ଶୁକ୍ରବାର ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ୪୫ କିଲୋଗ୍ରାମ ଓଜନ ବର୍ଗରେ ମୀନା ସିଂହ, ୪୯ କିଲୋଗ୍ରାମ ଓଜନ୍ ବର୍ଗରେ ମୀନା ସାନ୍ତା ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରୀତିସ୍ମିତା ଭୋଇ ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ।