ଭୁବନେଶ୍ବର: ବାଙ୍ଗାଲୋରର ଜୈନ ବିଶ୍ବବିଦ୍ୟ‌ାଳୟଠାରେ ଚାଲିଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଦିନରେ ୩ ପଦକ ଜିତିଥିବା ଓଡ଼ିଶାକୁ ସୋମବାର ଆଉ ୨ ପଦକ ମିଳିଛି। ଫଳରେ ଦ୍ବିତୀୟ ଦିନ ସୁଦ୍ଧା ଏହି ପଦକ ସଂଖ୍ୟା ୫ (୧ ସ୍ବର୍ଣ୍ଣ, ୩ ରୌପ୍ୟ, ୧ କାଂସ୍ୟ)ରେ ପହଞ୍ଚିଛି। ସୋମବାର ଓଡ଼ିଶାକୁ ସନ୍ତରଣ ଓ ଭାରୋତ୍ତୋଳନରେ ୨ଟି ରୌପ୍ୟ ପଦକ ମିଳିଥିଲା। କିଟ୍‌ର ମୋତି ଜାନି ଭାରୋତ୍ତୋଳନରେ ଏବଂ ଉତ୍କଳ ବିଶ୍ବିବିଦ୍ୟାଳୟର ପ୍ରତ୍ୟାଶା ରାୟ ସନ୍ତରଣରେ ଏହି ପଦକ ଜିତିଥିଲେ। ୫୯ କେଜି ମହିଳା ଭାରୋତ୍ତୋଳନରେ ମୋଟ ୧୬୮ କେଜି (୭୪ କେଜି ସ୍ନାଚ୍‌ ଏବଂ ୯୪ କେଜି କ୍ଲିନ୍‌ ଓ ଜର୍କ) ଉଠାଇ ମୋତି ଦ୍ବିତୀୟ ସ୍ଥାନରେ ରହି ଏହି ପଦକ ପାଇଥିଲେ। ସେହିଭଳି ୧୦୦ ମିଟର ମହିଳା ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା (୧:୦୯.୭୨ ସେକେଣ୍ଡ) ଦ୍ବିତୀୟରେ ରହି ରୌପ୍ୟ ପଦକ ପକେଟସ୍ଥ କରିଥିଲେ। ରବିବାର ଭରୋତ୍ତୋଳନରୁ ସ୍ନେହା ସୋରେନ୍‍ ସ୍ବର୍ଣ୍ଣ, ପ୍ରମିଳା କିର୍ସାନି ରୌପ୍ୟ ଏବଂ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଥିଲେ।