ଚେନ୍ନାଇ : ଶେଷ ବଲ୍ରେ ୩ ରନ୍ ଚୋରାଇବା ସହ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ଚିତ୍ କରି ଦେଇଛି ପଞ୍ଜାବ କିଙ୍ଗ୍ସ। କୌଣସି ବ୍ୟକ୍ତିଗତ ପ୍ରଦର୍ଶନ ନୁହେଁ ଦଳଗତ ପ୍ରଦର୍ଶନ ବଳରେ ପଞ୍ଜାବ ୪ ୱିକେଟ୍ରେ ରୋମାଞ୍ଚକ ବିଜୟ ହାସଲ କରିଛି। ଡେଭନ୍ କନୱେଙ୍କ ଅପରାଜିତ ୯୨ ରନ୍ ବଳରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦୦ ରନ୍ ଛିଡ଼ା କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ପଞ୍ଜାବ କିଙ୍ଗ୍ସର ଜଣେ ହେଲେ ବ୍ୟାଟର୍ ଅର୍ଦ୍ଧଶତକ ହାସଲ କରିନଥିଲେ ମଧ୍ୟ ଶିଖର ଧାୱନଙ୍କ ଦଳ ବଡ଼ ସ୍କୋର୍କୁ ପଛରେ ପକାଇ ଦେଇଥିଲା। ଶେଷ ଓଭରରୁ ୯ ଏବଂ ଶେଷ ୨ ବଲରୁ ୫ ରନ୍ ଆବଶ୍ୟକ ପଡ଼ିଥିଲା। ମଥିଶା ପଥିରଣାଙ୍କଠାରୁ ୨ ଓ ୩ ରନ୍ ନେଇ ଜିମ୍ବାୱେ ବ୍ୟାଟର୍ ସିକନ୍ଦର ରାଜା ପୁଣି ଥରେ ପଞ୍ଜାବକୁ ବିଜୟ ମଣ୍ଡିତ କରିଥିଲେ।
ଶେଷ ବଲକୁ ସେ ଡିପ୍ ଫାଇନ ଲେଗ୍ ଓ ଡିପ୍ ମିଡ୍ ୱିକେଟ୍ ମଝି ଦେଇ ବାଉଣ୍ଡରି ପାଖାପାଖି ପଠାଇ ଦେଇଥିଲେ। ବଲ୍ ଆସିବା ପୂର୍ବରୁ ସିକନ୍ଦର ରାଜା ଓ ସାହାରୁଖ ଖାନ ୩ ରନ୍ ଦୌଡ଼ି ଦଳକୁ ଚମତ୍କାର ବିଜୟ ଦେଇଥିଲେ। ପଞ୍ଜାବ ୯ ମ୍ୟାଚ୍ରୁ ପଞ୍ଚମ ବିଜୟ ସହ ପଞ୍ଚମକୁ ଉଠିଥିବା ବେଳେ ସମାନ ୧୦ ପଏଣ୍ଟ ସହ ଚେନ୍ନାଇ ସୁପର୍ କିଙ୍ଗ୍ସ ଚତୁର୍ଥରେ ରହିଛି। ଦଳର ପରାଜୟ ସତ୍ତ୍ବେ ଡେଭନ୍ କନୱେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଟସ୍ ଜିତି ଧୋନି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେ ପାୱାର ପ୍ଲେ ଭିତରେ ୱିକେଟ୍ ନ ହରାଇ ୫୭ ରନ୍ କରିଥିଲେ। ଗାଏକ୍ବାଡଙ୍କୁ କିନ୍ତୁ ସିକନ୍ଦର ରାଜା ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ନ୍ୟୁଜିଲାଣ୍ଡ୍ ଖେଳାଳି ଡେଭନ୍ କନୱେ ୩୦ ବଲ୍ରୁ ଅର୍ଦ୍ଧଶତକ ହାସଲ କରିବା ସହ ୫୨ ବଲରୁ ୯୨* ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଶିବମ ଦୁବେଙ୍କ ୧୭ ବଲ୍ ୨୮ ରନ୍ ପରେ ଶେଷ ଦୁଇ ବଲରୁ ଧୋନିଙ୍କ ଯୁଗଳ ଛକା ଦଳକୁ ୨୦୦ ରନ୍ ପ୍ରଦାନ କରିଥିଲା। ଶେଷରେ ପ୍ରଭସିମ୍ରନ ସିଂହ, ଲିଆମ ଲିଭିଙ୍ଗଷ୍ଟୋନ୍, ସାମ କରନ୍, ଜିତେଶ ଶର୍ମାଙ୍କ ଛୋଟ ଛୋଟ ପାଳି ପଞ୍ଜାବକୁ ବିଜୟ ପଥରେ ରଖିଥିଲା। ୧୭ତମ ଓଭରରେ ତୁଷାର ଦେଶପାଣ୍ଡେଙ୍କ ପ୍ରଥମ ୪ ବଲରୁ ୨୨ ରନ୍ (୬, ୬, ୪ ବାଇ, ୬) ଆଦାୟ କରିବା ପରେ ପଞ୍ଚମ ବଲ୍ରେ ଲିଭିଙ୍ଗଷ୍ଟୋନ୍ ଆଉଟ୍ ହୋଇଥିଲେ। ଏହି ଓଭରରେ କିନ୍ତୁ ମ୍ୟାଚ୍ ପଞ୍ଜାବ ଆଡକୁ ଢଳିଥିଲା। ସାମ କରନ୍ ଓ ଜିତେଶ ଶର୍ମାଙ୍କ ପାଳି ପରେ ସିକନ୍ଦର ରାଜା ବିଜୟ ମୁଣ୍ଡି ମାରିଥିଲେ।