ଚଣ୍ଡିଗଡ: ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୭୯* ରନ୍, ୪୪ ବଲ୍,୬ ଚୌକା, ୫ ଛକା) ଙ୍କ ଧମାକାଦାର ବ୍ୟାଟିଂ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍ରେ ରବିବାର ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଧୋନିଙ୍କ ଆକ୍ରମଣକୁ ଶେଷ ଓଭରରେ ପ୍ରତିହତ କରି କିଙ୍ଗ୍ସ ଏକାଦଶ ପଞ୍ଜାବ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରି ନେଇଛି। ୧୯୮ ରନ୍ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇକୁ ବିଜୟ ପାଇଁ ଶେଷ ଓଭରରୁ ୧୭ ରନ୍ର ଦରକାର ଥିଲା। ଧୋନି ବ୍ୟାଟିଂ ପଟେ ଥିବାରୁ ଚେନ୍ନାଇ ଏହାକୁ ହାସଲ କରିନେବ ବୋଲି ଆଶା କରାଯାଉଥିଲା। ହେଲେ ପଞ୍ଜାବ ବୋଲର ମୋହିତ ଶର୍ମା କୌଶଳ କ୍ରମେ ଧୋନିଙ୍କୁ ତିନିଟି ବଲରୁ ରନ୍ କରିବାର ସୁଯୋଗ ଦେଇ ନଥିଲେ। ଫଳରେ ତୃତୀୟ ବଲ୍କୁ ଚୌକା ଏବଂ ଶେଷ ବଲ୍କୁ ଛକା ମାରିବା ସତ୍ତ୍ୱେ ଧୋନି ଦୁର୍ଭାଗ୍ୟଜନକ ଭାବେ ବିଜୟ ମୁଣ୍ଡି ମାରି ପାରି ନଥିଲେ। ଚେନ୍ନାଇ ଶେଷ ୬ ବଲ୍ରୁ ୧୨ ରନ୍ କରି ୪ ରନ୍ରେ ପରାଜିତ ହୋଇଥିଲା। ପଞ୍ଜାବ ତୃତୀୟ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ହାସଲ କରିଥିଲା।
ଚେନ୍ନାଇର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ (୧୨) ଓ ସେନ୍ ଓ୍ଵାଟସନ୍ (୧୧) ବିଫଳ ହେବା ପରେ ଅମ୍ବାତି ରାୟୁଡୁ (୪୯ ରନ୍, ୩୫ ବଲ୍, ୫ ଚୌକା, ୧ ଛକା) ଓ ଧୋନି ଚେନ୍ନାଇ ପାଳିକୁ ଆଗେଇ ନେଇଥିଲେ। ତେବେ ରାୟୁଡୁଙ୍କୁ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ ରନ୍ ଆଉଟ୍ କରିବା ପରେ କ୍ରିଜକୁ ଆସିଥିବା ରବୀନ୍ଦ୍ର ଜାଦେଜା (୧୯ ରନ୍, ୧୩ ବଲ୍, ୧ ଚୌକ, ୧ ଛକା) ପ୍ରଥମେ ପ୍ରଥମେ ରନ୍ କରିବାକୁ ସଂଘର୍ଷ କରିଥିଲେ। ଫଳରେ ରନ୍ ହାର ଧିରେ ଧିରେ ବଢ଼ି ଚାଲିଥିଲା। ଯାହା ଶେଷକୁ ଏକପ୍ରକାର ଅସମ୍ଭବ ମନେ ହୋଇଥିଲା। ତଥାପି ଚେନ୍ନାଇ ନିର୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୩ ରନ୍ କରିବା ସହ ଏକଦା ପଞ୍ଜାବ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେବାର ଦ୍ୱାର ଦେଶରେ ପହଞ୍ଚିବା ସତ୍ତ୍ୱେ ହାତପାହାନ୍ତାରୁ ବଞ୍ଚିତ ହୋଇଥିଲା। ବିସ୍ଫୋରକ ବ୍ୟାଟିଂ ପାଇଁ ପରିିଚିତ ତଥା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି କ୍ରିସ୍ ଗେଲ୍ (୬୩ ରନ୍, ୩୩ ବଲ, ୭ ଚୌକ ।, ୪ ଛକା) ଚିତ୍ତାକର୍ଷକ ଅର୍ଧଶତକ ଅର୍ଜନ କରି ରବିବାର ନିଜ ଆଇପିଏଲ୍-୧୧ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ପଦାର୍ପଣକୁ ସାର୍ଥକ କରିଥିଲେ। ତାଙ୍କ ୨୨ ବଲ୍ ଅର୍ଧଶତକ ପାଇଁ ମାତ୍ର ପଞ୍ଜାବ ୮.୪ ଓଭରରେ ୧୦୦ ରନ୍ ପୂରଣ କରିଥିଲା। ତେବେ ଏହା ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବଳକା ୧୧.୨ ଓଭରରେ ମାତ୍ର ୯୭ ରନ୍ କରି ପାରିଥିଲା। ଚେନ୍ନାଇ ବୋଲର ସଫଳ ପ୍ରତ୍ୟାବର୍ତନ କରି ପଞ୍ଜାବକୁ ୨୦୦ ରନ୍ ଛୁଇଁବାକୁ ଦେଇ ନଥିଲେ। ଲୋକେଶ ରାହୁଲ (୩୭ ରନ୍, ୨୨ ବଲ୍, ୭ ଚୌକା) ଓ ଗେଲ୍ ଦୃଢ଼ ମୂଳଦୁଆ ପକାଇଥିଲେ ମଧ୍ୟ ମଧ୍ୟକ୍ରମ ବିଫଳତା ପାଇଁ ପଞ୍ଜାବ ଶେଷ ୫ ଓଭରରୁ ମାତ୍ର ୪୩ ରନ୍ ସଂଗ୍ରହ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରଓ୍ଵାଲ ୩୦ (୧୯ ବଲ୍, ୧ ଚୌକା, ୨ ଛକା), ଯୁବରାଜ ସିଂହ ୨୦ (୧୩ ବଲ୍, ୨ ଚୌକା, ୧ ଛକା) ଓ କରୁଣ ନାୟାର ୨୯ (୧୭ ବଲ୍, ୨ ଚୌକା, ୧ ଛକା) ରନ୍ କରିଥିଲେ।
ସଂକ୍ଷିପ୍ତ ସ୍କୋର୍: କିଙ୍ଗ୍ସ ଏକାଦଶ ପଞ୍ଜାବ: ୨୦ ଓଭରରେ ୧୯୭/୭ (କ୍ରିସ୍ ଗେଲ୍-୬୩, ଲୋକେଶ ରାହୁଲ୍-୩୭, ମୟଙ୍କ ଅଗ୍ରଓ୍ଵାଲ୍-୩୦, କରୁଣ ନାୟାର୍-୨୯, ସାର୍ଦୁଲ୍ ଠାକୁର-୨/୩୩, ଇମ୍ରାନ୍ ତାହିର୍-୨/୩୪, ସେନ୍ ଓ୍ଵାଟ୍ସନ-୧/୧୫, ଡ୍ଵାନ୍ ବ୍ରାଭୋ-୧/୩୭, ହରଭଜନ ସିଂହ-୧/୪୧)। ଚେନ୍ନାଇ ସୁପର୍ କିଙ୍ଗ୍ସ: ୨୦ ଓଭରରେ ୧୯୩/୫ (ମହେନ୍ଦ୍ର ସିଂହ ଧୋନି-୭୯*, ଅମ୍ବାତି ରାୟୁଡୁ-୪୯, ଆଣ୍ଡ୍ରିଉ ଟାଇ-୨/୪୭, ମୋହିତ ଶର୍ମା-୧/୪୭, ଆର୍ ଅଶ୍ୱିନ୍-୧/୩୨ )।