କୋହଲି ଦୁଇ ଦଳର ବଡ଼ ଫରକ

କଭର୍‌ ଡ୍ରାଇଭ୍‌/ସୌରଭ ଗାଙ୍ଗୁଲି

ଟେଷ୍ଟ୍‍ ଶୃଙ୍ଖଳାକୁ ହାରିଯିବା ପରେ ଦିନିକିଆରେ ଭାରତୀୟମାନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କଲେ। ବିରାଟ କୋହଲି ଯେଭଳି ବ୍ୟାଟିଂ କଲେ ତାହା ହିଁ ଭାରତକୁ ୫-୧ ବିଜୟ ଦେଲା। ଦୁଇ ଦଳ ମଧ୍ୟରେ ସେ ହିଁ ଥିଲେ ବଡ଼ ଫରକ। ମୋତେ ସବୁଠାରୁ ଅଧିକ ପ୍ରଭାବିତ କରିଥିଲା କୋହଲିଙ୍କ ବ୍ୟାଟିଂ। ଏପରିକି ଗୁରୁତ୍ୱହୀନ ଶେଷ ଦିନିକିଆରେ ବି ସେ ଚମତ୍କାର ଶତକ ହାସଲ କରିଥିଲେ। ଭାରତ ଯେ ଏକ ଉନ୍ନତ ଦିନିକିଆ ଦଳ ପ୍ରମାଣିତ ହୋଇଗଲା। ଏହାକୁ ସେମାନେ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଅବ୍ୟାହତ ରଖିବେ ବୋଲି ଆଶା। ଉଚ୍ଚମନା ହୋଇ ଭାରତୀୟ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିବାର ସମ୍ଭାବନା ରହିଛି। ଏହା ନିଶ୍ଚିତ ଯେ ଛୋଟ ଫର୍ମାଟ୍‌ର ଖେଳ ଦୁଇ ଦଳ ମଧ୍ୟରେ ଥିବା ବ୍ୟବଧାନକୁ କିଛି କମ୍‌ କରିିିବ। କିନ୍ତୁ ଭାରତ ସହ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଖେଳର ସ୍ତର ବଢ଼ାଇବାକୁ ପଡ଼ିବ। ଟେ୍ଵଣ୍ଟି-୨୦ରେ ନୂଆ ପ୍ରତିଭାଙ୍କ ଆବିର୍ଭାବ ଘଟିବ। କିନ୍ତୁ ଏହି ଶୃଙ୍ଖଳାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ ଖେଳାଳି ଚୟନ। ଭାରତୀୟ ଦଳର ଗସ୍ତ ସବୁବେଳେ ସ୍ୱତନ୍ତ୍ର ଥାଏ। ଦକ୍ଷିଣ ଆଫ୍ରିକା କିନ୍ତୁ କିଛି ‘ଅଣ ଚୟନ’ ବିତର୍କରେ ରହିଛି। ଶେଷ ଦିନିକିଆରେ ଡେଭିଡ୍‌ ମିଲର୍‌ଙ୍କୁ ନିଆନଯିବା ଏବଂ ଟେ୍ଵଣ୍ଟି-୨୦ ଦଳରେ କାଗିସୋ ରବାଦାଙ୍କୁ ସୁଯୋଗ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଟେ୍ଵଣ୍ଟି-୨୦ ଦଳର ଅଧିନାୟକ ଜେପି ଡୁମିନି ଶେଷ ଦିନିକିଆ ନ ଖେଳିବା ଏବଂ ପୋର୍ଟ ଏଲିଜାବେଥ୍‌ରେ ଭଲ ବୋଲିଂ କରିଥିବା ତାବ୍ରାଇଜ୍‌ ସାସମୀଙ୍କ ବଦଳରେ ପୁଣି ଇମ୍ରାନ ତାହିର୍‌ ଖେଳିବା ମଧ୍ୟ ଆଶ୍ଚର୍ଯ୍ୟ ଥିଲା। ଏହା ନିଶ୍ଚିତ ଯେ ଦଳ ହାରିବା ବେଳେ ଖେଳାଳି ବଦଳାଇଥାଏ। କିନ୍ତୁ ଏଭଳି ପରିବର୍ତନର କିଛି ଯଥାର୍ଥତା ନ ଥିଲା।

ଏବି ଡି’ଭିଲିୟର୍ସଙ୍କ ଖରାପ ଫର୍ମ ମଧ୍ୟ ଦକ୍ଷିଣ ଆଫ୍ରିକା ସମସ୍ୟା ବଢ଼ାଇଥିଲା। ତାଙ୍କ ଅତୀତ ପ୍ରଦର୍ଶନ ଏବେ ଛାୟା ପାଲଟିଯାଇଛି। ବିରାମରୁ ଫେରି ଭଲ ଖେଳିବା ଏତେ ସହଜ ନୁହେଁ, ଏଥି ସହିତ ଭାରତୀୟ ବୋଲର ମଧ୍ୟ ତାଙ୍କ ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିଲେ। କୋହଲି କିଭଳି ତାଙ୍କ ଦଳର ଦାୟିତ୍ୱ ନେଲେ ସେ ଦେଖିବାର ଥିଲା। ଏବେ ଟେ୍ଵଣ୍ଟି-୨୦ର ପ୍ରଥମ ମ୍ୟାଚ୍‌ ଓ୍ଵଣ୍ଡରର୍ସରେ ଖେଳାଯିବ। ଜୋହାନେସ୍‌ବର୍ଗ ଦିନିକିଆରେ ଓଦା ବଲ୍‌ ଭାରତୀୟଙ୍କୁ ଆଡୁଆରେ ପକାଇଥିଲେ ମଧ୍ୟ ଏବେ ଏହା ଏକ ପ୍ରସଙ୍ଗ ନୁହେଁ। ଭାରତ ଦୃଷ୍ଟିରୁ ଦେଖିଲେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତନ ତାଙ୍କ ଉପସ୍ଥିତିକୁ ଜାହିର କରିବାର ସୁବର୍ଣ୍ଣ ସୁଯୋଗ ଦେଇଛି। ୫୦ ଓଭର ମ୍ୟାଚ୍‌ରେ ଭାରତୀୟ ମଧ୍ୟକ୍ରମଙ୍କ ସେତେଟା ଯତ୍ନ ନିଆଯାଇ ନାହିଁ। ରାଇନା ଟେ୍ଵଣ୍ଟି-୨୦ ପ୍ରଦର୍ଶନ ଜରିଆରେ ନିଜ ପାଇଁ ସୁଯୋଗ ସୃଷ୍ଟି କରିପାରିବେ, କାରଣ ସେ ଜଣେ ଭଲ କ୍ଷେତ୍ରରକ୍ଷକ। (ଗେମ୍‌ପ୍ଲାନ)।

ସମ୍ବନ୍ଧିତ ଖବର