ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ, ଆଲେକ୍ଜାଣ୍ଡର ୱାସ୍କେ ଟେନିସ୍ ବିଶ୍ବବିଦ୍ୟାଳୟ ଓ ଅଲ୍ଟେଭୋଲ୍ ସ୍ପୋର୍ଟ୍ସ ଏକାଡେମୀ ମିଳିତ ସହଭାଗିତାରେ ଏକ ପେସାଦାର ଟେନିସ୍ ଏକାଡେମୀ ବୁଧବାର କିଟ୍ ପରିସରରେ ଉଦ୍ଘାଟିତ ହୋଇଛି। ଏହି ଏକାଡେମୀକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କ୍ରୀଡ଼ା ସଚିବ ଆର୍. ଭିନିଲ କ୍ରିଷ୍ଣା ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଜର୍ମାନିର ପୂର୍ବତନ ଟେନିସ୍ ଖେଳାଳି ତଥା ପ୍ରଶିକ୍ଷକ ଆଲେକ୍ଜାଣ୍ଡର ୱାସ୍କେ, ଅଲ୍ଟେଭୋଲ ସ୍ପୋର୍ଟ୍ସ ଏକାଡେମୀ ପ୍ରତିଷ୍ଠାତା ଚିରାଗ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଅଲ୍ଟେଭାଲ୍ ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ ଭାରତରେ ପ୍ରଥମେ ଗୁଜୁରାଟରେ ଟେନିସ୍ ଏକାଡେମୀ ଆରମ୍ଭ କରାଯାଇଥିଲା। କିଟ୍ରେ ଏହା ଦ୍ବିତୀୟ ଏକାଡେମୀ ବୋଲି ସୂଚନା ଦିଆଯାଇଛି।
କିଟ୍ ଓ କିସ୍ରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ ଟେନିସ୍ ଖେଳାଳି ଅଛନ୍ତି। ସେମାନଙ୍କୁ ପୋସାଦାର ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ରାଜ୍ୟରେ ଥିବା ପ୍ରତିଭାବାନ୍ ଖେଳାଳିମାନଙ୍କୁ ଚୟନ କରି ପ୍ରଶିକ୍ଷଣ ଦେବା ପାଇଁ ଏହି ଏକାଡେମୀ ଆରମ୍ଭ କରାଯାଇଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷକ ୱାସ୍କେଙ୍କ ମତରେ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ଅନେକ ଟେନିସ୍ ପ୍ରତିଭା ଅଛନ୍ତି। ହେଲେ ବିଭିନ୍ନ ଗ୍ରାଣ୍ଡ ସ୍ଲାମ୍ ପ୍ରତିଯୋଗିତାରେ ଭାରତରୁ ଏକକ ଖେଳାଳି ବହୁତ୍ କମ୍ ଖେଳିବାକୁ ଯାଉଛନ୍ତି। ଯେଉଁମାନେ ବି ଯାଉଛନ୍ତି ଆରମ୍ଭରୁ ହାରିଯାଉଛନ୍ତି। ଗ୍ରାଣ୍ଡ ସ୍ଲାମରେ ଟ୍ରଫି ଜିତିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କ ଆଗ୍ରହ ଥାଏ। କିନ୍ତୁ ସମସ୍ତେ ତାହା ହାସଲ କରିପାରନ୍ତିନି। ଓଡ଼ିଶାରେ ଆମେ ଖେଳାଳିମାନଙ୍କୁ ଗ୍ରାଣ୍ଡ ସ୍ଲାମ୍ସ୍ତରର ଖେଳିବା ନେଇ ପ୍ରଶିକ୍ଷଣ ପ୍ରଦାନ କରିବୁ। ଏଥିପାଇଁ ପାଖାପାଖି ୧୬ ଜଣ ପ୍ରଶିକ୍ଷକ ଏଠାରେ ନିୟୋଜିତ ହେବେ ବୋଲି ୱାସ୍କେ କହିଛନ୍ତି। ଏଥିସହିତ ଏକାଡେମୀରେ ଫିଜିଓଥେରାପି, ଫିଟ୍ନେସ୍ ଉପରେ ଅଧିକ ଧ୍ୟାନ ଦିଆଯିବ। ଖେଳାଳିମାନଙ୍କୁ ତିନିଟି ସ୍ତରର ପ୍ରଶିକ୍ଷଣ ଦିଆଯିବ। ପ୍ରଥମେ ପ୍ରତିଭାବାନ ନବାଗତ ଖେଳାଳିମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟର ତାଲିମ ଦିଆଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ପିଲାମାନଙ୍କୁ ଅଲଗା ଭାବେ ପ୍ରଶିକ୍ଷଣ ଦିଆଯିବ ଏବଂ ଭଲ ମାନ୍ୟତା ପାଇଥିବା ତଥା ନିୟମିତ ଖେଳିଆସୁଥିବା ବରିଷ୍ଠ ଖେଳାଳିମାନଙ୍କୁ ହାଇ ପର୍ଫମାନ୍ସ ପ୍ରଶିକ୍ଷଣ ଦିଆଯବ ବୋଲି କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ସୂଚନା ଦେଇଛନ୍ତି।