ଭୁବନେଶ୍ବର: ବିହାରରେ ଚାଲିଥିବା ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ଭାରୋତ୍ତୋଳନରୁ ଆଉ ଗୋଟିଏ ରୌପ୍ୟ ପଦକ ମିଳିଛି। ଏହି ପଦକଟି ଟିକି ମୋହିନୀ ମଲ୍ଲିକ ଜିତିଛନ୍ତି। ୬୪ କେଜି ବାଳିକାରେ ସେ ୭୪ କେଜି ସ୍ନାଚ୍ ଏବଂ ୯୮ କେଜି କ୍ଲିନ୍ ଓ ଜର୍କ ସହ ମୋଟ ୧୭୨ କେଜି ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପାଇଥିଲେ। ଆନ୍ଧ୍ରପ୍ରଦେଶର ଗୁଜଲା ବର୍ଷିତା (୭୯ କେଜି ସ୍ନାଚ୍ ଏବଂ ୯୫ କେଜି କ୍ଲିନ୍ ଓ ଜର୍କ) ମୋଟ୍ ୧୭୪ କେଜି ଉଠାଇ ସ୍ବର୍ଣ୍ଣ ଏବଂ ଆସାମର ଶତାବ୍ଦୀ ଭୂୟାଁ (୭୩ କେଜି ସ୍ନାଚ୍ ଏବଂ ୯୫ କେଜି କ୍ଲିନ୍ ଓ ଜର୍କ) ମୋଟ ୧୭୧ କେଜି ଉଠାଇ କାଂସ୍ୟ ପାଇଥିଲେ। ଟିକି ମୋହିନୀଙ୍କ ଏହି ରୌପ୍ୟ ସହ ଭାରୋତ୍ତୋଳନରୁ ଓଡ଼ିଶାକୁ ୪ (୨ ସ୍ବର୍ଣ୍ଣ, ୨ ରୌପ୍ୟ) ପଦକ ଆସିଛି। ସେହିପରି ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୮ (୩ ସ୍ବର୍ଣ୍ଣ, ୫ ରୌପ୍ୟ)ରେ ପହଞ୍ଚିଛି। ଖୋ ଖୋରେ ଓଡ଼ିଶା ବାଳିକା ସ୍ବର୍ଣ୍ଣ ଜିତିଥିଲା ବାଳକ ଦଳ ରୌପ୍ୟ ପାଇଥିଲା। ରଗ୍ବିରେ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ।
ଫୁଟ୍ବଲ୍ ଓ ହକି ଫାଇନାଲ୍ରେ ଓଡ଼ିଶା
ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ବାଳକ ଫୁଟ୍ବଲ୍ ଏବଂ ବାଳିକା ହକି ଦଳ ଫାଇନାଲ୍ରେ ପହଞ୍ଚି ପଦକ ନିଶ୍ଚିତ କରିଛି। ସୋମବାର ଫୁଟ୍ବଲ୍ରେ ଓଡ଼ିଶା ୫-୧ ଗୋଲ୍ରେ ମିଜୋରାମକୁ ହରାଇ ଏହି ସ୍ଥାନ ପକ୍କା କରିଥିଲା। ଓଡ଼ିଶା ପକ୍ଷରୁ ଭେଙ୍କଟେଶ୍ବର ଓରାମ (୫୯, ୮୨ ମିନିଟ୍) ଦୁଇଟି ଏବଂ ରୋନିକ ମାଝୀ (୨୭ ମିନିଟ୍), ଅବିନାଶ କିଶାନ (୩୩ ମିନିଟ୍), ସାଙ୍କୋଶେଖର ହେମ୍ବ୍ରମ (୪୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଓଡ଼ିଶା ସ୍ବର୍ଣ୍ଣ ପଦକ ଲଢ଼େଇରେ ଝାଡ଼ଖଣ୍ଡକୁ ଭେଟିବ।
ଝାଡ଼ଖଣ୍ଡ ୨-୧ ଗୋଲ୍ରେ ମେଘାଳୟକୁ ପରାସ୍ତ କରିଛି। ବାଳିକା ହକି ସେମିଫାଇନାଲ୍ରେ ଓଡ଼ିଶା ୨-୧ ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା। ଓଡ଼ିଶା ପକ୍ଷରୁ ଚଞ୍ଚଲ ୟାଦବ (୭ ମିନିଟ୍) ଓ ରିତିକା ଆହିରବାର (୨୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ମଧ୍ୟପ୍ରଦେଶର ସଂଜନା କିରୋ (୩୬ ମିନିଟ୍) ଗୋଟିଏ ଗୋଲ୍ ଶୁଝିଥିଲେ। ଓଡ଼ିଶା ମଙ୍ଗଳବାର ଫାଇନାଲ୍ରେ ଝାଡ଼ଖଣ୍ଡକୁ ଭେଟିବ। ଝାଡ଼ଖଣ୍ଡ ୩-୦ ଗୋଲ୍ରେ ହରିୟାଣାକୁ ପରାସ୍ତ କରିଥିଲା। ବାଳକ ଦଳ ସେମିଫାଇନାଲ୍ରେ ୨-୩ ଗୋଲ୍ରେ ଉତ୍ତରପ୍ରଦେଶଠୁ ହାରି ଫାଇନାଲ୍ରୁ ବଞ୍ଚିତ ହୋଇଛି। ଏବେ ମଙ୍ଗଳବାର ଓଡ଼ିଶା କାଂସ୍ୟ ପାଇଁ ପଞ୍ଜାବକୁ ଭେଟିବ।