ଭୁବନେଶ୍ବର: ବିହାର ରାଜଗିରଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ଲିଫ୍ଟର୍ ମୀନା ସାନ୍ତା ରବିବାର ରୌପ୍ୟ ପଦକ ଜିତିଛନ୍ତି। ଶନିବାର ଜ୍ୟୋସ୍ନା ଶବର ଓ ହର୍ଷବର୍ଦ୍ଧନ ସାହୁ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହା ଓଡ଼ିଶାକୁ ଭାରୋତ୍ତୋଳନରୁ ତୃତୀୟ ପଦକ ହୋଇଛି। ହର୍ଷବର୍ଦ୍ଧନ ଜାତୀୟ ଯୁବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ରବିବାର ମୀନା ସାନ୍ତା (ଏ) ମହିଳା ଯୁବ ୫୫ କିଲୋଗ୍ରାମ ଓଜନ ବର୍ଗରେ ସ୍ନାଚ୍ରେ ୮୦ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୯୭ କିଲୋଗ୍ରାମ ସହ ମୋଟ ଉପରେ ୧୭୭ କିଲୋଗ୍ରାମ ଉତ୍ତୋଳନ କରିଥିଲେ। କିନ୍ତୁ ଆସାମର ଐସଙ୍ଗଫା ଗୋଗୋଇ (୮୧ ଓ ୧୦୨) ମୋଟ ୧୮୩ କିଲୋଗ୍ରାମ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଏହି ଅବସରରେ ଐସଙ୍ଗଫା ମଧ୍ୟ ଏକ ଜାତୀୟ ଯୁବ ମହିଳା ରେକର୍ଡ ପ୍ରତିଷ୍ଠା କରିଥିଲେ। ମୋଟ ଉପରେ ସେ ଉଠାଇଥିବା ୧୮୩ କିଲୋଗ୍ରାମ ପଶ୍ଚିମବଙ୍ଗର କୋୟଲ ବାର (୧୮୨)ଙ୍କ ନାମରେ ଥିବା ପୂର୍ବ ରେକର୍ଡ ପଛରେ ପଡ଼ିଯାଇଥିଲା। ଅନ୍ୟତମ ଓଡ଼ିଆ ଝିଅ ତଥା ସମାନ ନାମଧାରୀ ମୀନା ସାନ୍ତା (ବି) ଚତୁର୍ଥରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ସେ ସ୍ନାଚ୍ରେ ୭୧ ଓ କ୍ଲିନ୍ ଆଣ୍ଡ୍ ଜର୍କରେ ୯୧ ସହ ମୋଟ ୧୬୨ କିଲୋ ଉତ୍ତୋଳନ କରିଥିଲେ। ମାତ୍ର ୨ କିଲୋଗ୍ରାମ ଅଧିକ ଉତ୍ତୋଳନ କରି ଆନ୍ଧ୍ରପ୍ରଦେଶର ହେମାଶ୍ରୀ କରଙ୍ଗୀ (୧୬୪ କିଲୋଗ୍ରାମ) କାଂସ୍ୟ ପଦକ ଜିତିଥିଲେ। ମୀନାଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି।