ଭୁବନେଶ୍ୱର: ଜାନୁଆରୀ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ କିଟ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ସାମାଜିକ ଓ ଶିକ୍ଷାଗତ ଚେସ୍ (ସୋସିଆଲ୍‍ ଆଣ୍ଡ୍‌ ଏଜୁକେସନାଲ୍‍ ଚେସ୍‍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ। ଭାରତରେ କିଟ୍‌ରେ ପ୍ରଥମ ଥର ଲାଗି ଚେସ୍‍ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି। ଅନ୍ତର୍ଜାତୀୟ ଚେସ୍‍ ସଂଘ (ଏଫ୍‍ଆଇଡିଇ) ଓ ଭାରତୀୟ ଚେସ୍‍ ସଂଘ (ଏଆଇସିଏଫ୍‍)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍‍ର ଏହି ମହାକୁମ୍ଭରେ ଏଫ୍‍ଆଇଡିଇର ସଭାପତି ତଥା ଋଷର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଡଭୋର୍କୋବିଚ୍‍, ଏଫ୍‍ଆଇଡିଇର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ୍‌ ମାଷ୍ଟର୍‌ ବିଶ୍ୱନାଥନ୍‍ ଆନନ୍ଦ, ଏଫ୍‍ଆଇଡିଇର ଡେପୁଟି ଚେୟାର ତଥା ଲାଟ୍‌ଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍‍, ଏଆଇସିଏଫ୍‍ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍‍ ଓ ଇଭେଣ୍ଟ କମିସନ୍‍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କିଟ୍‍ ପରିସରରେ ଥିବା ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ହଲ୍‍ ଓ ଚେସ୍‍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍‍ଘାଟନ କରିବେ। ଉଭୟ କିଟ୍‍ କ୍ୟାମ୍ପସ୍‍ ଓ ହୋଟେଲ୍‍ ମେ’ଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବ।

Advertisment

ଆହୁରି ପଢନ୍ତୁ- GPLF Building: ୧୫କୋଟି ଜିପିଏଲଏଫ କୋଠା ନିର୍ମାଣ ଅଧାରୁ ବନ୍ଦ

ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍‍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍‍ ତାରକା ଯୋଗ ଦେଉଛନ୍ତି। ଏହା ସହିତ ମୋଟ ୫ହଜାର ୨ଶହ ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ହଜାର ଚେସ୍‍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏଥିରେ ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି, ଭାରତରେ କିଟ୍‌ରେ ପ୍ରଥମ ଥର ପାଇଁ ଏଭଳି ମେଗା କାର୍ଯ୍ୟକ୍ରମ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗୌରବର ବିଷୟ। ଏହା ଦ୍ୱାରା ଓଡ଼ିଶାର ଖେଳାଳିମାନେ ବିଶେଷ ସୁଯୋଗ ପାଇବା ସହ ସେମାନଙ୍କ ପାଇଁ ଏହା ଉଦାହରଣ ହୋଇ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଟ୍‍ ଓ କିସ୍‍ ଦୀର୍ଘ ଦିନରୁ ଚେସ୍‍ର ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି। ‘କିସ୍‌’ରେ ସମୟକୁ ସମୟ ଅନ୍ତର୍ଜାତୀୟ ଚେସ୍‍ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ ଏବଂ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ପ୍ରତିଯୋଗିତାରେ ସବୁଠାରୁ ଅଧିକ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ।

ଆହୁରି ପଢନ୍ତୁ- E Cigarate: ଲୋକସଭାରେ ଇ-ସିଗାରେଟ ଟାଣିବା ପ୍ରସଙ୍ଗ: ବାଚସ୍ପତି କହିଲେ ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