କିକୋ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ: କିନୋ ସହକାରୀ ପ୍ରଶିକ୍ଷକ ଏବଂ ଫୁଟ୍‌ବଲ୍‌ ବିକାଶ ମୁଖ୍ୟ

ଭୁବନେଶ୍ବର: ଆଇଏସ୍‌ଏଲ୍‌ ଅଷ୍ଟମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍‌ସି ତା’ର ମୁଖ୍ୟ ପ୍ରଶିକ୍ଷକ ଭାବେ ଫ୍ରାନ୍‌ସିସ୍କୋ କିକୋ ରାମିରେଜ ଗୋଞ୍ଜାଲେଜଙ୍କୁ ନିଯୁକ୍ତ କରିଛି। ସେହିପରି ଜୋକିନ କିନୋ ଗାର୍ସିଆ ସାଞ୍ଚେଜଙ୍କୁ ସହକାରୀ ପ୍ରଶିକ୍ଷକ ଏବଂ ଫୁଟ୍‌ବଲ୍‌ ବିକାଶ ମୁଖ୍ୟ ଭାବେ ନିଯୁକ୍ତି କରିଛି। ୫୧ ବର୍ଷୀୟ କିକୋ ଏବଂ ସହକାରୀ ପ୍ରଶିକ୍ଷକ କିନୋଙ୍କ ସହ ସଂପ୍ରତି ବର୍ଷକ ପାଇଁ ଚୁକ୍ତି ହୋଇଛି। ଏଥିସହ ଏହି ଋତୁ‌ ପରେ ଏମାନଙ୍କ ଅବଧି ବଢ଼ାଇବାର ବିକଳ୍ପ ରଖାଯାଇଛି।

ପେସାଗତ ଫୁଟ୍‌ବଲ୍‌ରୁ ଖେଳାଳି ଭାବେ ଅବସର ନେଇଥିବା କିକୋ ୨୦୦୨ରେ ସହକାରୀ ପ୍ରଶିକ୍ଷକ ଭାବେ ସ୍ପେନ୍‌ କ୍ଲବ୍‌ ଜିମ୍ନାଷ୍ଟିକରୁ ପ୍ରଶିକ୍ଷଣ ଜୀବନ ଆରମ୍ଭ କରିଥିଲେ। ୨୦୧୦ରେ ସେ ପୋବ୍‌ଲା ମାଫୁମେଣ୍ଟରେ ଯୋଗଦେଇଥିଲେ ଏବଂ ୨୦୧୨ରେ ପୁଣି ଜିମ୍ନାଷ୍ଟଇକ୍‌କୁ‌ ଫେରିଥିଲେ। ଏହି ଦୁଇ କ୍ଲବ୍‌ ଛଡ଼ା ସ୍ପେନ୍‌ର ଅନେକ କ୍ଲବ୍‌ରେ ପ୍ରଶିକ୍ଷକ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ୨୦୧୭ରେ ‌ପୋଲାଣ୍ଡ ଫୁଟ୍‌ବଲ୍‌ କ୍ଲବ୍‌ ୱିସ୍‌ଲା କ୍ରାକୋର ପ୍ରଶିକ୍ଷଣ ଦାୟିତ୍ବ ନେଇଥିଲେ। ସ୍ପେନ୍‌ ଜନ୍ମିତ କିକୋଙ୍କ ଏହା ପ୍ରଥମ ବିଦେଶ ପ୍ରଶିକ୍ଷଣ ଦାୟିତ୍ବ ଥିଲା। ୟୁଫା ପ୍ରୋ ପ୍ରବନ୍ଧକ ଲାଇସେନ୍ସପ୍ରାପ୍ତ କିକୋ ଭାରତ ଆସିବା ପୂର୍ବରୁ ୨୦୧୯ରେ ଗ୍ରିକ୍‌ର ଏଓ ଜାନ୍‌ଥି ଏଫ୍‌ସିର ପ୍ରଶିକ୍ଷକ ଥିଲେ।

ଓଡ଼ିଶା ଏଫ୍‌ସିରେ ଉଭୟଙ୍କ ନିଯୁକ୍ତି ନେଇ କ୍ଲବ୍‌ ସଭାପତି ରାଜ ଅଠୱାଲ ଖୁସି ବ୍ୟକ୍ତ କରିଛନ୍ତି। ‘‘ଆମେ କିକୋ ଓ କିନୋଙ୍କୁ ସ୍ବାଗତ କରୁଛୁ। ଏମାନଙ୍କ ଅଭିଜ୍ଞତାକୁ ପଥୟ କରି ଓଡ଼ିଶା ଆଗାମୀ ଋତୁରେ ଭଲ ପ୍ରଦର୍ଶନ କରିବ।’’ ବୋଲି ଆଠୱାଲ କହିଛନ୍ତି। ‘‘ଭାରତ ଆସିବା ଏବଂ ଓଡ଼ିଶା ଏଫ୍‌ସି ସହ କାମ କରିବା ଲାଗି ଉତ୍ସାହିତ ଅଛି। ଆମ ପ୍ରଶଂସକ ଦଳକୁ ନେଇ କିଭଳି ଗର୍ବ ଅନୁଭବ କରିବେ ସେଭଳି ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପରେ କିକୋ କହିଛନ୍ତି।

ସମ୍ବନ୍ଧିତ ଖବର