ଭୁବନେଶ୍ୱର: ପାତିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ରଗ୍ବି ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱିମୁକୁଟ ହାସଲ କରିଛି। ଏହାର ଉଭୟ ପୁରୁଷ ଓ ମହିଳା ଦଳ ବିଜେତା ହୋଇଛନ୍ତି। ଶନିବାର ଫାଇନାଲ୍ରେ ପୁରୁଷ ଦଳ ୨୪-୧୪ ପଏଣ୍ଟ୍ରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା ବେଳେ ମହିଳା ଦଳ ୨୫-୫ରେ ଆୟୋଜକ ପଞ୍ଜାବୀ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଟ୍ରଫି କରାୟତ କରିଛନ୍ତି। ଏଥି ସହିତ ଉଭୟ ବର୍ଗର ବିଜେତା ଓ ଉପବିଜେତା ଦଳ ମଧ୍ୟ ଆଗାମୀ ଜୁଲାଇ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍ବି ସେଭେନ୍ସ ପ୍ରତିଯୋଗିତାର ମନୋନୟନ ଟ୍ରାଏଲ୍କୁ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ଏହି ମନୋନୟନ ଟ୍ରାଏଲ୍ ଆସନ୍ତା ମେ ୨୭ ଓ ୨୮ ତାରିଖ ଦୁଇଦିନ ଧରି କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ବିଜେତା କିଟ୍ର ଦୁଇ ଦଳ ସାଙ୍ଗକୁ ଉପବିଜେତା ଉତ୍କଳ ବିଶ୍ୱବିଦ୍ୟାଳୟ ଦଳକୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୨୪ ପୁରୁଷ ଏବଂ ୨୦ ମହିଳା ଦଳ ଭାଗ ନେଇଥିଲେ।
କିଟ୍ ପୁରୁଷ ଦଳ: ରାଜକିଶୋର ମୁର୍ମୁ, ଗୌରାଙ୍ଗ ଜାମୁଡା, ଅଲେଖ ମୁର୍ମୁ, ସୁଗୁଡ଼ା ମାଝୀ, ଅଜିତ୍ କୁମାର ହାଁସ୍ଦା, ସମୀର ମଲ୍ଲିକ, ଅଜୟ ଓରାମ, ସର୍ବେଶ୍ୱର ମୁର୍ମୁ, କାଳିଚରଣ ବିଶ୍ୱାଳ, ରାଜକିଶୋର ପାତ୍ର, ନୁନାରାମ ହାଁସ୍ଦା, ହାଡି ଧାଙ୍ଗଡା ମାଝୀ।
କିଟ୍ ମହିଳା ଦଳ: ହୁପୀ ମାଝୀ, ସୁମିତ୍ରା ନାୟକ, ସରସ୍ୱତୀ ହାଁସ୍ଦା, ଲିଜା ସର୍ଦାର, ରଜନୀ ଶବର, ସୋନୀ ମାଣ୍ଡାଙ୍ଗୀ, ଏଲିଜାବେଥ୍ ପ୍ରଧାନ, ମନିକା ମାଝୀ, ବାସନ୍ତୀ ପାଙ୍ଗୀ, ଭୁବନେଶ୍ୱରୀ ସିଂହ, ଚାନ୍ଦିନୀ ପ୍ରଧାନ, ଲଲିତା ମଲ୍ଲିକ।
ଓଡ଼ିଶାରେ ନୂଆ ଅଧ୍ୟାୟ
ଓଡ଼ିଶା କ୍ରୀଡ଼ା ଇତିହାସରେ ଏହା ନୂଆ ଅଧ୍ୟାୟ ସଂଯୋଗ କରିଛି। ପ୍ରଥମ ଥର ପାଇଁ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ଦଳ ସର୍ବଭାରତୀୟ ବିଜେତା ହେବାର ଗୌରବ ପାଇଛି। କେବଳ ବ୍ୟକ୍ତିଗତ ଖେଳ ଯୋଗ ଓ ତୀରନ୍ଦାଜୀରେ ପଦକ ମିଳିଥିବାବେଳେ ଏବେ କିଟ୍ ରଗ୍ବି ଦଳ ଓଡ଼ିଶା ପାଇଁ ନୂଆ ପରିଚୟ ଦେଇଛି। ସୂଚନାଯୋଗ୍ୟ ରଗ୍ବିକୁ ପ୍ରଥମ ଥର ପାଇଁ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୂଚୀରେ ସାମିଲ କରାଯାଇଥିଲା। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟ ରଗ୍ବି ଫାଇନାଲ୍କୁ ଉନ୍ନୀତ ହେବା ଉଲ୍ଲେଖନୀୟ ସଫଳତା ହୋଇଛି। ଅର୍ଥାତ୍ ପୂର୍ବରୁ ଯାହା ହୋଇନଥିଲା ଏବେ ତାହା ସମ୍ଭବ ହୋଇଛି।