ଫନି ପ୍ରକୋପ ସତ୍ତ୍ବେ କିଟ୍ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ, ଏକାଧିକ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର: ଫନି ପ୍ରକୋପରେ ପ୍ରଭାବିତ ହେବା ସତ୍ତ୍ବେ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଏକାଧିକ କ୍ରୀଡ଼ା ଭିତ୍ତିଭୂମି ପୁଣି ସଜାଡି ହୋଇଉଠିଛି। ରାଜଧାନୀରେ କଳିଙ୍ଗ ଷ୍ଟାଡିୟମ୍ ପରେ ଦ୍ବିତୀୟ ସର୍ବାଧିକ କ୍ରୀଡ଼ା ଭିତ୍ତିଭୂମି ରଖିଥିବା ଏହି ଖ୍ୟାତନାମା ବିଶ୍ବବିଦ୍ୟାଳaୟ ଏବେ ଏକାଧିକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମେ’ ୧୪ ତାରିଖରୁ ଜୁନ୍‌ ୨୫ ପର୍ଯ୍ୟନ୍ତ ସାଇ ଏନଏସ୍‌ଆଇଏସ୍ ପାତିଆଲା ପକ୍ଷରୁ ମୋଟ ୧୩ଟି କ୍ରୀଡ଼ା ଶୃଙ୍ଖଳାରେ ୬ ସପ୍ତାହ ବିଶିଷ୍ଟ କ୍ରୀଡ଼ା ପ୍ରଶିକ୍ଷଣ ପାଠ୍ୟକ୍ରମରେ ମୋଟ ୪୩୨ ଜଣ ଭାଗନେବେ। ମେ’ ୩ ରୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ୧୯ ବର୍ଷରୁ କମ୍ ଏନସିଏ ପ୍ଲେଟ୍‌ ଗ୍ରୁପ୍‌ ବାଳିକା କ୍ରିକେଟ୍‌ ଶିବିର ଆରମ୍ଭ ହୋଇଛି।

ସବୁଠାରୁ ବଡ଼ ବାର୍ଷିକ କ୍ରୀଡ଼ା ମହୋତ୍ସବ ମେ’ ୩୧ରୁ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ହେଉଛି ଦ୍ବାଦଶ କିଟ୍ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ। ପୂର୍ବ ବର୍ଷମାନଙ୍କ ଭଳି ଏହା ୩ଟି ବର୍ଗରେ ଖେଳାଯିବ। ୨୦୦୦ରୁ ଊର୍ଧ୍ବ ରେଟିଂ ବର୍ଗର କାଟେ‌ଗୋରି ‘ଏ’ ‌ମେ’ ୩୧ରୁ ଜୁନ୍‌ ୭ ପର୍ଯ୍ୟନ୍ତ ଚାଲିବ। ୧୯୦୦ରୁ କମ୍‌ ରେଟିଂର କାଟେଗୋରି-ବି ପ୍ରତିଯୋଗିତା ମେ’ ୩୧ରୁ ଜୁନ୍‌ ୩ ଏବଂ ୧୬୦୦ରୁ କମ୍‌ ରେଟିଂ ବର୍ଗର କାଟେଗୋରି-ସି ପ୍ରତିଯୋଗିତା ଜୁନ୍ ୪ରୁ ୭ ପର୍ଯ୍ୟନ୍ତ ଚାଲିବ। ମୋଟ ୨୧ ଦେଶରୁ ଏକାଧିକ ଗ୍ରାଣ୍ଡମାଷ୍ଟର, ଅର୍ନ୍ତଜାତୀୟ ମାଷ୍ଟରଙ୍କ ସହ ପ୍ରମୁଖ‌ ଖେଳାଳି ଏଥିରେ ଭାଗନେବେ। ଯାହାକୁ ଭାରତର ଶ୍ରେଷ୍ଠ ଚେସ୍ ପ୍ରତିଯୋଗିତା ଭାବେ ସ୍ବୀକୃତ ହୋଇଛି। ଅନ୍ୟପକ୍ଷରେ ୫୦ତମ କେନ୍ଦ୍ରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଦୁଇଟି ପର୍ଯ୍ୟାୟରେ କିଟ୍ ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଆୟୋଜନ କରିଛି। ଜୁନ୍ ୮ରୁ ୧୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଭଲିବଲ, ତୀରନ୍ଦାଜୀ, ହକି, ବ୍ୟାଡମିଣ୍ଟନ୍, ବକ୍ସିଂ, କବାଡ଼ି ଏବଂ ଜୁନ୍‌ ୧୬ରୁ ୨୦ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ବାସ୍କେଟବଲ, ବ୍ୟାଡମିଣ୍ଟନ୍‌, କବାଡ଼ି, ଚେସ୍, ଯୋଗ, ରୋପ୍ ସ୍କିଂ ସାମିଲ ରହିଛି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦୦୦ ବିଦ୍ୟାଳୟ ସ୍ତରୀୟ ଖେଳାଳି ଭାଗନେବେ ବୋଲି କିଟ୍ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର