ମୋହାଲି: ଚଳିତ ଆଇପିଏଲ୍ର ଏକ ଗୁରୁତ୍ବହୀନ ମ୍ୟାଚ୍ରେ ପଏଣ୍ଟ ଟେବୁଲ୍ ଶୀର୍ଷରେ ଥିବା ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୬ ୱିକେଟ୍ରେ ହରାଇ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ସାନ୍ତ୍ବନାମୂଳକ ବିଜୟ ସହିତ ଅଭିଯାନ ଶେଷ କରିଛି। ଏଥି ସହିତ ଶେଷ ସ୍ଥାନରେ ଅଭିଯାନ ଶେଷ କରିବା ଲଜ୍ଜାରୁ ରବିଚନ୍ଦ୍ରନ୍ ଅଶ୍ବିନଙ୍କ ଦଳ ବର୍ତିଯାଇଛି। ଅନ୍ୟପକ୍ଷରେ ପ୍ଳେ ଅଫ୍ ଯୋଗ୍ୟତା ଅର୍ଜନ କରି ସାରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ଏହି ପରାଜୟ ପ୍ରଥମ ଦୁଇଟି ସ୍ଥାନରୁ ବିଚ୍ୟୁତ କରିପାରିନଥିଲା।
ମୋହଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚେନ୍ନାଇ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିଲା। ସେନ୍ ୱାଟସନ୍ (୭) ଶସ୍ତାରେ ଆଉଟ୍ ହୋଇଯିବା ପରେ ଫାପ୍ ଡୁ ପ୍ଲେସିସ୍ (୯୬, ୫୫ ବଲ୍, ୧୦ ଚୌକା, ୪ ଛକା) ଏବଂ ସୁରେଶ ରାଇନା (୫୩, ୩୮ ବଲ୍, ୫ ଚୌକା, ୨ ଛକା) ଦ୍ବିତୀୟ ୱିକେଟ୍ ପାଇଁ ୧୨.୩ ଓଭରରେ ୧୨୦ ରନ୍ ଯୋଡ଼ି ଦୃଶ୍ୟପଟ୍ଟ ବଦଳାଇ ଦେଇଥିଲେ। ଶେଷ ଭାଗରେ କିନ୍ତୁ ଚେନ୍ନାଇ ଆଶା ମୁତାବକ ରନ୍ କରିପାରିନଥିଲା। ଶେଷ ୫ ଓଭରରେ ମାତ୍ର ୪୬ ରନ୍ ଯୋଡ଼ିଥିଲା। ଅମ୍ବାତି ରାୟୁଡୁ (୧) ଏବଂ କେଦାର ଯାଦବ (୦)ଙ୍କୁ ଶେଷ ଓଭରରେ ମହମ୍ମଦ ସାମି ଆଉଟ୍ କରି ଦେଇଥିଲେ। ମହେନ୍ଦ୍ର ସିଂହ ଧୋନି ୧୨ ବଲ୍ ଖେଳି ମାତ୍ର ୧୦* ରନ୍ କରିପାରିଥିଲେ। ଉଦୀୟମାନ ଇଂଲିସ ଅଲରାଉଣ୍ଡର୍ ସାମ୍ କରନ୍ (୪-୦-୩୫-୩) ଚେନ୍ନାଇର ପ୍ରଥମ ୩ ୱିକେଟ୍ (ୱାଟସନ୍, ରାଇନା, ଡୁ ପ୍ଲେସିସ୍) ଦଖଲ କରିଥିଲେ। ଡୁ ପ୍ଲେସିସଙ୍କୁ ବୋଲଡ୍ କରି ମାତ୍ର ୪ ରନ୍ ପାଇଁ ଶତକ କରାଇ ଦେଇନଥିଲେ।
ଜବାବରେ ଲୋକେଶ ରାହୁଲ (୭୧, ୨୬ ବଲ୍, ୭ ଚୌକା, ୫ ଛକା) ଏବଂ କ୍ରିସ୍ ଗେଲ୍ (୨୮, ୨୮ ବଲ୍, ୨ ଚୌକା, ୨ ଛକା) ପ୍ରଥମ ୱିକେଟ୍ ପାଇଁ ୧୦.୩ ଓଭରରେ ୧୦୮ ରନ୍ ଉଠାଇ ମ୍ୟାଚ୍କୁ ସମ୍ପୂର୍ଣ୍ଣ ଏକତରଫା କରି ଦେଇଥିଲେ। ହରଭଜନ ସିଂହଙ୍କ ପ୍ରଥମ ୨ ଓଭରରୁ ୪୧ ରନ୍ ଆଦାୟ କରିଥିବା ଲୋକେଶ ରାହୁଲ ମାତ୍ର ୧୯ ବଲ୍ରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ନିଜ ଦ୍ବିତୀୟ ସ୍ପେଲ୍ରେ କିନ୍ତୁ ହରଭଜନ ଲଗାତାର ବଲ୍ରେ ଉଭୟ ରାହୁଲ୍ ଓ ଗେଲ୍ଙ୍କ ୱିକେଟ୍ ଦଖଲ କରି ମଧୁର ପ୍ରତିଶୋଧ ନେଇଥିଲେ। ହେଲେ ସେତେବେଳକୁ ମ୍ୟାଚ୍ ଚେନ୍ନାଇ ହାତରୁ ଖସିଯାଇଥିଲା। ନିକୋଲାସ୍ ପୁରନ (୩୬, ୨୨ ବଲ୍, ୨ ଚୌକା, ୩ ଛକା) ଏବଂ ମନଦୀପ୍ ସିଂହ (୧୧*, ୯ ବଲ୍) ଦଳକୁ ୨ ଓଭର ପୂର୍ବରୁ ଜିତାଇ ନେଇଥିଲେ। ରାହୁଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।
ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୭୦/୫ (ଫାପ୍ ଡୁ ପ୍ଲେସିସ୍-୯୬, ସୁରେଶ ରାଇନା-୫୩, ସାମ୍ କରନ୍-୩/୩୫, ମହମ୍ମଦ ସାମି-୨/୧୭)। କିଙ୍ଗସ ଇଲେଭେନ୍ ପଞ୍ଜାବ ୧୮ ଓଭରରେ ୧୭୩/୪ (ଲୋକେଶ ରାହୁଲ-୭୧, ନିକୋଲାସ୍ ପୁରନ୍-୩୬, କ୍ରିସ୍ ଗେଲ୍-୨୮, ହରଭଜନ ସିଂହ-୩/୫୭, ରବୀନ୍ଦ୍ର ଜାଦେଜା-୧/୧୬)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-5-1.jpg)