କିକ୍‌ ବକ୍ସିଂ କଳଙ୍କ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ଗୋଷ୍ଠୀର ଦାବି

ଭୁବନେଶ୍ୱର: କିକ୍‌ ବକ୍ସିଂ ପଦକ ଜାଲିଆତି ମାମଲାରେ ସାରା ରାଜ୍ୟର କ୍ରୀଡ଼ାପ୍ରେମୀ ଆମେଚର କିକ୍‌ ବକ୍ସିଂ ସଂଘ, ଓଡ଼ିଶା ବା ଓ୍ଵାକୋ ଓଡ଼ିଶାର ସଭାପତି କାର୍ତିକ ଡାକୁଆ ଏବଂ ତାଙ୍କ ଭାଇ କୃଷ୍ଣ ଡାକୁଆଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ‘ସମ୍ବାଦ’ ଏହି ମହାଜାଲିଆତିର ପର୍ଦାଫାସ୍‌ କରିବା ପରେ ଶନିବାର ‘ଭୁବନେଶ୍ୱର ଆଇନଜୀବୀ ଗୋଷ୍ଠୀ’ ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋର୍ଧା ଉପ ଜିଲ୍ଲାପାଳ ମାନସ କୁମାର ସାମଲଙ୍କ ନିକଟରେ ଦାବି କରିଛନ୍ତି। ଆଇନଜୀବୀ ଗୋଷ୍ଠୀର ସଦସ୍ୟମାନେ ଏଥିନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ସେଥିରେ ସେମାନେ ଲେଖିଛନ୍ତି ଯେ ଆମେଚର କିକ୍‌ ବକ୍ସିଂ ସଂଘ ବା ଓ୍ଵାକୋ ଓଡ଼ିଶାର ସଭାପତି କାର୍ତିକ ଡାକୁଆ ପଦକ ଜାଲିଆତି କରିଥିବା ଖବର ସ୍ଥାନୀୟ ଗଣମାଧ୍ୟମରେ ନିୟମିତ ପ୍ରକାଶ ପାଇଆସୁଛି। ଦିଲ୍ଲୀ ବଜାରରୁ ପଦକ କିଣିି ତିନି ଜଣ ଖେଳାଳିଙ୍କୁ ବିଜେତା ବୋଲି ଦାବି କରିଥିବା କାର୍ତିକ ଡାକୁଆଙ୍କ ବିରୋଧରେ ଖେଳାଳିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବାର ଅଭିଯୋଗ ବି ହେଉଛି। ଏଭଳି ସ୍ଥିତିରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆମେ ଆପଣଙ୍କ ନିକଟରେ ଦାବି କରୁଛୁ। ଏଭଳି ଜାଲିଆତି ଦ୍ୱାରା ଓଡ଼ିଶାରେ ବିଭିନ୍ନ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ୍‌ ଖେଳାଳିମାନେ ନିରୁତ୍ସାହିତ ହେଉଛନ୍ତି। ଏଣୁ ସେମାନଙ୍କ ମନୋବଳ ବଢ଼ାଇବା ଲାଗି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ନିରପେକ୍ଷ ତଦନ୍ତ କରି ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ। ଏହି ଅବସରରେ ଆଇନଜୀବୀ ସୁନୀଲ ମହାପାତ୍ର, ପଙ୍କଜ ଜେନା, ବିଶ୍ୱମ୍ବର ଦାସ, ଗୋଲକ ପ୍ରସାଦ ନାୟକ, ଲିଙ୍ଗରାଜ ଦାଶ, ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଏହି ବିଷୟରେ ଡିସିପିଙ୍କୁ ପତ୍ର ଲେଖିବା ସହ ଜିଲ୍ଲାପାଳଙ୍କ ଧ୍ୟାନ ଆକର୍ଷଣ କରିବେ ବୋଲି ଆଶ୍ୱାସନା ଦେଇଥିଲେ।

ସମ୍ବନ୍ଧିତ ଖବର