ରୟାଲ୍‌ସକୁ ହରାଇଲା କିଙ୍ଗ୍‌ସ

ଇନ୍ଦୋର: ରବିବାର ଆଇପିଏଲ୍‌-୧୧ର ୩୮ତମ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୬ ଓ୍ଵିକେଟ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରି ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଆର ଅଶ୍ୱିନ୍‌ଙ୍କ ଦଳ ନବମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ପାଇଥିବାବେଳେ ଶେଷ ସ୍ଥାନରେ ସଂଘର୍ଷ କରୁଥିବା ଅଜିଙ୍କ୍ୟ ରାହାଣେଙ୍କ ଦଳ ନବମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଛି। ରବିବାର ପଞ୍ଜାବ ପ୍ରଥମେ ସ୍ପିନରଙ୍କ ସହାୟତାରେ ରାଜସ୍ଥାନକୁ ୧୫୨ ରନ୍‌ର ସୀମିତ ରଖିଥିଲା। ଲୋକେଶ ରାହୁଲଙ୍କ ଆକର୍ଷଣୀୟ ଅର୍ଧଶତକ (୮୪*, ୫୪ ବଲ୍‌, ୭ ଚୌକା, ୩ ଛକା) ଜରିଆରେ ପଞ୍ଜାବ ସହଜ ବିଜୟ ହାସଲ କରି ନେଇଥିଲା। ରାହୁଲଙ୍କୁ ପଛରେ ପକାଇ କିନ୍ତୁ ନିଜର ମିତ୍ତବ୍ୟୟୀ ବୋଲିଂ ଚିତ୍ର (୪-୦-୨୭-୩) ପାଇଁ ମୁଜିବ୍‌ ଉର୍‌ ରହମାନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ। ଇନ୍ଦୋରର ହୋଲ୍‌କର ଷ୍ଟାଡିୟମ୍‌ରେ ରବିବାର ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ରାଜସ୍ଥାନ ରୟାଲ୍‌ସ ପାଳିର ତୃତୀୟ ବଲ୍‌ରେ ଡାଏର୍କି ସର୍ଟଙ୍କୁ ହରାଇଥିଲା। ନିଜେ ସ୍ପିନ ଆକ୍ରମଣରୁ ଅଭିଯାନ ଆରମ୍ଭ କରିଥିବା ଅଧିନାୟକ ଆର୍‌ ଅଶ୍ୱିନ୍‌ ତାଙ୍କୁ କଟ୍‌ ବିହାଇଣ୍ଡ୍‌ କରିଦେବା ପରେ ରାୟାଲ୍‌ସ ଅଧିନାୟକ ଅଜିଙ୍କ୍ୟ ରାହାଣେ ୫ ରନ୍‌ କରି ଅକ୍ଷର ପଟେଲଙ୍କ ବଲ୍‌ରେ ଗେଲ୍‌କୁ କ୍ୟାଚ୍‌ ଦେଇ ଫେରି ଆସିଥିଲେ। ଏହା ପରେ ସଂଜୁ ସାମ୍‌ସନ୍‌ (୨୮, ୨୩ ବଲ୍‌, ୨ ଚୌକା, ୧ ଛକା) ଏବଂ ଇଂଲିସ୍‌ ଖେଳାଳି ଜୋସ୍‌ ବଟ୍‌ଲର୍‌ (୫୧, ୩୯ ବଲ୍‌, ୭ ଚୌକା) ପାଳିକୁ ସମ୍ଭାଳିଥିଲେ। ତେବେ ୧୭ ବର୍ଷୀୟ ଆଫଗାନ୍‌ ଅଫସ୍ପିନର୍‌ ମୁଜିବ୍‌ ଉର୍‌ ରହମାନ୍‌ (୪-୦-୨୭-୩)ଙ୍କୁ ମୁକାବିଲା କରି ନପାରି ରୟାଲ୍‌ସ ନିମୟିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇବାରୁ ୧୫୨/୯ରେ ସୀମିତ ରହିଥିଲା। ପ୍ରଥମ ୬ ଓଭର ଭିତରେ ୫ ଜଣ ସ୍ପିନର୍‌ ବୋଲିଂ କରିବା ରାୟଲ୍‌ସ ପାଳିର ଉଲ୍ଲେଖନୀୟ ବିଷୟ ଥିଲା। ଆଶ୍ୱିନ୍‌ଙ୍କ ଏହି କୌଶଳ ବେଶ କାମରେ ଆସିଥିଲା।

