ଭାରତର ଶ୍ରେଷ୍ଠ ୧୦ ଆଥ୍‌ଲେଟିକ୍‍ ଏକାଡେମି ମଧ୍ୟରେ କିଟ୍‍

ଭୁବନେଶ୍ୱର: ଭାରତର ଶ୍ରେଷ୍ଠ ୧୦ ଆଥ୍‌ଲେଟିକ୍‍ ଏକାଡେମି ମଧ୍ୟରେ ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍‍ ମିଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏଭଳି ଏକ ନିଆରା ତଥା ସ୍ବାଗତଯୋଗ୍ୟ ତାଲିକାରେ କିଟ୍ ଚତୁର୍ଥ ସ୍ଥାନରେ ରହିଛି। ଯାହା ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ସମସ୍ତ ଅନୁଷ୍ଠାନ ପେସାଦାର କ୍ରୀଡ଼ା ଅନୁଷ୍ଠାନ ହୋଇଥିବା ବେଳେ କିଟ୍‍ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି। କିଟ୍ ଓ କିସ୍‌ରେ ଆନ୍ତର୍ଜାତିକମାନର ବହୁବିଧ କ୍ରୀଡ଼ା ଭିତ୍ତିଭୂମି ଥିଲା ବେଳେ ଏଠାରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇସାରିଛି। ଏହା ମଧ୍ୟ ସର୍ବବୃହତ୍ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ଏକମାତ୍ର ଶିକ୍ଷାନୁଷ୍ଠାନ।

ଏଠାରୁ କିସ୍‍ ମାଧ୍ୟମରେ ୫ ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ ସୃଷ୍ଟି ହୋଇ ସାରିଲେଣି। ଫୁଟବଲ୍‍, ଭଲିବଲ୍‍, ରଗବି, ହକି, କ୍ରିକେଟ୍‍ ଓ ଇଣ୍ଡୋର ଷ୍ଟାଡିୟମ୍‍ ସହ ସ୍ୱତନ୍ତ୍ର ଆଥ୍‌ଲେଟିକ୍‍ ଟ୍ରାକ୍‍ ଓ ସୁଇମିଂ ପୁଲ୍‍ ଥାଇ ଏଠାରେ ୧୬ଟି ଆନ୍ତର୍ଜାତିକସ୍ତରର ସ୍ପୋର୍ଟସ କମ୍ପ୍ଲେକ୍ସ ରହିଛି। ଅଲିମ୍ପିକ୍‌ରେ ଯେତେ କ୍ରୀଡ଼ା ଅଛି ସେ ସବୁ ପାଇଁ ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ଏଠାରେ ରହିଥିବା ବେଳେ ୨୦୨୦ରେ କିଟ୍‍ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାକୁ ଆ‌ୟାଜନ କରି ଉଦାହରଣ ସୃଷ୍ଟି କରିଥିଲା। ଏଥିଲାଗି ରାଜ୍ୟ କ୍ରୀଡ଼ା ଦୁନିଆ ବି ଅଜସ୍ର ପ୍ରଶଂସା ସାଉଣ୍ଟିଥିଲା। କିଟ୍ ମଧ୍ୟ ଜାତୀୟ ରଗବି ଦଳର ପ୍ରାୟୋଜକ ଅଛି। ଦୌଡ଼ରାଣୀ ଦୂତୀ ଚାନ୍ଦ ଓ ଅସି ଚାଳନାରେ ଅଲିମ୍ପିକ୍ସ ଯୋଗ୍ୟତା ପାଇଥିବା ଭବାନୀ ଦେବୀଙ୍କ ଭଳି ଅଲିମ୍ପିଆନଙ୍କ ସମେତ ଦେଶର ଶ୍ରେଷ୍ଠ ଦ୍ରୁତ ଧାବକ ଓ ଧାବିକା, ବାଧାଦୌଡ଼ ଓ ହେପ୍‌ଟାଥଲନ୍‍ ଖେଳାଳି ଭାବେ କିଟ୍‍ ଛାତ୍ରଛାତ୍ରୀ ରହିଛନ୍ତି।

ଦେଶର ଶ୍ରେଷ୍ଠ ୧୦ ଆଥ୍‌ଲେଟ୍ ଏକାଡେମି ତାଲିକାରେ ୧ରୁ ୧୦ ପର୍ଯ୍ୟନ୍ତ ଥିବା ଏକାଡେମିଗୁଡ଼ିକ ହେଲା ଉଷା ସ୍କୁଲ୍ ଅଫ୍ ଆଥ୍‌ଲେଟିକ୍ସ (କୋଝିକୋଡ଼, କେରଳ), ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ (ବେଲାରୀ, କର୍ଣ୍ଣାଟକ), ଅଶ୍ବିନ ସ୍ପୋର୍ଟସ ଫାଉଣ୍ଡେସନ୍ (କୋଡାଗୁ, କର୍ଣ୍ଣାଟକ), କିଟ୍ (ଭୁବନେଶ୍ବର, ଓଡ଼ିଶା), ଜିଏଚ୍‌ଜି ଖାଲସା କଲେଜ (ଲୁଧିଆନା, ପଞ୍ଜାବ), ଅଞ୍ଜୁ ବବି ଜର୍ଜ ସ୍ପୋର୍ଟସ ଫାଉଣ୍ଡେସନ୍ (ବେଙ୍ଗାଲୁରୁ, କର୍ଣ୍ଣାଟକ), ଏମ୍‌ଏଆର୍‌ ସ୍ପୋର୍ଟସ ଏକାଡେମି (ଏର୍ଣ୍ଣାକୁଲମ, କେରଳ), ଏମ୍‌ପି ଏକାଡେମି (ଭୋପାଳ, ମଧ୍ୟପ୍ରଦେଶ), ଏସ୍‌ଡିଏଟି ଏକାଡେମି (ତିରୁବନମଲାଇ, ମଦୁରାଇ, କର୍ଣ୍ଣାଟକ), ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ୍ (ପୁଣେ, ମହାରାଷ୍ଟ୍ର)।

ସମ୍ବନ୍ଧିତ ଖବର