କିକ୍‌ ବକ୍ସିଂ କଳଙ୍କ: କୃଷ୍ଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ

ଭୁବନେଶ୍ୱର: ପଦକ ଜାଲିଆତି ମାମଲାରେ ସପ୍ତାହେ ଧରି ଚୁପ୍‌ ରହିବା ପରେ ଓ୍ଵାକୋ ଓଡ଼ିଶା ଗୁରୁବାର ଅଚାନକ ତିନି ଜଣ ଖେଳାଳିଙ୍କୁ ନିଲମ୍ବନ କରିଦେଲା। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବିବାଦୀୟ ସଭାପତି କାର୍ତିକ ଡାକୁଆଙ୍କ ଭାଇ କୃଷ୍ଣ ଡାକୁଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ସଭାପତି କାର୍ତିକ ଡାକୁଆ ମଧ୍ୟ ପଦକ ଜାଲିଆତି ହୋଇଥିବା ‘ସମ୍ବାଦ’ ପାଖରେ ଥିବା ଅଡିଓ ଟେପ୍‌ରେ ସ୍ପଷ୍ଟ ଭାବେ ସ୍ୱୀକାର କରୁଛନ୍ତି। ଏପରିକି ଏସବୁ ଯୋଜନାବଦ୍ଧ ଭାବେ ଏବଂ ତାଙ୍କ ନିର୍ଦେଶରେ ହୋଇଥିବା ମଧ୍ୟ ସେ କହୁଥିବାର ଶୁଣିବାକୁ ମିଳୁଛି। ସେହିଭଳି ଗୁରୁବାର ଅନୁଗୁଳରେ କରିଥିବା ସାମ୍ବାଦିକ ସମ୍ମିଳନୀରେ କାର୍ତିକ ନିଜେ ମାନିଥିଲେ ଯେ ତାଙ୍କ ଭାଇ ତଥା ଓ୍ଵାକୋ ଓଡ଼ିଶାର ଆୟୋଜକ ସଂପାଦକ କୃଷ୍ଣ ହଙ୍ଗେରି ନଯାଇ ଦିଲ୍ଲୀରେ ଥିବା ଖେଳାଳିଙ୍କ ସହ ମିଶି ପଦକ ଜାଲିଆତି କରିଛନ୍ତି। ଏଭଳି ସ୍ଥିତିରେ ଖେଳାଳିଙ୍କୁ ବଳି ପକାଇ କୃଷ୍ଣଙ୍କୁ କାହିଁକି ଛାଡ଼ି ଦିଆଗଲା ତାହା ବୁଝି ହେଉନି। ସଭାପତି କାର୍ତିକଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳି ସାରିଥିବାରୁ ସେ ବି ପଦରେ ରହିବାର ନୈତିକତା ହରାଇଛନ୍ତି। ଦୁଇ ଭାଇଙ୍କ କାରନାମାର ପର୍ଦାଫାସ ହୋଇ ସାରିଥିବାରୁ ଉଭୟ ନିଜ ନିଜ ପଦ ଛାଡ଼ି ତଦନ୍ତର ସମ୍ମୁଖୀନ ହେବାକୁ ସାଧାରଣରେ ଦାବି ହୋଇଛି। ଏସବୁ ଜାଣି ମଧ୍ୟ ଚୁପ୍‌ ରହୁଥିବା ସଂପାଦକ ଯଯାତି କେଶରୀ ଧଳଙ୍କ ଭୂମିକାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି। ସଭାପତି ଏବଂ ତାଙ୍କ ଭାଇ ପଦକ ଜାଲିଆତିରେ ସଂପୃକ୍ତ ଥିବା ପ୍ରମାଣିତ ହୋଇସାରିବା ପରେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସେ ବି ନିଜ ପଦରେ ରହିବାର ଅଧିକାର ଏକପ୍ରକାର ହରାଇ ସାରିଛନ୍ତି।

‘ସମ୍ବାଦ’କୁ ମିଳିଥିବା ତଥ୍ୟ ଓ ପ୍ରମାଣ ଅନୁସାରେ କୃଷ୍ଣ ହିଁ ନକଲି ପଦକ ଧରିଥିବା ଖେଳାଳିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ନେଇ ଯାଇଥିଲେ। ଓ୍ଵାକୋ ଓଡ଼ିଶା ପକ୍ଷରୁ ଶ୍ରୀ ପ୍ରଧାନଙ୍କ ପାଖକୁ ମାତ୍ର ଜଣେ ଖେଳାଳି ନକଲି ପଦକ ଏବଂ ଟ୍ରଫି ନେଇ ଯାଇଥିଲେ। ପରେ ଫେଟୋସପ୍‌ କରି ଅନ୍ୟ ଦୁଇ ଖେଳାଳିଙ୍କ ଫଟୋ ଏଥିରେ ଯୋଡ଼ି ଦିଆ ଯାଇଥିଲା ଭଳି ବିସ୍ଫୋରକ ତଥ୍ୟ ପଦାକୁ ଆସିଛି। ଧର୍ମେନ୍ଦ୍ରଙ୍କ ସହ ଚଳିତ ମାସ ୧୪ ତାରିଖରେ ଖେଳାଳିମାନେ ଉଠାଇଥିବା ଅସଲ ଫଟୋ ‘ସମ୍ବାଦ’ର ହସ୍ତଗତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସହ କୃଷ୍ଣ, ନିଲମ୍ବିତ ହୋଇଥିବା କିକ୍‌ ବକ୍ସର ବୀରେନ୍ଦ୍ର ଦାସ ଓ ଆଉ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ବୀରେନ୍ଦ୍ର ନିଜ ହାତରେ ଦିଲ୍ଲୀ ବଜାରରୁ କିଣା ହୋଇଥିବା ପଦକ ଓ ଟ୍ରଫି ଧରିଛନ୍ତି। କୃଷ୍ଣ ମଧ୍ୟ ହସି ହସି ଫଟୋ ପୋଜ୍‌ ଦେଉଛନ୍ତି। ଏହି ଫଟୋ ଏବଂ ସାମାଜିକ ଗଣମାଧ୍ୟମରେ ଓ୍ଵାକୋ ଓଡ଼ିଶା ପକ୍ଷରୁ ପ୍ରକାଶ କରାଯାଇଥିବା ଫଟୋରେ ଥିବା ପାର୍ଥକ୍ୟ ବି ସ୍ପଷ୍ଟ ବାରି ହେଉଛି। ହେଲେ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଫଟୋ ଏବଂ ବିଭିନ୍ନ ଗଣମାଧ୍ୟମକୁ ଓ୍ଵାକୋ ଓଡ଼ିଶା ପକ୍ଷରୁ ଖବର ପ୍ରକାଶ କରିବା ପାଇଁ ଆନୁଷ୍ଠାନିକ ଭାବେ ଦିଆଯାଇଥିବା ଫଟୋରେ ପୂର୍ଣ୍ଣ ସାମଞ୍ଜସ୍ୟ ରହିଛି। ସେଥିରୁ ମୂଳ ଫଟୋ ଉଠିବା ପରେ ଯେ ଅନ୍ୟ ଦୁଇ ଖେଳାଳି ସତ୍ୟପ୍ରିୟ ପାତ୍ର ଏବଂ ଜିତେନ୍ଦ୍ର ରାଉତଙ୍କ ଫଟୋ ଫଟୋସପ୍‌ ସପ୍ଟଓ୍ଵୟାର ସହାୟତାରେ ଯୋଡ଼ି ଦିଆଯାଇଥିଲା ତାହା ପ୍ରମାଣିତ ହୋଇଛି। ଏହି ଫଟୋକୁ ସଭାପତିଙ୍କ ନିଜସ୍ୱ ଆକାଉଣ୍ଟ ଏବଂ କିକ୍‌ ବକ୍ସିଂ ପିଲାଙ୍କୁ ନେଇ ସ୍ଥାପନ କରାଯାଇଥିବା ଏକ ସ୍ୱତନ୍ତ୍ର ଓ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ମଧ୍ୟ ପ୍ରସାରିତ କରାଯାଇଥିଲା। ତାଙ୍କ ଅଜାଣତରେ ଖେଳାଳି ଓ କୃଷ୍ଣ ଏହି ନକଲି ଫଟୋ ପ୍ରସ୍ତୁତ କରିଥିଲେ ବୋଲି କାର୍ତିକ ଗୁରୁବାରର ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏଥିରୁ ପଦକ ଜାଲିଆତିରେ କୃଷ୍ଣ ମଧ୍ୟ ସିଧାସଳଖ ଜଡ଼ିତ ବୋଲି ପ୍ରମାଣିତ ହୋଇ ସାରିଛି। ସେହିପରି କୃଷ୍ଣ ନିଜେ ବୀରେନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଯାଇଥିବାରୁ ଅନ୍ତତଃ ବୀରେନ୍‌ ଧରିଥିବା ପଦକ ନକଲି ବୋଲି ସେ ଜାଣିଥିଲେ। କୃଷ୍ଣ ସଂପ୍ରତି ଓ୍ଵାକୋ ଓଡ଼ିଶାର ଆୟୋଜକ ସଂପାଦକ ଅଛନ୍ତି। ସେହି ଦୃଷ୍ଟିରୁ ସଂଘ ପକ୍ଷରୁ ଗଣମାଧ୍ୟମକୁ ଆନୁଷ୍ଠାନିକ ଭାବେ ଯେଉଁ ପ୍ରେସ୍‌ ବିଜ୍ଞପ୍ତି ଦିଆ ଯାଇଥିଲା ସେଥିରେ ଯେ ଜାଲିଆତି ହୋଇଛି ସେ ଭଲ ଭାବରେ ଜାଣିଥିବେ। ଏଣୁ ଖେଳାଳିମାନେ ଯେତିକି ଦୋଷୀ ସେ ମଧ୍ୟ ସେତିକି ଦୋଷୀ।

ସମ୍ବନ୍ଧିତ ଖବର