ଭୁବନେଶ୍ବର: ଆଇଆର୍ସି ଭିଲେଜସ୍ଥିତ କଳିଙ୍ଗ କ୍ରିକେଟ୍ କ୍ଲବ୍ (କେସିସି) ପକ୍ଷରୁ ଅଲ୍ ଟାଇମ୍ ଫିଟନେସ୍ (ଏଟିଏଫ୍) ଏବଂ ଆଥେଲିକ୍ସ ସହାୟତାରେ ପ୍ରଥମ କଳିଙ୍ଗ ପ୍ରିମିୟର୍ ଲିଗ୍ (କେପିଏଲ୍) ଗ୍ରାଉଣ୍ଡ୍ ସଟ୍ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ରବିବାର ରାତିରେ ଉଦ୍ଯାପିତ ହୋଇଯାଇଛି। କୋଭିଡ୍ରେ ପରଲୋକ ଗମନ କରିଥିବା ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରପ୍ରକାଶ ମିସାଲେଙ୍କ ସ୍ମାରକୀ ଭାବେ ଆୟୋଜିତ ଏହି ୩ ଦିନିଆ ପ୍ରତିଯୋଗିତା ନୂଆପଲ୍ଲୀ ଏନ୍୪ ପ୍ଲେ ଗ୍ରାଉଣ୍ଡ୍ରେ ଖେଳାଯାଇଥିଲା। ଫାଇନାଲ୍ରେ ବ୍ରହ୍ମେଶ୍ବର ଫାଇଟର୍ସ ୯ ୱିକେଟ୍ରେ ୱାଇଡ୍ ଫନେଲ୍ ୱାରିୟର୍ସକୁ ପରାସ୍ତ କରିଥିଲା। ୱାରିୟର୍ସ ୬ ଓଭରରେ ୮ ୱିକେଟ୍ ହରାଇ ୫୩ ରନ୍ କରିଥିଲା। ବ୍ରହ୍ମେଶ୍ବର ଫାଇଟର୍ସ ୪.୪ ଓଭରରେ ୧ ୱିକେଟ୍ ହରାଇ ୫୬ ରନ୍ ସଂଗ୍ରହ କରି ନେଇଥିଲା।
ଚିରାଗ ନାୟକ ୧୧ ବଲ୍ରୁ ୩୦ ରନ୍ ସଂଗ୍ରହ କରିବା ସହ ଫାଇନାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମଦନ ପଲାଇ ପ୍ରତିଯୋଗିତାର ଶ୍ରେଷ୍ଠ, ବିକି ଡିଗଲ ଶ୍ରେଷ୍ଠ ବ୍ୟାଟର୍, ଆଶୁତୋଷ ନାୟକ ଶ୍ରେଷ୍ଠ ବୋଲର, ଅମିତ କୁମାର ତ୍ରିପାଠୀ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ବିଜେତା ବ୍ରହ୍ମେଶ୍ବର ଫାଇଟର୍ସ ଦଳକୁ ୧.୧ ଲକ୍ଷ ଟଙ୍କା, ପ୍ରଥମ ଉପବିଜେତା ୱାଇଡ୍ ଫନେଲ୍ ୱାରିୟର୍ସକୁ ୬୦,୦୦୦ ଟଙ୍କା ଏବଂ ଦ୍ବିତୀୟ ଉପବିଜେତା ତ୍ରିବେଣୀ ଆଇଆର୍ସିକୁ ୨୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ ବିଧାୟକ ସୁଶାନ୍ତ କୁମାର ରାଉତ, କର୍ପୋରେଟର୍ ମାନସୀରାଣୀ ସୁନ୍ଦରାୟ, କେସିସି ଅଧ୍ୟକ୍ଷ ଏ ସାଇ ପ୍ରସାଦ ଦୋରା, ସମ୍ପାଦକ ହିମାଂଶୁ ପତି, ଧନଶ୍ରୀ ମିସାଲେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଯୁବ ଖେଳାଳିମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇଦେବା ଏହି ପ୍ରତିଯୋଗିତାର ଆଭିମୁଖ୍ୟ ଥିଲା ବୋଲି କେସିସିର ଅଧ୍ୟକ୍ଷ ଏ ସାଇ ପ୍ରସାଦ ଦୋରା ପ୍ରକାଶ କରିଛନ୍ତି। ଇନୋଭାରେ ସଫ୍ଟୱେର୍ ସୁଲ୍ୟସନ, ବ୍ଲୁ-ଟେକ୍ ପ୍ରଡକ୍ଟସ, ଭିଣ୍ଟେଜ୍ କ୍ଲବ୍, ସେଫ ରିକ୍ସ ଇନସ୍ୟୁରାନ୍ସ, ରିଫ୍ରେସ୍ କ୍ୟୁ, ବାଣିକ କୋଚିଂ ଇନଷ୍ଟିଚ୍ୟୁଟ୍ ପ୍ରମୁଖ ଏହି ପ୍ରତିଯୋଗିତାରୁ ପ୍ରାୟୋଜକ ରହିଥିଲେ।