ଭୁବନେଶ୍ବର: ସ୍ଥାନୀୟ ପଳାସପଲ୍ଲୀସ୍ଥିତ ଓଏଡି ହଲ୍ରେ ରାଜ୍ୟ ବଧିର କ୍ରୀଡ଼ା ସଂଘ ତରଫରୁ ଆୟୋଜିତ ଦୁଇଦିନିଆ ରାଜ୍ୟ ମନୋନୟନ ଚେସ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ଖୋର୍ଧା ଦଳଗତ ବିଜେତା ହୋଇଥିଲା ବେଳେ କଟକ ଉପବିଜେତା ହୋଇଛି। ୧୦ ଜିଲ୍ଲାରୁ ପ୍ରାୟ ୫୦ ବଛାବଛା ଖେଳାଳି ଭାଗ ନେଇଥିବା ଏହି ପ୍ରତିଯୋଗିତା ୫ ରାଉଣ୍ଡ୍ ବିଶିଷ୍ଟ ଥିଲା। ଏଥିରେ ପୁରୁଷରେ ଖୋର୍ଧାର ସୁଶାନ୍ତ କୁମାର ସାହୁ (୫ ପଏଣ୍ଟ), ମହିଳାରେ କଟକର ପ୍ରତିମା ଦଳାଇ (୫), ବାଳକରେ ଖୋର୍ଧାର ବିପିନ ବିହାରୀ ସାହୁ (୪) ଓ ବାଳିକାରେ ମୟୂରଭଞ୍ଜର ସୁଭଦ୍ରା କିସ୍କୋ (୩) ବ୍ୟକ୍ତିଗତ ବିଜେତା ହୋଇଥିଲେ। ଏହି ୪ ଜଣଙ୍କ ବ୍ୟତୀତ ବାବୁଲା କୁମାର ଜତୀ (ସମ୍ବଲପୁର), ସଂଜୟ ମହାପାତ୍ର (କଟକ), ପଲୁରୀ ରାଓ (ସମ୍ବଲପୁର), ହେମନ୍ତ କୁମାର ଆଚାର୍ଯ୍ୟ (ଗଞ୍ଜାମ), କାହ୍ନୁଚରଣ ମହାପାତ୍ର ଓ ନିପୁନ ଆଦିତ୍ୟ ମହାନ୍ତି (ଖୋର୍ଧା), ମମତା ପ୍ରହରାଜ (କଟକ), ଦେବଜାନୀ ସାହୁ, ରିଙ୍କୁ ସାହୁ ଓ ଦୀପକ ପ୍ରଧାନ (ସମସ୍ତେ ଖୋର୍ଧା), ପ୍ରୀତିଲତା ବେହେରା (ମୟୂରଭଞ୍ଜ) ମଧ୍ୟ ଜାତୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। ଏହି ୧୫ ଖେଳାଳି ଆସନ୍ତା ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବାକୁ ଥିବା ୨୧ତମ ଜାତୀୟ ବଧିର ଚେସ୍ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ। ଓଡ଼ିଶା ବଧିକ କ୍ରୀଡ଼ା ପରିଷଦର ସଭାପତି ତଥା ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ବ୍ୟାଡ୍ମିଣ୍ଟନ ତାରକା ଅସିତ ମିଶ୍ରଙ୍କ ପୌରୋହିତ୍ୟେର ଆୟୋଜିତ ଉଦ୍ଯାପନୀ ଉତ୍ସବରେ ସାମାଜିକ ସୁରକ୍ଷା, ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗ ନିର୍ଦେଶକ ସୁଶାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଉତ୍ସବରେ ବରିଷ୍ଠ ଆଇନଜୀବୀ ନିଶିଥ କୁମାର ମହାନ୍ତି, ଚେସ୍ ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ, ପ୍ରତିଷ୍ଠାତା ସଭ୍ୟ ବିଜୟ କୁମାର ପରିଡ଼ା ଉପସ୍ଥିତ ଥିଲେ।
ରାଜ୍ୟ ବଧିର ଚେସ୍: ଖୋର୍ଧା ଦଳଗତ ବିଜେତା
/sambad/media/post_attachments/wp-content/uploads/2018/10/1-Chess-Winners.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)