ଖେଲୋ ଇଣ୍ଡିଆ ମହିଳା ଲିଗ୍ ଭାରୋତ୍ତୋଳନ: ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୧ ରୌପ୍ୟ

ଭୁବନେଶ୍ବର : ବାଙ୍ଗାଲୋରଠାରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ଲିଗ୍‌ ଭାରୋତ୍ତୋଳନରେ ଓଡ଼ିଶା ପ୍ରତିଯୋଗୀମାନେ ଶୁକ୍ରବାର ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିଛନ୍ତି। ୪୫ କିଲୋଗ୍ରାମ ଓଜନ ବର୍ଗରେ ୧୫ ବର୍ଷୀୟା ମୀନା ସିଂହ ସ୍ନାଚରେ ୫୮ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୭୦ କିଲୋଗ୍ରାମ ସହ ମୋଟ ୧୩୮ କିଲୋଗ୍ରାମ ଉତ୍ତୋଳନ କରି ପ୍ରଥମ ସ୍ଥାନରେ ରହିଥିଲେ। ଦୁଇ ଝାଡ଼ଖଣ୍ଡ ଝିଅ ମନୀଷା ସୋରେନ୍‌ (୯୪ କିଲୋଗ୍ରାମ) ଏବଂ ବବିତା କୁମାରୀ (୮୪ କିଲୋଗ୍ରାମ) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ୪୯ କିଲୋଗ୍ରାମ ଓଜନ୍ ବର୍ଗରେ ମୀନା ସାନ୍ତା ସ୍ନାଚରେ ୬୨ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୭୩ କିଲୋଗ୍ରାମ ସହ ମୋଟ ୧୪୫ କିଲୋଗ୍ରାମ ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।

ଦୁଇ ମହାରାଷ୍ଟ୍ର ଝିଅ ଆରତୀ ତତଗୁନ୍ତୀ (୧୨୮ କିଲୋଗ୍ରାମ) ଏବଂ ପୂଜା ବୈଷ୍ଣବ (୧୨୬ କିଲୋଗ୍ରାମ) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶା ପାଇଁ କିନ୍ତୁ ଶୁକ୍ରବାର ସକାଳେ ପ୍ରୀତିସ୍ମିତା ଭୋଇ ରୌପ୍ୟ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ। ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ପ୍ରୀତିସ୍ମିତା ସ୍ନାଚରେ ୪୪ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୫୭ କିଲୋଗ୍ରାମ ସହିତ ମୋଟ ୧୦୧ କିଲୋଗ୍ରାମ ଉତ୍ତୋଳନ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ମହାରାଷ୍ଟ୍ରର ବିନତାଇ ଆହେର ମୋଟ ୧୩୧ କିଲୋଗ୍ରାମ ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ରାଜସ୍ଥାନର ସଲୋନି ସୈନି (୯୫ କିଲୋଗ୍ରାମ) କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର