କିଟ୍‌ ଇଣ୍ଟର୍‌ନ୍ୟାସନାଲ୍ ଚେସ୍‌: ପୁରସ୍କାର ରାଶି ୨୫ ଲକ୍ଷ

ସୋମବାରଠାରୁ ଏମ୍‍ପିଏଲ୍‍ ଜାତୀୟ ସ୍କୁଲ୍‍ ଚେସ୍‍

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ କିଟ୍‌କୁ ପୁଣି ଫେରୁଛି ଚେସ୍‌ ମହୋତ୍ସବ। ସୋମବାରଠାରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କୁ ନେଇ ଦୁଇ ସପ୍ତାହ ଧରି ଚେସ୍‌ର ମେଳା ବସିବ ଏହି ଘରୋଇ ବିଶ୍ବଦିଦ୍ୟାଳୟ ପରିସରରେ। କିଟ୍‍-କିସ୍‍ ଏବଂ ନିଖିଳ ଓଡ଼ିଶା ଚେସ୍‍ ସଂଘ (ଏଓସିଏ) ପକ୍ଷରୁ ଏମ୍‍ପିଏଲ୍‍ ୧୦ମ ଜାତୀୟ ସ୍କୁଲ୍‍ ପ୍ରତିତିଯୋଗିତା ମେ ୧୬ ତାରିଖଠାରୁ କିସ୍‍ ଇଣ୍ଡୋର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବାକୁ ଯାଉଛି। ୭, ୯, ୧୧, ୧୩, ୧୫ ଓ ୧୭ ବର୍ଷରୁ କମ୍‌ ଓପନ୍‍ ଓ ବାଳିକା ବର୍ଗରେ ବିଦ୍ୟାଳୟ ସ୍ତରୀୟ ଜାତୀୟ ପ୍ରତିଯୋଗିତା ହେବ। ଏଥିରେ ଭାରତୀୟ ଚେସ୍‍ ସଂଘ ସ୍ୱୀକୃତିପ୍ରାପ୍ତ ଏଓସିଏ ଖେଳାଳିମାନେ ପଞ୍ଜୀକରଣ କରିପାରିବେ ବୋଲି ସମ୍ପାଦକ ଦେବବ୍ରତ ଭଟ୍ଟ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରତିଯୋଗିତା ଲାଗି ମୋଟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ବର୍ତ୍ତମାନ ଓଡ଼ିଶାରୁ ୧୪୨ ସ୍କୁଲ୍‍ ପିଲାଙ୍କ ସମେତ ୧୦୨୪ ପଞ୍ଜୀକରଣ କରିଛନ୍ତି। ୩୦ ଆର୍ବିଟର ଓ ୫୦ ଅଫିସିଆଲ୍‍ ମଧ୍ୟ ଯୋଗଦେବେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ବଡ଼ ପ୍ରତିଯୋଗିତା ହେଉଛି।

ସେହିପରି କିଟ୍‍ ସହଯୋଗରେ ଏଓସିଏ ପକ୍ଷରୁ ମେ’ ୨୨ ତାରିଖଠାରୁ ୧୩ତମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭାଲ୍‍ ଅନୁଷ୍ଠିତ ହେବ। ୧୦ଟି ଦେଶରୁ ଗ୍ରାଣ୍ଡ ମାଷ୍ଟରଙ୍କ ସହ ଅନ୍ତର୍ଜାତୀୟସ୍ତରର ୭ଶହ ଖେଳାଳି ମଧ୍ୟ ଏଥିରେ ଯୋଗ ଦେବେ। ଓଡ଼ିଶା ଚେସ୍‌ର ଚେହେରା ବଦଳାଇଥିବା ଏହି ପ୍ରତିଯୋଗିତା ଲାଗି ଏଥର ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରଖାଯାଇଛି। କିଟ୍‍ ଏଭଳି ଜାତୀୟ ଓ ଅନ୍ତର୍ଜାତୀୟ ଚେସ୍‍ ପ୍ରତିଯୋଗିତା ଆୟୋଜନ କରାଯାଉଥିବାର ଓଡ଼ିଶା ଚେସ୍‍ ଆସୋସିଏସନ୍‍ ଓ ଭାରତୀୟ ଚେସ୍‍ ଫେଡେରେସନ୍‍ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‍-କିସ୍‍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସଂଘ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଏଓସିଏ କୋଷାଧ୍ୟକ୍ଷ ଭବେଶ ମହାନ୍ତି, ଅନ୍ତର୍ଜାତୀୟ ଆର୍ବିଟର୍‍ ସୁରେଶ ଚନ୍ଦ୍ର ସାହୁ, କାର୍ଯ୍ୟକରିଣୀ ସଦସ୍ୟ ପ୍ରଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର