ସ୍କୁଲ ଫେରିବା ବାଟରେ ମାଙ୍କଡ଼ ଚିତ ଖେଳ ଦେଖାଉଥିବା ଛାତ୍ରଛାତ୍ରୀଙ୍କୁ ‘ସାଇ’ ତରଫରୁ ମିଳିଲା ପ୍ରଶିକ୍ଷଣ ସୁବିଧା

ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ ମିଡିଆରେ ସ୍କୁଲପୋଷାକରେ ସମରସଲ୍‌ଟ (ମାଙ୍କଡ଼ ଚିତ) ଖେଳ ଦେଖାଉଥିବା ଛାତ୍ର-ଛାତ୍ରୀଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଆଶ୍ଚର୍ଯ୍ୟ କଲା ଭଳି ଛାତ୍ରୀଙ୍କ ଖେଳ ଦେଖିବାକୁ ମିଳିଥିଲା। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ଏସ୍‌ଏଆଇ) ଦୁହିଁଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ଘୋଷଣା କରିଛନ୍ତି।

ସାଇର ଆଞ୍ଚଳିକ ନିର୍ଦ୍ଦେଶକ ମନମୀତ ସିଂହ ଗାଇନ୍ଦି ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ଏହାର ସୂଚନା ଦେଇଥିଲେ। ଏହି ଦୁଇ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କୋଲକାତାରେ ହେବ, ରହିବାକୁ ହଷ୍ଟେଲ ସୁବିଧା ବି ଦିଆଯିବ ବୋଲି କୁହାଯାଉଛି।

ଭିଡିଓରେ ପ୍ରଥମେ ଛାତ୍ର ମାଙ୍କଡ଼ ଚିତ କରୁଛନ୍ତି, ଏହାପରେ ଛାତ୍ରୀ ବି ଖୁବ୍‌ ସହଜରେ ଏଭଳି କରୁଥିବା ନଜର ଆସିଥିଲେ। ସେମାନଙ୍କୁ ଦେଖି ମନେହେଉଥିଲା କି ଗୋଡରେ ଯେପରି କୌଣସି ସ୍ପ୍ରିଙ୍ଗ ଲାଗିଛି। ତେବେ ଛାତ୍ରଛାତ୍ରୀଙ୍କ ଏଭଳି ଖେଳ ଦେଖି ଲୋକମାନେ ଅଲମ୍ପିକ ପାଇଁ ପ୍ରସ୍ତୁତ କରିବା ଲାଗି ଖେଳ ପ୍ରଶାସନଙ୍କୁ ଗୁହାରି ବି କରିଥିଲେ। ତେବେ ଏହି ଦୁଇ ଛାତ୍ରଛାତ୍ରୀ ଜସିକା ଖାନ୍‌ ଓ ମହମ୍ମଦ ଇଜାଜୁଦ୍ଦିନଙ୍କ ମାଙ୍କଡ ଚିତ ଖେଳର ଏହି ଭିଡିଓକୁ ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜିମନାଷ୍ଟ ନାଦିଆ କୋମାନସି ଟୁଇଟର ଆକାଉଣ୍ଟରେ ସେୟାର କରିଥିଲେ।

ଭାଇରାଲ ଭିଡିଓ ଆରମ୍ଭରେ ଆପଣ ଦେଖି ପାରିବେ ଦୁଇଜଣ ସ୍କୁଲ ପିଲା ସ୍କୁଲପୋଷାକ ପିନ୍ଧିଥିବା ନଜର ଆସୁଛନ୍ତି। ଏହାପରେ ଦୁହେଁ ସମରସଲ୍‌ଟ କରୁଛନ୍ତି। କେବଳ ଏତିକି ନୁହେଁ, ଛାତ୍ରୀ ଡବଲ୍‌ ସମରସଲ୍‌ଟ କରୁଥିବା ନଜର ଆସୁଛନ୍ତି।

ସମ୍ବନ୍ଧିତ ଖବର