ଜବାବରେ ରୟାଲ୍‌ସ ମଧ୍ୟ କ୍ରିଷ୍ଣାପ୍ପା ଗୌତମଙ୍କ ଜରିଆର ସ୍ପିନ୍‌ରୁ ଆକ୍ରମଣ ଆରମ୍ଭ କରିଥିଲା। ୧୫୨ ରନ୍‌କୁ ପଶ୍ଚାତଧାବନ କରିଥିବା ପ୍ରୀତି ଜିଣ୍ଟାଙ୍କ ଦଳ ପ୍ରଥମ ୫ ଓଭର ଭିତରେ କ୍ରିସ୍‌ ଗେଲ୍‌ (୮, ୧୧ ବଲ୍‌, ୨ ଚୌକା) ଏବଂ ମୟଙ୍କ ଅଗ୍ରଓ୍ଵାଲ୍‌ (୨)ଙ୍କୁ ହରାଇଥିଲା। ବାର୍ବାଡସ୍‌ ଦ୍ରୁତ ବୋଲର୍‌ ଜୋଫ୍ରା ଆର୍ଚର ନିଜ େଓ୍ଵଷ୍ଟଇଣ୍ଡିଆନ୍‌ ସାଥୀ କ୍ରିସ୍‌ ଗେଲ୍‌ଙ୍କୁ ଅଟକାଇ ପଞ୍ଜାବକୁ ବଡ଼ ଝଟ୍‌କା ଦେଇଥିଲେ। କିନ୍ତୁ ତାଙ୍କ ସାଥୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଲୋକେଶ ରାହୁଲ (୮୪*, ୫୪ ବଲ୍‌, ୭ ଚୌକା, ୩ ଛକା) ଏବଂ କରୁଣ ନାୟାର (୩୧, ୨୩ ବଲ୍‌, ୨ ଚୌକା, ୨ ଛକା) ସବୁକିଛି ଓଲଟପାଲଟ କରି ଦେଇଥିଲେ। ରାହୁଲଙ୍କ ସହିତ ମାର୍କସ ଷ୍ଟୋଇନିସ୍‌ (୨୩*, ୧୫ ବଲ୍‌, ୨ ଚୌକା, ୧ ଛକା) ଅତୁଟ ପଞ୍ଚମ ଓ୍ଵିକେଟ୍‌ରେ ୫.୫ ଓଭରରେ ୬୮* ରନ୍‌ ଯୋଡ଼ି ୮ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ।

-ସଂକ୍ଷିପ୍ତ ସ୍କୋର୍‌-
ରାଜସ୍ଥାନ ରୟାଲ୍‌ସ: ୨୦ ଓଭରରେ ୧୫୨/୯ (ଜୋସ୍‌ ବଟ୍‌ଲର୍‌-୫୧, ସଂଜୁ ସାମ୍‌ସନ୍‌-୨୮, ଶ୍ରେୟସ ଗୋପାଳ-୨୪, ମୁଜିବ୍‌ ଉର୍‌ ରହମାନ୍‌-୩/୨୭, ଅଣ୍ଡ୍ରିଉ ଟାଇ-୨/୨୪, ଆର୍‌ ଅଶ୍ୱିନ୍‌-୧/୩୦, ଅଙ୍କିତ ରାଜପୁତ-୧/୩୭)। କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ: ୧୮.୪ ଓଭରରେ ୧୫୫/୪ (ଲୋକେଶ ରାହୁଲ୍‌-୮୪*, କରୁଣ ନାୟାର୍‌-୩୧, ମାର୍କସ ଷ୍ଟୋଇନିସ୍‌-୨୩*, କ୍ରିଷ୍ଣାପ୍ପା ଗୌତମ-୧/୧୮, ଅନୁରିତ୍‌ ସିଂହ-୧/୨୦, ବେନ୍‌ ଷ୍ଟୋକ୍‌ସ-୧/୨୨, ଜୋଫ୍ରା ଆର୍ଚର-୧/୪୩)।

ସମ୍ବନ୍ଧିତ ଖବର