ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ମୋଟ ୯ ପଦକ ସହ ଅଭିଯାନ ଶେଷ, ଓଡ଼ିଶାକୁ ୨ ଖୋ ଖୋ ରୌପ୍ୟ

ଭୁ‌ବନେଶ୍ବର: ହରିୟାଣା ପଞ୍ଚକୁଲାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସୋମବାର ଉଦ୍‌ଯାପନୀ ଦିବସରେ ଓଡ଼ିଶାକୁ ଆଉ ୨ ପଦକ ମିଳିଛି। ଏହି ଦୁଇ ପଦକ ଖୋଖୋରୁ ଆସିଛି। ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଦଳ ଫାଇନାଲ୍‌ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଫାଇନାଲ୍‌ରେ ମହିଳା ଦଳ କଡ଼ା ସଂଘର୍ଷ କରି ମାତ୍ର ଗୋଟିଏ ପଏଣ୍ଟ୍‌ (୨୦-୨୧) ବ୍ୟବଧାନରେ ଆୟୋଜକ ହରିୟାଣାଠୁ ହାରିଥଲା। ହକି ଦଳ ରୌପ୍ୟ ଏବଂ ପୁରୁଷ ଦଳ କାଂସ୍ୟ ପଦକ ଜିତିଥିଲେ। ସେହିପରି ପୁରୁଷ ଦଳ ୩ ପଏଣ୍ଟ୍‌ (୧୪-୧୧)ରେ ମହାରାଷ୍ଟ୍ରଠୁ ପରାସ୍ତ ହୋଇଥିଲା। ଆଜିର ଦୁଇ ପଦକ ଅମଳ ପରେ ଓଡ଼ିଶା ଖେଲୋ ଇଣ୍ଡିଆ ପ୍ରତିଯୋଗିତା‌ରେ ମୋଟ ୯ (୧ ସ୍ବର୍ଣ୍ଣ, ୫ ରୌପ୍ୟ, ୩ କାଂସ୍ୟ) ପଦକ ପାଇ ଅଭିଯାନ ଶେଷ କରିଛି। ଏହା ପୂର୍ବରୁ ଭାରୋ‌‌ତ୍ତୋଳନରେ କୁଲ୍‌ଦୀପ ସାହୁ ଏବଂ ପୁନିତ ଚନ୍ଦ୍ର ସାହୁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା ବେଳେ ପୁରୁଷ ୨୦୦ ମିଟର ଦୌଡ଼ରେ ଆର୍ଯ୍ୟନ ଏକ୍କା ଏବଂ ମହିଳା ହକି ଦଳ ରୌପ୍ୟ ଜିତିଥିଲେ। ପୁରୁଷ ୧୧୦ ମିଟର ବାଧାଦୌଡ଼ରେ ଏ ଗ୍ରାସେସନ ଜୀଭା, ମହିଳା ଲମ୍ବ ଡିଆଁରେ ସବିତା ଟପ୍ପୋ ଏବଂ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର