ଭୁବନେଶ୍ୱର: ଚଳିତବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା କିଟ୍‍ର ୧୭ଜଣ ଖେଳାଳିଙ୍କୁ ରବିବାର କିଟ୍‍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମରେ କିଟ୍‍ର ୧୫ ଜଣ ଅଲିମ୍ପିଆନ୍‍ ଓ ୨ ଜଣ ପାରାଅଲିମ୍ପିଆନ୍‍ଙ୍କୁ ସମ୍ମାନିତ କରାଯିବା ସହ ପ୍ରତ୍ୟେକ ଖେଳାଳିଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ କ୍ରୀଡ଼ାବିତ୍‍ମାନଙ୍କୁ ସମ୍ବର୍ଦ୍ଧିତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି। ଅଲିମ୍ପିକ୍ସକୁ ସର୍ବାଧିକ ଖେଳାଳି ପଠାଇ କିଟ୍‍ ନିଜକୁ ଗୌରବାନ୍ୱିତ ମନେକରେ। କିଟ୍‍ ଓ କିସ୍‍ରୁ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଲିମ୍ପିଆନ୍‍, ୨ଜଣ ପାରାଅଲିମ୍ପିଆନ୍‍ ତିଆରି ହୋଇସାରିଲେଣି। ସେମାନେ ୨୦୧୬ ରିଓ ଅଲିମ୍ପିକ୍‍ସ, ୨୦୨୦ ଟୋକିଓ ଅଲିମ୍ପିକ୍‍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ୧୭ ଜଣ ଚଳିତ ବର୍ଷ ପ୍ୟାରିସ୍‍ରେ ହୋଇଥିବା ଅଲିମ୍ପିକ୍ସ ଓ ପରାଅଲିମ୍ପକ୍ସରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ୭ ଜଣ ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ମଧ୍ୟ ରହିଛନ୍ତି। 

Advertisment

ପୂର୍ବ ଘୋଷଣା ମୁତାବକ ଆଜି ସମସ୍ତଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏଥିସହ ଦୁଇ ପଦକ ବିଜେତା ହକି ଅମିତ ରୋହିଦାସ ଓ ପାରା ଉଚ୍ଚ ଡିଆଁ ଖେଳାଳି ପ୍ରବୀଣ କୁମାରଙ୍କୁ ଅତିରିକ୍ତ ଭାବେ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଆ ପୁଅ ଅମିତ ଲଗାତାର ଭା‌ବେ କାଂସ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ। ସେହିପରି ଗତ ଥର ଟି-୬୪ ଉଚ୍ଚ ଡିଆଁରେ ରୌପ୍ୟ ଜିତିଥିବା ପ୍ରବୀଣ ଏଥର ‌ସ୍ବର୍ଣ୍ଣ ପାଇଥିଲେ। ଏହି ଦୁଇ ଜଣଙ୍କ ବାଦ୍‌ ଓଡ଼ିଆ ପୁଅ କିଶୋର କୁମାର ଜେନା ଓ ଅନୁ ରାଣୀ (ଜାଭେଲିନ୍‍ ଥ୍ରୋ), ତଜିନ୍ଦରପାଲ ସିଂହ ତୁର (ସଟ୍‍ପୁଟ୍‍), ପାରୁଲ ଚୌଧୁରୀ (୫ହଜାର ମିଟର, ଷ୍ଟିପ୍‍ଲଚେଜ୍‍), ଜ୍ୟୋତି ୟାରାଜି (୧୦୦ ମିଟର ବାଧାଦୌଡ଼), ପ୍ରିୟଙ୍କା (୨୦ କିମି ରେସ୍‍ ୱାକ୍‍), ପ୍ରାଚୀ ଓ ଏମ୍‍ ଆର୍‍ ପୁଭାମା (୪ ଗୁଣା ୪୦୦ ମିଟର ରିଲେ), ପରମଜିତ୍‍ ସିଂହ ବିଷ୍ଟ, ଅକ୍ଷଦୀପ ସିଂହ ଓ ବିକାଶ ସିଂହ (୨୦ କିମି ରେସ୍‍ ୱାକ୍‍), ଅଙ୍କିତା (୫ ହଜାର ମିଟର ଦୌଡ଼), ରାମପାଲ୍‍ ସିଂହ (ପରାଆଥଲେଟ୍‍ ଉଚ୍ଚଡିଆଁ), କିରଣ (୪୦୦ ମିଟର ଦୌଡ଼) ଏବଂ ସୂରଜ ପନୱାର (ମାରାଥନ୍‍ ରେସ୍‍ୱାକ୍‍)ଙ୍କୁ ସମ୍ବର୍ଦ୍ଧନା ସହ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ପ୍ରିୟଙ୍କା, ପାରୁଲ ଚୌଧୁରୀ, ଅଙ୍କିତା, ପରମଜିତ୍‍ ସିଂହ ବିଷ୍ଟ ଓ ସୂରଜ ପନୱାରା ଏହି ସମ୍ବର୍ଦ୍ଧନା ଉତ୍ସବରେ ବ୍ୟକ୍ତିଗତ କାରଣ ଯୋଗୁଁ ଉପସ୍ଥିତ ରହି ନଥିଲେ।

ପ୍ରତି ଖେଳାଳିଙ୍କୁ ମିଳିଲା ୭ ଲକ୍ଷ ଟଙ୍କାର ପ୍ରୋତ୍ସାହନ
ପଦକ ବିଜେତା ପ୍ରବୀଣ, ଅମିତଙ୍କୁ ସ୍ବତନ୍ତ୍ର ପୁରସ୍କାର

ଏହି ଅବସରରେ ଚତୁର୍ଥ ଦକ୍ଷିଣ ଏସିଆ କନିଷ୍ଠ ଦୌଡ଼କୁଦ ଓ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ପଦକ ଜିତିଥିବା କିଟ୍‍ ଓ କିସ୍‍ ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ସମସ୍ତ ଖେଳାଳି ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଅଲିମ୍ପିକ୍‍ସ ପୂର୍ବରୁ ସେମାନଙ୍କ ପାଇଁ ଶ୍ରୀ ସାମନ୍ତ ଘୋଷଣା କରିଥିବା ଆର୍ଥିକ ପୁରସ୍କାର ସେମାନଙ୍କ ମନୋବଳ ବୃଦ୍ଧି କରିଥିବା ପ୍ରକାଶ କରିଥିଲେ। ଏସିଆ କନିଷ୍ଠ ଦୌଡ଼କୁଦରେ ରୌପ୍ୟ ଓ କାଂସ୍ୟ ଜିତିଥିବା ଧାବକ ଦଣ୍ଡପତି ମୃତ୍ୟୁମ ଜୟରାମଙ୍କୁ ୪୦,୦୦୦ ଏବଂ ମହେନ୍ଦ୍ର ସାନ୍ତା ଓ ସବିତା ଟୋପ୍ପୋଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। 

କାର୍ଯ୍ୟକ୍ରମରେ ଓଡ଼ିଶାର ତାରକା ଖେଳାଳି ଅନୁରାଧା ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଦୂତି ଚାନ୍ଦ, ଅମିୟ ମଲ୍ଲିକ, ଶ୍ରାବଣୀ ନନ୍ଦ, ମିନତୀ ମହାପାତ୍ର, କିଟ୍‍ ଛାତ୍ରୀ ତଥା ଅଲିମ୍ପିଆନ୍‍ ଭବାନୀ ଦେବୀ, ଆଭା ଖଟୁଆ, ଋତୁପର୍ଣ୍ଣା ପଣ୍ଡା, ଶ୍ୱେତପର୍ଣ୍ଣା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ଯୋଗ ବିଭାଗ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଖେଳାଳିଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉପଦେଷ୍ଟା ଉପେନ୍ଦ୍ର ମହାନ୍ତି, କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ମୁଖ୍ୟ ଦୌଡ଼କୁଦ ପ୍ରଶିକ୍ଷକ ସଞ୍ଜୟ କୁମାର ଗଡ଼ନାୟକ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।