ଜିଏମ୍‌ ମାନିକଙ୍କୁ ହରାଇଲେ କିରଣ ମନୀଷା

କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏକାଦଶ କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବର ମୁଖ୍ୟ ବର୍ଗ (କାଟେଗୋରି ‘ଏ’)ର ଅଷ୍ଟମ ରାଉଣ୍ଡରେ ଓଡ଼ିଶା ଡବ୍ଲ୍ୟୁଜିଏମ୍‌ କିରଣ ମନୀଷା ମହାନ୍ତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ବୁଧବାର ଜଣେ ଜିଏମ୍‌ଙ୍କୁ ହରାଇ ସେ ମିଳିତ ଚତୁର୍ଥକୁ ଉନ୍ନୀତ ହୋଇଛନ୍ତି। କିରଣ ମନୀଷା (୨୧୦୮) ସ୍ଲୋଭାକିଆ ଜିଏମ୍‌ ମାନିକ ମିକୁଲାସ (୨୪୧୧)ଙ୍କୁ ହରାଇ ଆଜିର ସବୁଠୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେପଟେ ଅଷ୍ଟମ ପର୍ଯ୍ୟାୟ ଶେଷ ସୁଦ୍ଧା ୭ ପଏଣ୍ଟ ଲେଖାଏଁ ପାଇ ୟୁକ୍ରେନୀୟ ଗ୍ରାଣ୍ଡମାଷ୍ଟର୍‌ ମାର୍ଟିନ୍‌ କ୍ରାଭ୍‌ସିଭ୍‌ ଓ ଭାରତୀୟ ଆଇଏମ୍‌ କାର୍ତିକ ଭେଙ୍କଟରମଣ ଯୁଗ୍ମ ପ୍ରଥମ ସ୍ଥାନରେ ରହିଛନ୍ତି। ଉଭୟ ନିଜ ନିଜ ମ୍ୟାଚ୍‌ ଜିତି ଶୀର୍ଷରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ଦେଇଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ସପ୍ତମ ରାଉଣ୍ଡ ସୁଦ୍ଧା ମିଳିତ ଆଗୁଆ ଥିବା ୬ ଖେଳାଳିଙ୍କ ମଧ୍ୟରୁ ୪ ଜଣ ନିଜ ନିଜ ମୁକାବିଲା ଅମୀମାଂସିତ ରଖି ମିଳିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଗତକାଲି ମିଳିତ ପ୍ରଥମରେ ଥିବା ଓଡ଼ିଶା ଗ୍ରାଣ୍ଡମାଷ୍ଟର୍‌ ଦେବାଶିଷ ଦାସ (୬.୫) ପଶ୍ଚିମବଙ୍ଗ ଜିଏମ୍‌ ଦୀପ୍ତାୟନ ଘୋଷଙ୍କ ସହ ପଏଣ୍ଟ ବାଣ୍ଟି ମିଳିତ ଦ୍ୱିତୀୟକୁ ଖସି ଯାଇଛନ୍ତି। ତାଙ୍କ ସହ ଦୀପ୍ତାୟନ, ତାଜିକିସ୍ତାନ ଜିଏମ୍‌ ଫାରୁକ୍‌ ଅମୋନତୋଭ, ଭିଏତନାମ ଜିଏମ୍‌ ମିନ୍‌ ତ୍ରାନ୍‌ ତୁନ୍‌, ରୁଷିଆ ଜିଏମ୍‌ ମିଖାଇଲ ମଝାରୋଭ, ଆନ୍ଦ୍ରେଇ ଦେଭିଆତକିନ୍‌ ୬.୫ ପଏଣ୍ଟ ଲେଖାଏଁ ପାଇ ମିଳିତ ଦ୍ୱିତୀୟରେ ରହିଛନ୍ତି। ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ସୁଶୋଭିତ୍‌ ଦାସ ଓ କିରଣ ମନୀଷା ମହାନ୍ତି ୫.୫ ଏବଂ ଆଇଏମ୍‌ ସିଦ୍ଧାନ୍ତ ମହାପାତ୍ର, ରାଜେଶ ନାୟକ, କିଟ୍‌ର ଉତ୍କଳ ରଂଜନ ସାହୁ ୫ ପଏଣ୍ଟ ଲେଖାଏଁ ପାଇଛନ୍ତି। ଅନ୍ୟପକ୍ଷରେ ବୈଭବ ମିଶ୍ର ୪.୫ ପଏଣ୍ଟରେ ଅଛନ୍ତି।

ସମ୍ବନ୍ଧିତ ଖବର