ଭୁବନେଶ୍ବର: ବିହାରରେ ଚାଲିଥିବା ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମଙ୍ଗଳବାର ଓଡ଼ିଶାକୁ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ମହିଳା ହକି ଦଳ ଏବଂ ସଟ୍‌ପୁଟର୍‌ ଓମ୍‌କାର ନନ୍ଦ ସ୍ବର୍ଣ୍ଣ ଭେଟି ଦେଇଥିଲା ବେଳେ କାଂସ୍ୟଟି ଜିତିଛନ୍ତି ଲଙ୍ଗ୍‌ ଜମ୍ପର୍‌ ପାର୍ବତୀ ହାଁସ୍‌ଦା। ମହିଳା ହକି ଫାଇନାଲ୍‌ରେ ଓଡ଼ିଶା ୩-୧ (୧-୧) ସୁଟ୍‌ଆଉଟ୍‌ରେ ଝାଡ଼ଖଣ୍ଡକୁ ହରାଇ ବିଜେତା ହୋଇଥିଲା। କଡ଼ାସଂଘର୍ଷ ପୂର୍ଣ୍ଣ ଏହି ଫାଇନାଲ୍‌‌ର ପ୍ରଥମାର୍ଦ୍ଧ ‌ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟର ଶେଷ ହେବାକୁ କିଛି ସମୟ ଥିଲା ବେଳେ ଝାଡ଼ଖଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଙ୍ଗୀତା କୁମାରୀ (୪୨ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ଅଗ୍ରଣୀ ଦେଇଥିଲେ। ତେବେ ୫୧ତମ ମିନିଟ୍‌ରେ ଓଡ଼ିଶାର ରୋଜ୍‌ ମେରି ଖାଲ୍‌କୋଙ୍କ ଫିଲ୍ଡ ଗୋଲ୍‌ରେ ସ୍ଥିତି ୧-୧ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଅମୀମାଂସିତ ରହିବାରୁ ଫଳାଫଳ ଲାଗି ସୁଟ୍‌ଆଉଟ୍‌ର ସହଯୋଗ ନିଆଯାଇଥିଲା। ଏଥିରେ ଓଡ଼ିଶା ୩-୧ରେ ଜିତି ବିଜୟ ବାନା ଉଡ଼ାଇଥିଲା। ସୁଟ୍‌ଆଉଟ୍‌ରେ ଓଡ଼ିଶାର ଅଧିନାୟିକା ଦ୍ରୁପତି ନାଏକ ୨ ଥର, ଡଲି ଭୋଇ ସଫଳ ହୋଇଥିଲା ବେଳେ ଗୋଲି ପବିତ୍ରା ହୋଡ଼ାମ ୩ଟି ସଟ୍‌ ରୋକି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ପୁରୁଷ ଦଳ କାଂସ୍ୟ ମୁକାବିଲାରେ ପଞ୍ଜାବଠୁ ୩-୪ ଗୋଲ୍‌ରେ ହାରି ପଦକ ହାତଛଡ଼ା କରିଛି।

Advertisment

ବାଳକ ସଟ୍‌ପୁଟ୍‌ରେ ଓମ୍‌କାର ନନ୍ଦ ୨୦.୮୯ ମିଟର ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ଜିତିଥିଲେ। ତାଙ୍କ ପଛକୁ ଉତ୍ତରପ୍ରଦେଶର ଅଖଣ୍ଡ ପ୍ରତାପ ସିଂହ (୧୯.୪୬ ମିଟର) ରୌପ୍ୟ ଏବଂ ହରିୟ‌ାଣାର ନିଶ୍ଚୟ (୧୯.୪୩ ମିଟର) କାଂସ୍ୟ ପାଇଥିଲେ। ଲଙ୍ଗ୍‌ ଜମ୍ପ୍‌ରେ ପାର୍ବତୀ ୫.୪୩ ମିଟର ଡେଇଁ କାଂସ୍ୟ ପଦକ ଜିତିଥିଲେ। ତାମିଲନାଡ଼ୁର ସାଧନା ରବି (୫.୭୦ ମିଟର) ସ୍ବର୍ଣ୍ଣ ଏବଂ କେରଳର ଅନନ୍ୟା ଏସ୍‌ (୫.୪୪ ମିଟର) ରୌପ୍ୟ ପାଇଥିଲେ। ଏଥିସହ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୧ (୫ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୧ କାଂସ୍ୟ)ରେ ପହଞ୍ଚିଛି।