ଭୁବନେଶ୍ୱର: ରାଜ୍ୟ କିକ୍ ବକ୍ସିଂରେ ଚାଲିଥିବା କଳା କାରନାମାର ପର୍ଦାଫାସ ‘ସମ୍ବାଦ’ଗତବର୍ଷ ନଭେମ୍ବର ମାସରେ କରିଥିଲା। ଆମେଚର କିକ୍ ବକ୍ସିଂ ସଂଘ ଓଡ଼ିଶା ବା ଓ୍ଵାକୋ ଓଡ଼ିଶା କେମିତି ଦିଲ୍ଲୀ ବଜାରରୁ ପଦକ କିଣି ହଙ୍ଗେରିର ବୁଦାପେଷ୍ଟଠାରେ ଆୟୋଜିତ ଓ୍ଵାକୋ ବିଶ୍ୱ କିକ୍ ବକ୍ସିଂରେ ରାଜ୍ୟର ତିନି ଜଣ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଥିଲେ ବୋଲି ଦାବି କରିଥିଲା ତାର ପୂରା ଚିଠା ‘ସମ୍ବାଦ’ ଖୋଲିଥିଲା। ପ୍ରତିଯୋଗିତାକୁ ଆଦୌ ଯାଇ ନଥିବା ଖେଳାଳିଙ୍କଠାରୁ ପଇସା ନେଇ ଏବଂ ଖୋଲା ବଜାରରୁ ପଦକ କିଣି କେମିତି ସଂଘ ସମସ୍ତଙ୍କୁ ଭୁଆଁ ବୁଲାଇ ଥିଲା ତାହା ପଦାକୁ ଆଣିଥିଲା। ସେତେବେଳେ ଏହି ମାମଲା ରାଜ୍ୟ କ୍ରୀଡ଼ା ଜଗତରେ ହଇଚଇ ସୃଷ୍ଟି କରିଥିଲା। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମାମଲାର ଗୁରୁତ୍ୱକୁ ବୁଝି ତାଙ୍କ ବିଭାଗ ନିଜ ତରଫରୁ ଏଥିନେଇ ଏତଲା ଦାୟର କରିବ ବୋଲି ଘୋଷଣା କରିଥିଲେ। ‘ସମ୍ବାଦ’ର ୨୦୧୭ର ନଭେମ୍ବର ମାସ ୨୦ ତାରିଖ ସଂସ୍କରଣରେ ପ୍ରକାଶ ପାଇଥିବା ‘ବାଜାରରୁ ପଦକ କିଣି ବିଜେତା’ ଶୀର୍ଷକୁ ଆଧାର କରି କ୍ରୀଡ଼ା ଓ ଯୁବ ସେବା ବିଭାଗ ସେହି ମାସ ୩୦ ତାରିଖରେ ପତ୍ର ସଂଖ୍ୟା ୧୨୦୪୬/ଏସଓ୍ଵାଇଏସ୍ରେ ପୁଲିସ ଡିସିପିଙ୍କ ପାଖକୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ପତ୍ର ଲେଖିଥିଲା। ଇତିମଧ୍ୟରେ ପାଖା ପାଖି ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ରିପୋର୍ଟ ଦାଖଲ କରିନି। ସେଥିପାଇଁ ତଦନ୍ତ ରିପୋର୍ଟ ତୁରନ୍ତ ପଠାଇବାକୁ ଚଳିତ ଫେବ୍ରୁଆରି ୬ ତାରିଖରେ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଡିସିପିଙ୍କୁ ଆଉ ଏକ ପତ୍ର ଲେଖା ଯାଇଛି। ମାମଲାର ଗୁରୁତ୍ୱକୁ ବୁଝି ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ପତ୍ରରେ ଡିସିପିକୁ ଅନୁରୋଧ କରାଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢ଼ି ପତ୍ରସଂଖ୍ୟ ୧୪୫୪ରେ ଯଥାଶୀଘ୍ର ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ଆହ୍ଵାନ କରିଛନ୍ତି। ସେପଟେ ଏହି କଳା କାରନାମା ପଦାକୁ ଆସିବା ପରେ ମଧ୍ୟ ଓ୍ଵାକୋ ଓଡ଼ିଶା ସଭାପତି କାର୍ତିକ ଡାକୁଆ ଏବଂ ସଂପାଦକ ଯଯାତି ଧଳ ପୂର୍ବ ଭଳି ପିଲାଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ନେଉଥିବା ଜଣାପଡ଼ିଛି। ଏପରିକି କେତେକ ପିଲା ପଦକ ଜିତିଥିବା ଦାବି କରି ଏହି ଖବର ଗଣମାଧ୍ୟମରେ ପ୍ରକାଶ କରିବାକୁ ଶ୍ରୀ ଡାକୁଆ ବ୍ୟକ୍ତିଗତ ଭାବେ ଫୋନ୍ କରି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଥିବା ଭଳି ଖବର ପଦାକୁ ଆସିଛି। କିଛି ଦିନ ତଳେ ନିଖତ ବାନୁ ନାମକ ଜଣେ ମହିଳା କିକ୍ ବକ୍ସିଂ ତାରକା ଶ୍ରୀ ଡାକୁଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଝାରସୁଗୁଡ଼ାର ଏହି କିକ୍ ବକ୍ସିଂ ଖେଳାଳି ତାଙ୍କ ସହ ଘଟିଥିବା ଘଟଣାର ପୂରା ବିବରଣୀ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଡାକୁଆ କିଭଳି ଭାବେ ତାଙ୍କୁ ହଇରାଣ ହରକତ କରୁଥିଲେ ତ’ର ବିବରଣୀ ସେ ନିଜ ଫେସ୍ବୁକ୍ ପୃଷ୍ଠାରେ ଲେଖିଥିଲେ।
ତଦନ୍ତ ରିପୋର୍ଟ ପାଇଁ ଡିସିପିଙ୍କୁ ଚିଠି
କିକ୍ ବକ୍ସିଂ କେଳେଙ୍କାରୀ
/sambad/media/post_attachments/wp-content/uploads/2017/10/618844-538137-boxing-getty-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)