ନୂଆଦିଲ୍ଲୀ: ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ୍ ସତ୍ତ୍ବେ ଭାରତୀୟ ଫୁଟ୍ବଲ୍ ଦଳ ଥାଇଲାଣ୍ଡ୍ର ବୁରିରାମ୍ଠାରେ ଆରମ୍ଭ ହୋଇଥିବା କିଙ୍ଗ୍ସ କପ୍ରେ ନିଜର ପ୍ରଥମ ମ୍ୟାଚ୍ ହାରିଯାଇଛି। ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତକୁ ୩-୧ ଗୋଲ୍ରେ ଉଚ୍ଚ ମାନ୍ୟାତାପ୍ରାପ୍ତ ଦଳ କୁରାକାଓ ପରାସ୍ତ କରିଦେଇଛି। ପ୍ରଥମାର୍ଧରେ ହିଁ ମ୍ୟାଚ୍ର ସମସ୍ତ ଗୋଲ୍ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ରୋଲି ବୋନେଭାସିଆ (୧୬ ମିନିଟ୍), ଏଲ୍ସନ୍ ହୋଇ (୧୮ ମିନିଟ୍) ଓ ଲିନ୍ଦ୍ରୋ ବାକୁନା (୩୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲା ବେଳେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ଟି ଛେତ୍ରୀ ୩୧ ମିନିଟ୍ରେ କରିଥିଲେ। ଛେତ୍ରୀ ଏହି ଗୋଲ୍ଟି ପେନାଲ୍ଟି ଜରିଆରେ କରିଥିଲେ। ଏହା ମଧ୍ୟ ଛେତ୍ରୀଙ୍କ ମୋଟ ୬୯ତମ ଗୋଲ୍ ଥିଲା। ପ୍ରଥମ ମ୍ୟାଚ୍ ହାରିଯାଇଥିବାରୁ ଏହି ୪ ଦଳୀୟ ପ୍ରତିଯୋଗିତାରେ ଭାରତ ଏବେ ତୃତୀୟ ସ୍ଥାନ ପାଇଁ ଥାଇଲାଣ୍ଡ୍ ଓ ଭିଏତନାମ ମ୍ୟାଚ୍ର ପରାଜିତ ଦଳ ସହ ଖେଳିବ।
ଭାରତ ଏହି ମ୍ୟାଚ୍ ହାରିଥିଲେ ମଧ୍ୟ କିଙ୍ଗ୍ସ କପ୍ ପ୍ରତିଯୋଗିତା ଅବସରରେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ବୁଧବାର ସେ ଭାରତ ପାଇଁ ୧୦୮ତମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ବେଳେ ପୂର୍ବ ଅଧିନାୟକ ବାଇଚୁଙ୍ଗ୍ ଭୂତିଆ (୧୦୭ ମ୍ୟାଚ୍)ଙ୍କୁ ଟପି ଯାଇଛନ୍ତି। ଫଳରେ ଭାରତ ପକ୍ଷରୁ ସର୍ବାଧିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାରେ ୩୪ ବର୍ଷ ବୟସ୍କ ଛେତ୍ରୀ ପ୍ରଥମ ଖେଳାଳି ହୋଇଛନ୍ତି।
କିଙ୍ଗ୍ସ କପ୍: ଭାରତ ହାରିଲା
ଛେତ୍ରୀଙ୍କ ମାଇଲଖୁଣ୍ଟ: ସର୍ବାଧିକ ମ୍ୟାଚ୍ରେ ଭୂତିଆଙ୍କୁ ଟପିଲେ
/sambad/media/post_attachments/wp-content/uploads/2019/06/football-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)